ଚିନ୍ତା ବଢ଼ାଇଲାଣି କୋଭିଡ୍ ସଂକ୍ରମଣ: ଦୁଇଦିନରେ ପୁରୀରେ ୬୧ ସଂକ୍ରମିତ

ରଥଯାତ୍ରା ଭିଡ଼ ଆଣିପାରେ ଗୋଷ୍ଠୀ ସଂକ୍ରମଣ

ଦିନକରେ ୫୩ ‌କୋଭିଡ ଆକ୍ରାନ୍ତ ଚିହ୍ନଟ

cntraveller.in

ପୁରୀ : କୋଭିଡ୍‌ ସଂକ୍ରମଣ କମିଥିଲା। ଦୀର୍ଘ ଦେଢ଼ ବର୍ଷର ସଂଘର୍ଷ ପରେ ଲୋକେ ଆଶ୍ବସ୍ତ ହୋଇଥିଲେ। ଟିକାକରଣ ବ୍ୟାପକ ହେବା ପରେ ସଂକ୍ରମଣଜନିତ ମୃତ୍ୟୁ ବି କମିଥିଲା। ‌ତେଣୁ ମାସ୍କ ପିନ୍ଧିବା ନେଇ କଟକଣା ଉଠିଯାଇଥିଲା। ମାତ୍ର ଗତ କିଛିଦିନ ହେଲା ସ୍ଥିତି ପୁଣି ସାଂଘାତିକ ହେଲାଣି। ଗତ ଦୁଇଦିନ ମଧ୍ୟରେ ୬୧ ଜଣ ସଂକ୍ରମିତ ଚିହ୍ନଟ ହେଲାଣି। ଗୁରୁତ୍ବପୂର୍ଣ୍ଣ କଥା ହେଲା ଏଯାଏ କୋଭିଡ୍ ଟେଷ୍ଟ ବ୍ୟାପକ ହୋଇନାହିଁ। ଗତକାଲି ୨୫୭ ଜଣ ଟେଷ୍ଟ କରାଇଥିବା ବ‌େଳେ ସେମାନଙ୍କ ମଧ୍ୟରୁ ୩୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିଭଳି ଶୁକ୍ରବାର ୨୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲା। ଇତିମଧ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୧୬ରେ ପହଞ୍ଚିଛି।

publive-image

ଏଣେ ରଥଯାତ୍ରା ପାଇଁ ସବୁ ଖୋଲାମେଲା କରିଦିଆଯାଇଥିବାରୁ ଏବଂ ବୃହତ୍‌ ଜନ ସମାଗମ ହୋଇଥିବାରୁ ଆଗକୁ ସଂକ୍ରମଣ ସ୍ଥିତି ଉଦ୍‌ବେଗଜନକ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ଏପରିକି ରଥଯାତ୍ରାରେ ସଂକ୍ରମଣରେ ରୋକ୍‌ ଲଗାଇବା ପାଇଁ ୧୦ଲକ୍ଷ ମାସ୍କ ବାଣ୍ଟିବା କଥା କୁହାଗଲା। କିନ୍ତୁ କିଏ କାହାକୁ ବାଣ୍ଟିଲା ଓ କିଏ ପିନ୍ଧିଲେ ତାହା ବି ଏଯାଏ ଅସ୍ପଷ୍ଟ। ଅନ୍ୟପକ୍ଷରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଲକ୍ଷାଧିକ ଟଙ୍କାର ମାସ୍କ ଅର୍ଡର ଦିଆଯାଇଥିଲେ ହେଁ ନା ସେବାୟତ ମାସ୍କ ପିନ୍ଧିଲେ ନା କର୍ମଚାରୀମାନେ ପିନ୍ଧିଲେ। ତେବେ ଯଦି ମାସ୍କ ପିନ୍ଧିବାର ନଥିଲା, ତେବେ ଏତେ ଟଙ୍କାର ମାସ୍କ ଅର୍ଡର ଦେଇ ମଗାଉଥିଲେ କାହିଁକି ବୋଲି ପ୍ରଶ୍ନ ଉଠିଲାଣି। ମାସ୍କ ପିନ୍ଧିବା ପାଇଁ ଘୋଷଣା କରିବା ପରେ ଏହାକୁ ସବୁରି ମହଲରେ ସ୍ବାଗତ କରାଯାଇଥିଲା। ମାତ୍ର ରଥ ଉପରେ ସେବାୟତମାନେ ଓ କାର୍ଯ୍ୟରତ ଅଧିକାରୀମାନେ ମାସ୍କ ନପିନ୍ଧିବାରୁ ଅନ୍ୟମାନେ ବି କୋହଳ ହେଲେ। ଏପରିକି ଆଶୁ ଚିକିତ୍ସା କେନ୍ଦ୍ରରେ କାର୍ଯ୍ୟରତ ସ୍ବାସ୍ଥ୍ୟ କର୍ମୀମାନେ ମଧ୍ୟ ମାସ୍କ ପିନ୍ଧିଲେ ନାହିଁ।

ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏବେ ଘରେଘରେ ଥଣ୍ଡା ଓ ଜ୍ବର ବ୍ୟାପିବାରେ ଲାଗିଛି। ତେଣୁ ସଂକ୍ରମଣର ଲକ୍ଷଣ ଦେଖାଯାଉଥିଲେ ହେଁ ଲୋକେ କୋଭିଡ୍‌ ଟେଷ୍ଟ ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି। ରଥଯାତ୍ରାରେ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ଭକ୍ତ ଆସିଥିବାରୁ ସ୍ଥାନୀୟ ବାସିନ୍ଦାମାନେ ବୁଲିବା ସମୟରେ ଯଦି ସଂକ୍ରମିତ ହୋଇଥ‌ିବେ ତେବେ ଗୋଷ୍ଠୀ ସଂକ୍ରମଣ ପାଇଁ ଏହା ବାଟ ମୁକୁଳା କରିଦେବ। ଯଦିଓ ଖୋର୍ଦ୍ଧା ଜିଲ୍ଲାରେ ସ୍ଥିତି ଗମ୍ଭୀର ହେବା ଦେଖି ଲୋକଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି, କିନ୍ତୁ ପୁରୀରେ ନୀଳାଦ୍ରି ବିଜେ ପୂର୍ବରୁ କୋଭିଡ୍ କଟକଣା ଲଗାଯିବା ନେଇ ଆଶା ନାହିଁ।

publive-image IndiaToday

ସଂକ୍ରମଣ ବଢ଼ୁଥିଲେ ବି ଲୋକଙ୍କ ମଧ୍ୟରେ ବୁଷ୍ଟର୍‌ ଡୋଜ୍ ନେବା ପାଇଁ ସେତେଟା ଆଗ୍ରହ ପରିଲକ୍ଷିତ ହେଉନାହିଁ। କେବଳ ଫ୍ରଣ୍ଟ୍‌ଲାଇନ୍‌ ୱାର୍କର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ଛାଡ଼ିଦେଲେ ସାଧାରଣ ଲୋକଙ୍କ ମଧ୍ୟରେ ବହୁ କମ୍‌ ସଂଖ୍ୟକ ବୁଷ୍ଟର୍‌ ଡୋଜ୍‌ ନେଇଛନ୍ତି। ଏପର୍ଯ୍ୟନ୍ତ ପୁରୀର ବାସିନ୍ଦାଙ୍କ ମଧ୍ୟରୁ ୧୩ ଲକ୍ଷ ୨୭ ହଜାର ୮୯୨ ଜଣ ପ୍ରଥମ ଡୋଜ୍‌ ଓ ୧୨ଲକ୍ଷ ୩୫୧୦ ଜଣ ଦ୍ବିତୀୟ ଡୋଜ୍‌ ନେଇଥିଲେ ହେଁ ମାତ୍ର ୫୮ ହଜାର ୫୦୭ ଜଣ ବୁଷ୍ଟର୍‌ ଡୋଜ୍‌ ନେଇଛନ୍ତି। ବିଶେଷକରି ‌୬୦ ବର୍ଷରୁ ଅଧିକ ବ୍ୟକ୍ତିବିଶେଷଙ୍କ ମଧ୍ୟରୁ ୩୮୫୦୨ ଜଣ ବୁଷ୍ଟର୍‌ ଡୋଜ୍‌ ନେଇଥବା ବ‌େଳେ ୧୨ରୁ ୪୪ ବର୍ଷ ବୟସ ବର୍ଗରେ ମାତ୍ର ହାତଗଣତି କେତେଜଣ ବୁଷ୍ଟର୍‌ ଡୋଜ୍‌ ନେଇଛନ୍ତି। କରୋନା ସଂକ୍ରମଣ ଓ ଟିକାର ପ୍ରାଧାନ୍ୟକୁ ଦୃଷ୍ଟିରେ ରଖି ବୁଷ୍ଟର୍‌ ଡୋଜ୍‌ ନେବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଥିଲେ ହେଁ ଅଧିକାଂଶ ଲୋକେ ଘରୋଇ ହସ୍ପିଟାଲ୍‌ ଯାଇ ବୁଷ୍ଟର୍‌ ଡୋଜ୍‌ ନେବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି। ତେଣୁ ଆଗକୁ ଜିଲ୍ଲା ପ୍ରଶାସନ ଯଦି ସତର୍କ ନହୁଏ, ତେବେ ସ୍ଥିତି ଗମ୍ଭୀର ହେବାର ଆଶଙ୍କା ରହିଥିବା ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe