ରାଜ୍ୟରେ ଦିନକୁ ୫ହଜାର ଡେଉଁନି କରୋନା ପରୀକ୍ଷା

Advertisment

ଆଇସିଏମ୍‌ଆରର କଡ଼ା ଗାଇଡଲାଇନ୍ ନା ନମୁନାର ନିୟନ୍ତ୍ରଣ ? ୧୭ କେନ୍ଦ୍ରକୁ ଅନୁମତି, ୧୩ରେ ହେଉଛି ପରୀକ୍ଷା

ଆଇସିଏମ୍‌ଆରର କଡ଼ା ଗାଇଡଲାଇନ୍ ନା ନମୁନାର ନିୟନ୍ତ୍ରଣ ? ୧୭ କେନ୍ଦ୍ରକୁ ଅନୁମତି, ୧୩ରେ ହେଉଛି ପରୀକ୍ଷା

ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ବି ଟାଳିଦେଲେ : ଦିନକୁ ୧୫ ହଜାର କହିଥିଲେ, ୫ ହଜାର ଟେଷ୍ଟ ହେଉନି

Romania Insider

ଭୁବନେଶ୍ବର : ରାଜ୍ୟରେ ‌କୋଭିଡ ନମୁନା ପରୀକ୍ଷା ଦିନକୁ ଦିନ କମିବାରେ ଲାଗିଛି। ଚଳିତ ମାସରେ ହିଁ ଦିନକୁ କୋଭିଡ ନମୁନା ପରୀକ୍ଷା ୫ ହଜାର ଛୁଇଁଥିଲା। ଏପରିକି ଆଗକୁ ଦିନକୁ ୧୫ହଜାର ପରୀକ୍ଷା କରାଯିବ ବୋଲି ସରକାର ଘୋଷଣା କରିଥିଲେ। ମାତ୍ର ଗତ ୫ ଦିନର ପରିସଂଖ୍ୟାନ କହୁଛି, ରାଜ୍ୟରେ ଗୋଟିଏ ବି ଦିନ ନମୁନା ପରୀକ୍ଷା ୫ହଜାର ଛୁଇଁନାହିଁ। ଦିନକୁ ଦିନ ଏହା କମି ଚାଲିଛି। ଦେଶରେ କୋଭିଡ୍‌ ନମୁନା ପରୀକ୍ଷା ବଢ଼ି ଚାଲିଥିବା ବେଳେ ରାଜ୍ୟରେ ଏହା ହଠାତ୍ କମିବାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

publive-image REUTERS/Carl Recine

ଭାରତୀୟ ଭେଷଜ ଗବେଷଣା ପରିଷଦ ବା ଆଇସିଏମ୍‌ଆର ପକ୍ଷରୁ ଓଡ଼ିଶାରେ ୧୭ଟି ପରୀକ୍ଷା କେନ୍ଦ୍ରକୁ କୋଭିଡ୍‌ ପାଇଁ ଅନୁମତି ମିଳିଛି। ତହିଁରେ ୧୩ଟି ସରକାରୀ ପରୀକ୍ଷା କେନ୍ଦ୍ର ଥିବା ବେଳେ ୪ଟି ଘରୋଇ ପରୀକ୍ଷା କେନ୍ଦ୍ର ରହିଛି। କୋଭିଡ୍‌ ପରୀକ୍ଷା ପାଇଁ ଆରଟି-ପିସିଆର ପରୀକ୍ଷାକୁ ସର୍ବୋଚ୍ଚ ଗୁରୁତ୍ବ ଦିଆଯାଉଛି। ରାଜ୍ୟରେ ଆରଏମ୍‌ଆରସି, ଏମ୍‌ସ ଭୁବନେଶ୍ବର, ଆପୋଲୋ ହସ୍ପିଟାଲ, ସମ୍ ହସ୍ପିଟାଲ, କିଟ୍ ଭୁବନେଶ୍ବର, ଏସ୍‌ସିବି ମେଡିକାଲ କଲେଜ, ଏମ୍‌କେସିଜି, ଆଇଜିଏଚ୍ ରାଉରକେଲା, ଭିମସାର ବୁର୍ଲା, ଜୀବ ବିଜ୍ଞାନ ପ୍ରତିଷ୍ଠାନ, ଆଇସିଏଆର, ଆଇଜର ବ୍ରହ୍ମପୁର, ଭୀମଭୋଇ ମେଡିକାଲ କଲେଜ ବଲାଙ୍ଗୀରରେ ଆରଟି-ପିସିଆର ପରୀକ୍ଷାକୁ ଅନୁମତି ମିଳିଛି। ଏହାସହ କୋରାପୁଟ ମେଡିକାଲ କଲେଜ, ଆରଏମ୍‌ଆରସିର କଳାହାଣ୍ଡିସ୍ଥିତ ଟ୍ରାଇବାଲ ଫିଲ୍‌ଡ ୟୁନିଟ୍‌ ଓ ରାୟଗଡ଼ାସ୍ଥିତ ଟ୍ରାଇବାଲ ଫିଲ୍‌ଡ ୟୁନିଟ୍‌ରେ ଟ୍ରୁନାଟ୍‌ ଓ ଆମ୍ରି ହସ୍ପିଟାଲରେ ସିବିନାଟ୍‌ ମେସିନ୍‌ ସହାୟତାରେ କୋଭିଡ ପରୀକ୍ଷା ପାଇଁ ଅନୁମତି ଦିଆଯାଇଛି। ମାତ୍ର ରାଜ୍ୟରେ ଏବେ ୧୩ଟି କେନ୍ଦ୍ରରେ କୋଭିଡ୍‌ ନମୁନା ପରୀକ୍ଷା କରାଯାଉଛି।

ଗତ ୨୪ତାରିଖରେ ରାଜ୍ୟରେ ୩୯୪୨, ୨୫ରେ ୩୮୧୯, ୨୬ରେ ୪୬୭୯, ୨୭ରେ ୩୦୩୭ ଓ ଗତକାଲି ୪୨୫୯ କୋଭିଡ ନମୁନା ପରୀକ୍ଷା କରାଯାଇଛି। ଚଳିତ ମାସ ୧୯ ତାରିଖରେ ରାଜ୍ୟରେ ସର୍ବାଧିକ ୫୬୧୨ କୋଭିଡ୍‌ ନମୁନା ପରୀକ୍ଷା ହୋଇଥିଲା। ଏହାର ପରଦିନ ଅର୍ଥାତ୍ ୨୦ ତାରିଖରେ ରାଜ୍ୟରେ ମାତ୍ର ୨୫୧୮ ନମୁନା ପରୀକ୍ଷା ହୋଇଥିଲା।

publive-image

ରାଜ୍ୟରେ ଏବେ ପ୍ରବାସୀ ଓଡ଼ିଆଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏ ପର୍ଯ୍ୟନ୍ତ ପ୍ରାୟ ୪ଲକ୍ଷ ପ୍ରବାସୀ ଓଡ଼ିଆ ରାଜ୍ୟକୁ ଫେରିଥିବାରୁ ହଠାତ୍ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ବଢ଼ି ଯାଇଥିଲା। ଏଭଳି ପରିସ୍ଥିତିରେ କମ୍ ସଂଖ୍ୟା‌ରେ କୋଭିଡ୍‌ ନମୁନା ପରୀକ୍ଷା ହେବା ଫଳରେ ଲକ୍ଷଣ କିମ୍ବା ଲକ୍ଷଣ ନ ଥିବା ଓ ପଜିଟିଭ୍‌ ଚିହ୍ନଟ ବ୍ୟକ୍ତିଙ୍କ ପ୍ରାଇମେରି ଓ ସେକେଣ୍ଡାରି କଣ୍ଟାକ୍ଟମାନଙ୍କ ପରୀକ୍ଷା ପାଇଁ ଦୀର୍ଘ ଦିନ ଲାଗିବ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ଫଳରେ ରାଜ୍ୟରେ ସଂକ୍ରମଣ ବଢ଼ିବା ନେଇ ସୃଷ୍ଟି ହୋଇଥିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ମୁଖପାତ୍ର(ବୈଷୟିକ) ଡା. ଜୟନ୍ତ ପଣ୍ଡାଙ୍କ କହିବାନୁଯାୟୀ, ରାଜ୍ୟରେ କୋଭିଡ ନମୁନା ପରୀକ୍ଷାକୁ ଯଥେଷ୍ଟ ଗୁରୁତ୍ବ ଦିଆଯାଉଛି। ଏପରିକି ରାଜ୍ୟରେ ନମୁନା ପରୀକ୍ଷା ଦେଶରେ ସର୍ବାଧିକ ରହିଛି। ତଥାପି ଅନେକ ବୈଷୟିକ କାରଣ ପାଇଁ ସବୁ ଦିନ ୫ହଜାର ନମୁନା ପରୀକ୍ଷା ହୋଇପାରୁନାହିଁ। ଏବେ ସଙ୍ଗରୋଧ କେନ୍ଦ୍ର, ଅବରୋଧ ଅଞ୍ଚଳ ଓ କଣ୍ଟାକ୍ଟମାନଙ୍କର ନମୁନା ପରୀକ୍ଷାକୁ ଗୁରୁତ୍ବ ଦିଆଯାଉଛି। ସବୁ ପ୍ରବାସୀମାନଙ୍କର ନମୁନା ପରୀକ୍ଷା ପାଇଁ କୌଣସି ସ୍ବତନ୍ତ୍ର ନୀତି ନାହିଁ। ବିଶ୍ବରେ ପ୍ରଥମଥର ଲାଗି ଚୀନ୍‌ର ଉହାନରେ କେବଳ ସବୁ ଲୋକମାନଙ୍କର ପରୀକ୍ଷା ପାଇଁ ନିଷ୍ପତ୍ତି ନିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ଲକ୍‌ଡାଉନ୍‌ ଓ ଅବରୋଧକୁ ଗୁରୁତ୍ବ ଦିଆଯାଉଥିଲା। ଏବେ ପରୀକ୍ଷାକୁ ଗୁରୁତ୍ବ ଦିଆଯାଇଛି। ରାଜ୍ୟକୁ ଯେଉଁ ଯେଉଁ ରାଜ୍ୟରୁ ଘରକୁ ଫେରୁଛନ୍ତି, ସେମାନଙ୍କୁ ଓଡ଼ିଶାରେ ହିଁ ପଜିଟିଭ୍‌ ଚିହ୍ନଟ କରାଯାଉଛି। ଅନ୍ୟ ରାଜ୍ୟରେ ପରୀକ୍ଷାକୁ ଗୁରୁତ୍ବ ଦିଆଯାଇ ନାହିଁ। ଖରାରେ ନମୁନା ସଂଗ୍ରହ, ପରୀକ୍ଷାଗାରକୁ ନମୁନା ପହଞ୍ଚିବା, ପରିବହନ ସମସ୍ୟା ଓ ମେସିନ୍‌ର ବୈଷୟିକ ସମସ୍ୟା ରହିଛି। ଅଧିକ ତାପମାତ୍ରା ପାଇଁ ଅନେକ ସମୟରେ ନମୁନା ନଷ୍ଟ ହୋଇଯାଉଛି। ଆଇସିଏମ୍‌ଆର ପକ୍ଷରୁ ରାଜ୍ୟରେ ଅଧିକ ପରୀକ୍ଷା କେନ୍ଦ୍ରକୁ ଅନୁମତି ମିଳିଥିଲେ ହେଁ ମେସିନ୍‌ର ଷ୍ଟାଣ୍ଡର୍ଡାଇଜେସନ୍ ସହ ସ୍ଥାନୀୟ କର୍ମଚାରୀଙ୍କୁ ତାଲିମ୍ ପାଇଁ ସମୟ ଲାଗୁଛି। ଆରଟି-ପିସିଆରକୁ ସର୍ବୋଚ୍ଚ ଗୁରୁତ୍ବ ଦିଆଯାଉଥିବା ବେଳେ ଟ୍ରୁନାଟ୍ କିମ୍ବା ସିବିନାଟ୍‌ରେ ଯେଉଁ ନମୁନା ପଜିଟିଭ୍‌ ଆସୁଛି, ତାହାକୁ ପୁନର୍ବାର ଆରଟି-ପିସିଆର ମେସିନ୍‌ରେ ପରୀକ୍ଷା କରାଯାଉଛି। ଫଳରେ ରିପୋର୍ଟ ଆସିବା ପାଇଁ କିଛି ସମୟ ଲାଗୁଛି। ଜୁନ୍‌ ମାସରେ ଦିନକୁ ୧୫ହଜାର ପରୀକ୍ଷା ପାଇଁ ଲକ୍ଷ୍ୟ ରହିଛି। ତେବେ ସବୁ ମେସିନ୍‌ କାର୍ଯ୍ୟକ୍ଷମ ଓ କର୍ମଚାରୀଙ୍କୁ ତାଲିମ ପ୍ରଦାନ କରାଯିବା ପରେ ତାହା ସମ୍ଭବ ହୋଇପାରିବ ଡା.ପଣ୍ଡା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe