ଗାଁକୁ ଆସିଥିବା ଶିକ୍ଷିତ ଯୁବକଙ୍କ ଅଭିନବ ପ୍ରୟାସ : ଆରମ୍ଭ କଲେ କୋଭିଡ୍ ଅର୍ଗାନିକ ପରିବା ଚାଷ ପ୍ରକଳ୍ପ

Advertisment
ଗାଁକୁ ଆସିଥିବା ଶିକ୍ଷିତ ଯୁବକଙ୍କ ଅଭିନବ ପ୍ରୟାସ : ଆରମ୍ଭ କଲେ କୋଭିଡ୍ ଅର୍ଗାନିକ ପରିବା ଚାଷ ପ୍ରକଳ୍ପ

କଟକ : ସେମାନଙ୍କ ମଧ୍ୟରୁ କିଏ ଇଂଜିନିୟର, କିଏ ଅଧ୍ୟାପକ, ଓକିଲ, ମ୍ୟାନେଜର ତ କିଏ ରାଜନେତା। କିନ୍ତୁ କରୋନା ଲକଡାଉନ୍ ସମୟରେ କାମ ବନ୍ଦ ଯୋଗୁଁ ଗାଁରେ ରହିଥିବା ଏହି ଯୁବକମାନେ ଆରମ୍ଭ କରିଥିବା ଅଭିନବ ପ୍ରୟାସ ଏବଂ ଗାଁ ଲୋକଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି। କରୋନା ସ୍ଥିତି ଯୋଗୁଁ ଘଟିଥିବା ଏହି ଘଟଣା ବ୍ୟବସ୍ଥାକୁ ଏକ ନୂଆ ଦିଗ ବି ଦେଇଛି। କଟକ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବୟାଳିଶମୌଜା କୂଳକଳପଡା ଗ୍ରାମର ଏହି ଯୁବକ ଆଉ ବ୍ୟକ୍ତିବିଶେଷମାନେ ଆରମ୍ଭ କରିଛନ୍ତି ପନିପରିବା ଚାଷ। ଏବଂ ସେମାନଙ୍କର ଏହି ପ୍ରକଳ୍ପର ନାଁ ରଖିଛନ୍ତି 'କୋଭିଡ ଅର୍ଗାନିକ ଭେଜିଟେବୁଲ ପ୍ରୋ‌ଜେକ୍ଟ'।

ସୂଚନା ସମୟରେ, ଅଢେଇ ଏକରରୁ ଅଧିକ ଜମିରେ ସେମାନେ ଆରମ୍ଭ କରି ଦେଇଛନ୍ତି କଖାରୁ, କଲରା, କାକୁଡି, ତରଭୁଜ, ଭେଣ୍ଡି, ଲାଉ, ପୋଇ, ଲେଉଟିଆ ଶାଗ, ଝୁଡ଼ଙ୍ଗ, କଞ୍ଚାଲଙ୍କା ଭଳି ପନିପରିବା ଚାଷ। ନିଜେ ଶ୍ରମ ବିନିଯୋଗ କରିବା ସହିତ ଜୈବିକ ସାର ପ୍ରୟୋଗ କରୁଛନ୍ତି। ଆଉ କିଛି ଦିନ ଭିତରେ ଏହା ଉତ୍ପାଦନ ହେବା ଆଶା କରାଯାଉଥିବା ବେଳେ ସେମାନେ ତାହାକୁ ସେହି ଜମି ନିକଟରେ ‌ଆଗ୍ରହୀ ଲୋକଙ୍କୁ ସୁଲଭ ମୂଲ୍ୟରେ ଯୋଗାଇ ଦେବେ ବୋଲି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ବୟାଳିଶମୌଜା ଅଞ୍ଚଳ ପନିପରିବା ଚାଷ ପାଇଁ ପ୍ରସିଦ୍ଧ। କିନ୍ତୁ ଗଲା କିଛି ବର୍ଷ ଭିତରେ ଏହି ଅଞ୍ଚଳରେ ବିଭିନ୍ନ କାରଣରୁ ପନିପରିବା ଚାଷ ପରିମାଣ ହ୍ରାସ ପାଇ ଚାଲିଛି। ବୟାଳିଶମୌଜାର ପନିପରିବା କଟକ ସହର ଏବଂ ଆଖପାଖ ଅଞ୍ଚଳର ଲୋକଙ୍କ ଚାହିଦାକୁ ବର୍ଷ ସାରା ପୂରଣ କରି ଆସୁଥିବା ବେଳେ ଏବେ ଆଉ ସେ ସ୍ଥିତି ନାହିଁ। ବାହାରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ଏହି ଯୁବକମାନେ ଏବେ ଗାଁକୁ ଆସିଥିବା ବେଳେ ପଡିଆ ପଡିଥିବା ଏହି ଜମିରେ ଚାଷ ଆରମ୍ଭ କରି ନୂଆ ଉଦାହରଣ ରଖିବାକୁ ଉଦ୍ୟମ କରିଛନ୍ତି।

ଜିଲ୍ଲା କଂଗ୍ରେସ ଉପସଭାପତି ଦୀପକ ପରିଡା, ଆଡଭୋକେଟ ସଂଜୀବ ବିଶ୍ବାଳ, ଇଂଜିନିୟର ସମ୍ବିତ ବିଶ୍ବାଳ, ଅଧ୍ୟାପକ ପ୍ରଦୀପ୍ତ ବିଶ୍ବାଳ, ଫାର୍ମା କଂପାନି ମ୍ୟାନେଜର ବିଶ୍ବକ ସେନ ବିଶ୍ବାଳ, ଇଂଜିନିୟର ବଦ୍ରିନାରାୟଣ ପରିଡା, ଯୁବ ଶିଳ୍ପଦ୍ୟୋଗ‌ୀ ବସନ୍ତ ବିଶ୍ବାଳ, ବୀମା କଂପାନି ମ୍ୟାନେଜର ବିକାଶ ପରିଡା, ଅବସରପ୍ରାପ୍ତ ପ୍ରତିରକ୍ଷା କର୍ମଚାରୀ ଜ୍ୟୋତିରଂଜନ ପରିଡା, କ‌ିଶୋର ପରିଡା, ଟେକନିସିଆନ ସମ୍ବିତ ପରିଡା, ଅମରେନ୍ଦୁ ପରିଡା, ଦୀପକ ବିଶ୍ବାଳ, ନିହାରରଂଜନ ପରିଡା, ଅମରେନ୍ଦ୍ର ପରିଡା ପ୍ରମୁଖ ଏହି ପ୍ରକଳ୍ପକୁ ସଫଳ କରିବାକୁ ଲାଗି ପଡିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe