ରାଜ୍ୟରେ କୋଭିଡ ସଂକ୍ରମଣ ଉପରମୁହାଁ, ଆଜି ଜାରି ହେବ ରଥଯାତ୍ରା ସଂପର୍କିତ କୋଭିଡ୍‌ ନିର୍ଦ୍ଦେଶାବଳୀ

ହଟିଲା ସଂପୂର୍ଣ୍ଣ ‌କୋଭିଡ୍‌ କଟକଣା

NDTV.com

ଭୁବନେଶ୍ବର : ଦେଶରେ ଗତ ୧୦୦ଦିନ ପରେ ଗୋଟିଏ ଦିନରେ କୋଭିଡ ସଂକ୍ରମଣ ୧୭ହଜାର ଟପିଛି। ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଲକ୍ଷେ ନିକଟତର ହୋଇଛି। ରାଜ୍ୟରେ ମଧ୍ୟ ଧୀରେ ଧୀରେ ସଂକ୍ରମଣ ଉପରମୁହାଁ ହେଲାଣି। ଗତ ୨ବର୍ଷର ବ୍ୟବଧାନ ପରେ ରାଜ୍ୟରେ ଲୋକମାନେ ରଥଯାତ୍ରାରେ ସାମିଲ ହେବେ। ରଥଯାତ୍ରାରେ ଲକ୍ଷାଧିକ ଲୋକଙ୍କ ସମାଗମ ଅନୁମାନ କରାଯାଉଥିବାରୁ ପୁରୀ କରୋନାର ହଟ୍‌ସ୍ପଟ୍‌ ପାଲଟି ଯାଇପାରେ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଟିକାକରଣ କରାଯିବ ବୋଲି କୁହାଯାଇଛି। ହେଲେ ଲୋକମାନେ ମାସ୍କ ଓ ସାମାଜିକ ଦୂରତାକୁ ଭୁଲି ଯାଇଥିବାରୁ ଲକ୍ଷାଧିକ ଲୋକ ଏକାଠି ହେବା ରାଜ୍ୟ ପାଇଁ କୋଭିଡର ଚତୁର୍ଥ ଲହର ଆଣିପାରେ ବୋଲି ବିଶେଜ୍ଞମାନେ ଆଶଙ୍କା କରୁଛନ୍ତି। ତେବେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଜି କୋଭିଡ ସଂପର୍କିତ ନିର୍ଦ୍ଦେଶାବଳୀ ଜାରି ହେବ ବୋଲି ସୂଚନା ମିଳିଛି।

କରୋନାର ଓମିକ୍ରନ୍ ପ୍ରଜାତି ପାଇଁ ରାଜ୍ୟରେ ତୃତୀୟ ଲହର ଆସିଥିଲା। ଗତ ମେ’ମାସର ଗୋଟିଏ ଦିନକୁ ଛାଡ଼ି ଦେଲେ ଅନ୍ୟ ଦିନଗୁଡ଼ିକରେ ରାଜ୍ୟରେ କୋଭିଡ ସଂକ୍ରମଣ ପ୍ରାୟ ୨୦ ନିକଟତର ରହିଥିଲା। ରାଜ୍ୟରେ କରୋନାର କୌଣସି ନୂଆ ପ୍ରଜାତି ଚିହ୍ନଟ ହୋଇ ନାହାନ୍ତି। ଯାହାବି ଜିନୋମ ସିକ୍ବେନ୍ସିଂ ହୋଇଛି ତହିଁରୁ ଓମ୍ରିକନ୍ ପ୍ରଜାତି ଚିହ୍ନଟ ‌ହୋଇଛନ୍ତି। ଏହାସତ୍ତ୍ବେ ଗତ ୧୫ଦିନ ହେବ ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଗତ ୭ଦିନ ଭିତରେ ରାଜ୍ୟରେ ୩୬୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ଗତ ଦୁଇଦିନ ଧରି ରାଜ୍ୟରେ ଦୈନିକ ସଂକ୍ରମଣ ୫୦ ଉପରେ ରହୁଛି।

ଗତ ୨୪ଘଣ୍ଟାରେ ରାଜ୍ୟରେ ୧୩,୨୩୪ କୋଭିଡ ନମୁନା ପରୀକ୍ଷା ହୋଇଥିବା ବେଳେ ତହିଁରୁ ୬୧ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଖୋର୍ଧାରେ ସର୍ବାଧିକ ୩୬, କଟକ ୭, ସୁନ୍ଦରଗଡ଼ ୫, ଭଦ୍ରକ, ବଲାଙ୍ଗୀର, ଜଗତସିଂହପୁର, ପୁରୀ, ରାୟଗଡ଼ାରୁ ଜଣେ ଲେଖାଏ ଓ ଷ୍ଟେଟ୍‌ ପୁଲରୁ ୮ଜଣଙ୍କୁ ଚିହ୍ନଟ କରାଯାଇଛି। ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨, ୮୯,୧୨୯କୁ ବୃଦ୍ଧି ପାଇଛି। ମାତ୍ର କରୋନାର କେହି ପ୍ରାଣ ହରାଇ ନାହାନ୍ତି। ଆଜି ରାଜ୍ୟରେ ୪୩ଜଣ କୋଭିଡ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ଏବେ ୩୪୮ ଚିକିତ୍ସାଧୀନ ରୋଗୀ ରହିଛନ୍ତି। ଖୋର୍ଧା ଜିଲ୍ଲାରେ ସର୍ବାଧିକ ୧୮୨ଜଣ ରୋଗୀ ଅଛନ୍ତି। କିଛି ଜିଲ୍ଲାରେ ସଂକ୍ରମଣ ବଢ଼ୁଥିଲେ ବି ରାଜ୍ୟର ୯ଟି ଜିଲ୍ଲାରେ ଏବେ ଜଣେ ହେଲେ ବି ଚିକିତ୍ସାଧୀନ ରୋଗୀ ନାହାନ୍ତି।

ସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କ ମତରେ, ରାଜ୍ୟରେ ‌ନମୁନା ପରୀକ୍ଷାରେ ବୃଦ୍ଧି ହୋଇଛି। ତେଣୁ ଆକ୍ରାନ୍ତଙ୍କ ସଂଖ୍ୟା କିଛିଟା ବୃଦ୍ଧି ପାଇଛି। ତେବେ ରାଜ୍ୟରେ କୋଭିଡ ସଂକ୍ରମଣ ରାଜ୍ୟରେ ନିୟନ୍ତ୍ରଣାଧୀନ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe