ଦୁଇବର୍ଷ ପରେ ହଟିଲା ଶ୍ରୀମନ୍ଦିର ଦର୍ଶନ କଟକଣା: ମନଭରି ମହାପ୍ରଭୁଙ୍କୁ ଦର୍ଶନ କଲେ ଭକ୍ତ

Advertisment

ପ୍ରଥମ ଦିନରେ ୪୦ହଜାର ଶ୍ରଦ୍ଧାଳୁ, ମରିଚିକୋଟ ଛକ ପର୍ଯ୍ୟନ୍ତ ଲାଗିଲା ଭିଡ଼

ପ୍ରଥମ ଦିନରେ ୪୦ହଜାର ଶ୍ରଦ୍ଧାଳୁ, ମରିଚିକୋଟ ଛକ ପର୍ଯ୍ୟନ୍ତ ଲାଗିଲା ଭିଡ଼

ଦୁଇବର୍ଷ ପରେ ହଟିଲା ଶ୍ରୀମନ୍ଦିର ଦର୍ଶନ କଟକଣା: ମନଭରି ମହାପ୍ରଭୁଙ୍କୁ ଦର୍ଶନ କଲେ ଭକ୍ତ

ପୁରୀ : ଦୁଇବର୍ଷ ପରେ ଶ୍ରୀମନ୍ଦିରରେ ଦର୍ଶନ ପାଇଁ ଲାଗୁ କୋଭିଡ୍‌ କଟକଣା ସୋମବାରଠାରୁ ହଟାଇ ଦିଆଯାଇଛି। ସୋମବାରଠାରୁ ବିନା କଟକଣାରେ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ପୂର୍ବରୁ କୋଭିଡ୍‌ ନେଗେଟିଭ୍‌ ଅବା ଟିକା ପ୍ରମାଣପତ୍ରରେ ଦର୍ଶନ ବ୍ୟବସ୍ଥା କରାଯାଇଥିଲା। କିନ୍ତୁ କଟକଣା ହଟାଇ ଦିଆଯିବା ପରେ ବିନା କୋଭିଡ୍‌ ନେଗେଟିଭ୍‌ ଅବା ଟିକା ପ୍ରମାଣପତ୍ରରେ ଆଜିଠାରୁ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ଲାଭ କରିଛନ୍ତି। ଏଥିପାଇଁ ଆଜି ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ସଂଧ୍ୟା ସୁଦ୍ଧା ପ୍ରାୟ ୪୦ହଜାର ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ କରି ଫେରିଛନ୍ତି।

୨୦୨୦ ମସିହା ମାର୍ଚ୍ଚରୁ କୋଭିଡ ସଂକ୍ରମଣର ଭୟାବହତା ଭିତରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରି ଆସୁଥିଲେ। ସେବାୟତ ସଂକ୍ରମଣ ବଢ଼ିବା ପରେ ଇତିମଧ୍ୟରେ ଅନେକଥର ଶ୍ରୀମନ୍ଦିର ଦର୍ଶନ ବନ୍ଦ ରଖାଯାଇଛି। ଶେଷ ଥର କୋଭିଡ୍‌ ସଂକ୍ରମଣ କମିବା ପରେ ବନ୍ଦ ଥିବା ଶ୍ରୀମନ୍ଦିର ଦର୍ଶନକୁ ଗତ ଡିସେମ୍ବରରୁ କଟକଣା ଭିତରେ ଆରମ୍ଭ କରାଯାଇଥିଲା। ପ୍ରଥମେ ସେବାୟତ ପରିବାର, ପରେ ପୁରୀ ସହରାଞ୍ଚଳବାସୀଙ୍କୁ ଦର୍ଶନ ଅନୁମତି ମିଳିଥିଲା। ପରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା। ଆଜି ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ କୋଭିଡ୍‌ ନେଗେଟିଭ ତଥା କୋଭିଡ୍‌ ଟିକା ପ୍ରମାଣପତ୍ର ଦେଖାଇ ମହାପ୍ରଭୁଙ୍କ ଦର୍ଶନ କରୁଥିଲେ। ଜିଲ୍ଲା ତଥା ଜିଲ୍ଲା ବାହାର ଭକ୍ତଙ୍କ ଦର୍ଶନ ପାଇଁ ସିଂହଦ୍ବାରରେ କିଓସ୍କ ବ୍ୟବସ୍ଥା କରାଯାଇଥିଲା। ପୁରୀ ସହରାଞ୍ଚଳବାସୀଙ୍କ ପାଇଁ ପଶ୍ଚିମଦ୍ବାରରେ କିଓସ୍କ ବ୍ୟବସ୍ଥା କରାଯାଇଥିଲା। ଯେଉଁଥିପାଇଁ ଭକ୍ତମାନେ ଘଣ୍ଟା ଘଣ୍ଟା ଧାଡ଼ିରେ ଛିଡ଼ା ହେଉଥିଲେ। କିଓସ୍କ ଓ ଅନ୍ୟାନ୍ୟ ବ୍ୟବସ୍ଥା ପାଇଁ ଅଯଥା ଶ୍ରୀମନ୍ଦିର ପ୍ରଶାସନର ରାଜକୋଷ ଖାଲି ହେଉଥିଲା। ଆଜିଠାରୁ ଏହି କଟକଣା ହଟାଇ ଦିଆଯିବା ପରେ କିଓସ୍କ ବ୍ୟବସ୍ଥା ବି ହଟାଇ ଦିଆଯାଇଛି। ଏଣୁ ଭକ୍ତମାନେ ଆଜି ସିଧାସଳଖ ନୂଆ ସେଡ୍‌ରେ ଧାଡ଼ିରେ ରହି ସିଂହଦ୍ବାରରେ ପ୍ରବେଶ ପରେ ମହାପ୍ରଭୁଙ୍କ ଦର୍ଶନ ସହ ମହାପ୍ରସାଦ ସେବନର ସୌଭାଗ୍ୟ ଅର୍ଜନ କରିଛନ୍ତି। ମହାପ୍ରଭୁଙ୍କୁ ଦୀପଦାନ ସହ ଆଶୀର୍ବାଦ ଭିକ୍ଷା କରିଛନ୍ତି। ଆଜି ପ୍ରଥମ ଦିନରେ ଭିଡ଼ ଭିତରେ ମରିଚିକୋଟ ଛକରୁ ଧାଡ଼ିରେ ରହି ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନଲାଭ କରି ଫେରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe