ପୁଣି ବିପଦ ମୁହଁକୁ ଠେଲିଦେଲେ ଶିଶୁଙ୍କୁ; ଶିଶୁଭବନ ୱ‌ାର୍ଡରେ କରୋନା ରୋଗୀ, ବିନା ଯାଞ୍ଚରେ ଚିକିତ୍ସା ପାଇଁ ଭର୍ତ୍ତି

ପୁଣି ବିପଦ ମୁହଁକୁ ଠେଲିଦେଲେ ଶିଶୁଙ୍କୁ; ଶିଶୁଭବନ ୱ‌ାର୍ଡରେ କରୋନା ରୋଗୀ, ବିନା ଯାଞ୍ଚରେ ଚିକିତ୍ସା ପାଇଁ ଭର୍ତ୍ତି

Sambad English

କଟକ : କରୋନା ଲକ୍ଷଣ ଥିବା କିମ୍ବା ହଟ୍‌ସ୍ପଟ୍ ଜିଲ୍ଲାର ଶିଶୁଙ୍କୁ ଶିଶୁଭବନର ସାଧାରଣ ୱ‌ାର୍ଡରେ ଭର୍ତ୍ତି କରାଯିବନାହିଁ। କରୋନା ରୋଗୀଙ୍କ ପାଇଁ ଥିବା ସ୍ବତନ୍ତ୍ର ‘ସାରି’ ୱ‌ାର୍ଡରେ ସେମାନଙ୍କର ଚିକିତ୍ସା କରାଯିବ। ରିପୋର୍ଟ ନେଗେଟିଭ୍ ଆସିଲେ ସାଧାରଣ ୱ‌ାର୍ଡକୁ ଯିବ ଶିଶୁ। ଏପ୍ରକାର କଡ଼ା ନିର୍ଦ୍ଦେଶନାମା ଶିଶୁଭବନ କର୍ତ୍ତୃପକ୍ଷ ନିଜେ ଜାରି କରିଥିବାବେଳେ ପଞ୍ଚମଥର ନିୟମକୁ ଭାଙ୍ଗି ଶିଶୁରୋଗୀଙ୍କ ପାଇଁ ବିପଦ ବଢ଼ାଇ ଦେଇଛନ୍ତି। ଗଞ୍ଜାମରୁ ଆସିଥିବା ଜଣେ ନବଜାତ ଶିଶୁପୁତ୍ରକୁ ଅନ୍ୟ ସାଧାରଣ ରୋଗୀଙ୍କ ସହିତ ସିଧାସଳଖ ପୁରୁଣା ସର୍ଜରି ୱ‌ାର୍ଡରେ ଭର୍ତ୍ତି କରିଦେଇଛନ୍ତି। ଆଜି ଶିଶୁଭବନରେ ଶିଶୁର ବାପାଙ୍କ ସ୍ବାବ୍ ପରୀକ୍ଷା ପରେ କରୋନା ପଜିଟିଭ୍ ଥିବା ଜଣାପଡ଼ିଛି। ଦୁଇଦିନ ହେଲା ଶିଶୁର ବାପା ଶିଶୁଭବନ ୱ‌ାର୍ଡରେ ଥିବାରୁ ଏବେ ଅନ୍ୟ ଶିଶୁ ଓ ଅଭିଭାବକଙ୍କ ପାଇଁ ବିପଦ ବଢ଼ିଯାଇଛି। ତେବେ ଏହି ଘଟଣା ଆଜି ଜଣାପଡ଼ିବା ପରେ ଶିଶୁଭବନର ବଡ଼ ଧରଣର ଖାମଖିଆଲ କାର୍ଯ୍ୟକଳାପ ପଦାରେ ପଡ଼ିଯାଇଛି।

ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରରୁ ଗଲା ୧୭ ତାରିଖ ରାତିରେ ୩ ଦିନର ଶିଶୁ ପୁତ୍ରକୁ ଧରି ତାର ବାପା, ମାମୁ ଓ ଆଈ ଶିଶୁଭବନ ଆସିଥିଲେ। କାଜୁଆଲିଟିରେ ପ୍ରାଥମିକ ଚିକିତ୍ସା ପରେ ଶିଶୁକୁ ଆଜି ସକାଳୁ ବିନା ଭ୍ରମଣ ବିବରଣୀ ଯାଞ୍ଚରେ ସିଧାସଳଖ ପୁରୁଣା ସର୍ଜରି ୱ‌ାର୍ଡର ବେଡ୍ ନଂ ୫୭ରେ ଭର୍ତ୍ତି କରାଯାଇଥିଲା। ଆଜି ସର୍ଜରି ବିଭାଗର ଡାକ୍ତରଙ୍କ ସନ୍ଦେହ ହେବାରୁ ସମସ୍ତଙ୍କ ଆଣ୍ଟିଜେନ୍ ଟେଷ୍ଟ କରାଯାଇଥିଲା। ଦିନ ପ୍ରାୟ ଗୋଟାଏ ବେଳେ ବାପାଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ଏଭଳି ଖବର ବ୍ୟାପିବା ପରେ ହସ୍ପି‌ଟାଲରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଶିଶୁର ବାପାଙ୍କୁ କୋଭିଡ୍ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି।

ୱ‌ାର୍ଡରେ ଭର୍ତ୍ତି କରିବା ପୂର୍ବରୁ ଭ୍ରମଣ ବିବରଣୀ ଟିକିନିଖି ଯାଞ୍ଚ କରିବାକୁ ଶିଶୁଭବନ ଅଧୀକ୍ଷକ ପ୍ରଫେସର ଡାକ୍ତର ସରୋଜ ଶତପଥୀ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଦୁଇ ମାସ ଭିତରେ ୫ଥର ଏହି ନିର୍ଦ୍ଦେଶର ଖିଲାପ ହୋଇସାରିଲାଣି। ଏପ୍ରିଲ ୪ ତାରିଖରେ ଭଦ୍ରକର ଦୁଇ ଶିଶୁ ୱ‌ାର୍ଡରେ ଭର୍ତ୍ତି ହୋଇଥିଲେ। ୨୪ ଘଣ୍ଟା ପରେ ଭ୍ରମଣ ବିବରଣୀ ପ୍ରସ୍ତୁତ କରି ତରବରିଆ ଭାବେ ଉଭୟଙ୍କୁ ହସପିଟାଲରୁ ଡିସଚାର୍ଜ କରିଦିଆଗଲା। ଗଲା ୪ ତାରିଖରେ ଦ୍ବିତୀୟ ଘଟଣା ସାମନାକୁ ଆସିଥିଲା। ବଡ଼ ମେଡିକାଲରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣେ ମହିଳାଙ୍କ ନବଜାତ ଶିଶୁ ଶିଶୁଭବନର ଏସଏନସିୟୁରେ ଚିକିତ୍ସିତ ହେଉଥିଲା। ଏହି ଘଟଣା ପରେ ଜଣାପଡ଼ିବା ପରେ ଶିଶୁଟିକୁ ଡିସଚାର୍ଜ କରିଦିଆଯାଇଥିଲା। ସେହିଦିନ ତୃତୀୟ ଘଟଣା ସାଲେପୁର ମୁତାରିଫା ଅଞ୍ଚଳର ଜଣେ ଶିଶୁପୁତ୍ର ଜାପାନ କୋଠାରେ ଫିଭର କ୍ଲିନିକକୁ ଚିକିତ୍ସିତ ହେବାକୁ ଆସିଥିଲା। ଶିଶୁଟିର କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲା। ଚତୁର୍ଥ ଘଟଣା ଘଟିଥିଲା ନ୍ୟୁ ମେଡିକାଲ୍ ୱ‌ାର୍ଡରେ। ଜଗତସିଂହପୁର ତିର୍ତ୍ତୋଲ ବିଦ୍ୟାଧରପୁରର ଜଣେ ଶିଶୁପୁତ୍ର ୬ ତାରିଖରେ ନ୍ୟୁ ମେଡିକାଲ୍ ମେଡିସିନ ୱ‌ାର୍ଡ ୧ରେ ଭର୍ତ୍ତି ହୋଇଥିଲା। ଭର୍ତ୍ତି ହେବାପରେ ସନ୍ଦେହରେ ସ୍ବାବ୍ ସଂଗ୍ରହ କରାଯାଇଥିଲା। ୮ ତାରିଖରେ ପଜିଟିଭ୍ ଜଣାପଡ଼ିବା ପରେ ତାକୁ କୋଭିଡ୍ ହସ୍ପି‌ଟାଲ୍ ସ୍ଥାନାନ୍ତର କରାଯାଇଥିଲା। ଆଜି ପଞ୍ଚମ ଥର ଆଉ ଏକ ଖାମଖିଆଲ ପଦକ୍ଷେପ ସାମନାକୁ ଆସିବା ପରେ ସାଧାରଣ ରୋଗୀଙ୍କ ଜୀବନ ଅସୁରକ୍ଷିତ ହୋଇପଡ଼ିଛି।

ମାମୁ ଓ ଆଈଙ୍କ ଆଣ୍ଟିଜେନ୍ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଥିବା ବେଳେ ଆସନ୍ତାକାଲି ପୁଣିଥରେ ଟେଷ୍ଟ କରାଯିବ। ଶିଶୁଭବନ ଅଧୀକ୍ଷକ ଡାକ୍ତର ସରୋଜ ଶତପଥୀ କହିଛନ୍ତି ଯେ, ଗଞ୍ଜାମରୁ ଆସିଥିବା ଶିଶୁଟିର ମଳ ଦ୍ବାରାରେ ସମସ୍ୟା ଥିବାରୁ ଅସ୍ତ୍ରୋପଚାର ପାଇଁ ଶିଶୁଭବନ ପୁରୁଣା ସର୍ଜରିରେ ଭର୍ତ୍ତି ହୋଇଛି। ଶିଶୁର ବାପା ଆଜି ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଶିଶୁଟି ନେଗେଟିଭ୍ ଆସିଛି। ପଜିଟିଭ୍ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ହସ୍ପି‌ଟାଲର କୌଣସି କର୍ମଚାରୀଙ୍କ ଲକ୍ଷଣ ଦେଖାଦେଲେ ତାଙ୍କ ସ୍ବାବ୍ ସଂଗ୍ରହ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe