ବ୍ରହ୍ମପୁର ମଣ୍ଡଳ କାରାଗାରରେ ସ୍ବତନ୍ତ୍ର କୋଭିଡ୍‌ ହସ୍‌ପିଟାଲ, ଜେଲ୍‌ ଡାକ୍ତରଙ୍କୁ ନୋଡାଲ୍‌ ଅଫିସର୍‌ ଦାୟିତ୍ବ

Advertisment
ବ୍ରହ୍ମପୁର ମଣ୍ଡଳ କାରାଗାରରେ ସ୍ବତନ୍ତ୍ର କୋଭିଡ୍‌ ହସ୍‌ପିଟାଲ, ଜେଲ୍‌ ଡାକ୍ତରଙ୍କୁ ନୋଡାଲ୍‌ ଅଫିସର୍‌ ଦାୟିତ୍ବ

ବ୍ରହ୍ମପୁର: ବ୍ରହ୍ମପୁର ମଣ୍ଡଳ କାରାଗାରରେ ଏକ ସ୍ବତନ୍ତ୍ର କୋଭିଡ୍‌ ହସ୍‌ପିଟାଲ ଆରମ୍ଭ କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ସେଠାରେ ୫୦ଟି ଶଯ୍ୟାର ବ୍ୟବସ୍ଥା କରାଯାଇଥିବା ଜେଲ୍‌ ଡିଆଇଜି ରଘୁନାଥ ମାଝୀ ସୂଚନା ଦେଇଛନ୍ତି। ଗତବର୍ଷ ଜେଲ୍‌ ପରିସରରେ ଉଦ୍‌ଘାଟିତ ହୋଇଥିବା ନୂତନ ହସ୍‌ପିଟାଲ କୋଠାରେ ଏହା କାର୍ଯ୍ୟକ୍ଷମ ହୋଇଛି। ଯେଉଁ କଏଦୀମାନଙ୍କ କୋଭିଡ୍‌ ଲକ୍ଷଣ ଦେଖାଯିବ ସେମାନଙ୍କୁ ଏଠାରେ ଚିକିତ୍ସା କରାଯିବ ବୋଲି ଜେଲ୍‌ ଅଧୀକ୍ଷକ କୁଳମଣି ବେହେରା ସୂଚନା ଦେଇଛନ୍ତି।

ବ୍ରହ୍ମପୁର ମଣ୍ଡଳ କାରାଗାରରେ ଦିନକୁ ଦିନ କରୋନା ପଜିଟିଭ୍‌ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୨୨ତାରିଖରେ ମୋଟ ୪୪ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ତନ୍ମଧ୍ୟରେ ୩୫ଜଣ କଏଦୀ ଥିବା ବେଳେ ଜେଲର୍‌ଙ୍କ ସମେତ ୯ଜଣ କର୍ମଚାରୀ ମଧ୍ୟ ଆକ୍ରାନ୍ତ ହୋଇଥିଲେ। ଏହା ପୂର୍ବରୁ ୨୨ଜଣ ପଜିଟିଭ୍‌ ଚିହ୍ନଟ ହୋଇ ସାରିଛନ୍ତି। ବର୍ତ୍ତମାନ ଜେଲ୍‌ର କୋଭିଡ୍‌ ହସ୍‌ପିଟାଲରେ ୩୫ଜଣ କଏଦୀ ଚିକିତ୍ସାଧୀନ ରହିଛନ୍ତି। ଜେଲ୍‌ର ଡାକ୍ତରଙ୍କୁ ନୋଡାଲ୍‌ ଅଫିସର୍‌ ଭାବେ ନିଯୁକ୍ତି କରାଯାଇଥିଲା।

ସେହିପରି ବିଭିନ୍ନ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରୁ ଡାକ୍ତରୀ ଦଳ ଆସି ଅନ୍ତେବାସୀଙ୍କ ଚିକିତ୍ସା କରିବେ ବୋଲି ଡିଆଇଜି ଶ୍ରୀ ମାଝୀ ସୂଚନା ଦେଇଛନ୍ତି। ପୂର୍ବରୁ ପଜିଟିଭ୍‌ ଚିହ୍ନଟ ହେଉଥିବା କଏଦୀଙ୍କୁ ଶୀତଳାପଲ୍ଲୀସ୍ଥିତ କୋଭିଡ୍‌ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଗଂଜେଇ ଚାଲାଣ ମାମଲାରେ ଗିରଫ ହୋଇଥିବା ଖୋର୍ଦ୍ଧା ଅଞ୍ଚଳର ଦୁଇଜଣ ଅଭିଯୁକ୍ତ ହସ୍‌ପିଟାଲରୁ ଚମ୍ପଟ ମାରିଥିଲେ। ଏ ନେଇ ଗୋପାଳପୁର ଥାନାରେ ମାମଲା ରୁଜୁ ହୋଇଛି। କିନ୍ତୁ ଅଭିଯୁକ୍ତ ଧରାପଡ଼ି ନାହାନ୍ତି। ତେଣୁ ସୁରକ୍ଷା ଦୃଷ୍ଟିକୋଣରୁ ଜେଲ୍‌ରେ ହିଁ ଅନ୍ତେବାସୀଙ୍କ ଚିକିତ୍ସା କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଫଳରେ ଆଜିଠାରୁ ନୂତନ ହସ୍‌ପିଟାଲ କୋଠାରେ ସଙ୍ଗରୋଧ କକ୍ଷ କରାଯାଇ ଅନ୍ତେବାସୀଙ୍କ ଚିକିତ୍ସା ଆରମ୍ଭ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe