Catch News
ନୟାଗଡ଼ : ନୟାଗଡ଼ ଜିଲ୍ଲାର ପ୍ରଥମ କରୋନା ମୃତ୍ୟୁକୁ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ସ୍ବୀକାର କରିବାକୁ ୫ ଦିନ ନେଇଗଲା। ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶନ, ମୃତକଙ୍କ ପରିବାରଠାରୁ ଆରମ୍ଭ କରି ସାଧାରଣରେ ଅସନ୍ତୋଷ ପରେ ଆଜି କରୋନାରେ ସଂପୃକ୍ତ ଯୁବକଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟ ସାର୍ବଜନୀନ କରିଛି।
ଆଜି ରାତିରେ ନୟାଗଡ଼ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଏ ନେଇ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ରିପୋର୍ଟକୁ ହ୍ବାଟସ୍ଆପ୍ ଗ୍ରୁପରେ ପୋଷ୍ଟ କରି ସଂପୃକ୍ତ ଯୁବକଙ୍କ କରୋନାରେ ମୃତ୍ୟୁ ଘଟିଥିବା ସ୍ପଷ୍ଟ କରିଛନ୍ତି। ହେଲେ ଉକ୍ତ ଚିଠିରେ ୨ ତାରିଖରେ କରୋନା ମୃତ୍ୟୁ ନେଇ ରିପୋର୍ଟ ପ୍ରସ୍ତୁତ ହୋଇଥିବା ଉଲ୍ଲେଖ ରହିଛି। କେଉଁ ପରିସ୍ଥତିରେ ୫ ତାରିଖ ପର୍ଯ୍ୟନ୍ତ ରିପୋର୍ଟକୁ ଲୁଚାଇ ରଖାଗଲା ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଉଲ୍ଲେଖଯୋଗ୍ୟ, ନୟାଗଡ଼ ମ୍ୟୁନିସିପାଲିଟି ଅନ୍ତର୍ଗତ ଯଦୁମଣି ନଗରର ଜଣେ ୪୦ ବର୍ଷ ବୟସ୍କ ଯୁବକଙ୍କର ସମ୍ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତ ୧ ତାରିଖରେ ମୃତ୍ୟୁ ଘଟିଥିଲା। ଯୁବକ ଜଣକ ସ୍ଥାନୀୟ କରୋନା ସଂକ୍ରମଣର ଶିକାର ହୋଇଥିଲେ। ମୃତକଙ୍କ ପରିବାରକୁ ଉକ୍ତ ଦିନ ଅପରାହ୍ଣରେ ଏଥିନେଇ ଭୁବନେଶ୍ବର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିଲା। ଏହାର କିଛି ସମୟ ପରେ ନୟାଗଡ଼ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ମଧ୍ୟ ଫୋନ୍ ଜରିଆରେ ଉକ୍ତ ରୋଗୀଙ୍କ ମୃତ୍ୟୁ ହୋଇଯାଇଥିବା ସୂଚନା ଦେଇଥିଲେ। କିନ୍ତୁ ମୃତ୍ୟୁର କାରଣ ସ୍ପଷ୍ଟ କରିନଥିଲେ। ଏପରିକି ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ୱେବସାଇଟ୍ରେ ମଧ୍ୟ ନୟାଗଡ଼ରେ ଜଣେ ବ୍ୟକ୍ତିଙ୍କର କରୋନାରେ ମୃତ୍ୟୁ ହେବା ନେଇ କୌଣସି ସୂଚନା ନଥିଲା। ହେଲେ ଆଜି ସ୍ବାସ୍ଥ୍ୟ ବିଭାଗ ଯେଉଁ ରିପୋର୍ଟ ପ୍ରଦାନ କରିଛି, ସେଥିରେ ଯୁବକଙ୍କର ମୃତ୍ୟୁ କରୋନା କାରଣରୁ ହୋଇଥିବା ସ୍ପଷ୍ଟ କରିଛି।
ମୃତ ଯୁବକଙ୍କ ପତ୍ନୀ, ପୁଅ ଓ ମା’ ମଧ୍ୟ କରୋନାର ଶିକାର ହୋଇଛନ୍ତି। ସେମାନେ ଏବେ ଭୁବନେଶ୍ବରସ୍ଥିତ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସାଧୀନ ଥିବା ଜଣାଯାଇଛି। ମୃତକ ଜଣେ ଔଷଧ ବ୍ୟବସାୟୀ ଥିବା ବେଳେ, ତାଙ୍କ ମୃତ୍ୟୁ ନେଇ ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରୁନଥିବାରୁ ଜିଲ୍ଲା କେମିଷ୍ଟ୍ ଓ ଡ୍ରଗିଷ୍ଟ୍ ସଂଘ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଥିଲା। ଏପରିକି ଆନ୍ଦୋଳନ କରିବାକୁ ମଧ୍ୟ ଚେତାବନୀ ଦେଇଥିଲା।
Follow Us