ଏନ୍‌ଆଇଟି କ୍ୟାମ୍ପସ୍‌ ଛାଡ଼ିବା ପୂର୍ବରୁ ଛାତ୍ରଛାତ୍ରୀଙ୍କର ହେବ କୋଭିଡ୍‌ ଟେଷ୍ଟ୍‌

Advertisment
ଏନଆଇଟି ସଂକ୍ରମଣ ସଂଖ୍ୟା ୧୪କୁ ବଢ଼ିଲା

ରାଉରକେଲା: ରାଉରକେଲାସ୍ଥିତ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି)ରେ ଅନଲାଇନ୍‌ ପରୀକ୍ଷା ଆୟୋଜନ ପାଇଁ କର୍ତୃପକ୍ଷ ପଦକ୍ଷେପ ଆରମ୍ଭ କରିଦେଇଛନ୍ତି। ଅନଲାଇନ୍‌ରେ କିଭଳି ପରୀକ୍ଷା ପରିଚାଳିତ ହେବ, କିଭଳି ମୂଲ୍ୟାଙ୍କନ ହେବ ସେନେଇ ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇଯାଇଛି। ଏନେଇ ଏକ କମିଟି ଗଠିତ ହୋଇଛି। ଉକ୍ତ କମିଟିରେ ବରିଷ୍ଠ ପ୍ରଫେସର ନିଯୁକ୍ତ ଅଛନ୍ତି। ଅନଲାଇନ ପରୀକ୍ଷା ଆୟୋଜନ ପ୍ରକ୍ରିୟା ବିଷୟରେ ଏହି କମିଟି ଆସନ୍ତା ୭ ଦିନ ଭିତରେ ସବିଶେଷ ରିପୋର୍ଟ ଦାଖଲ କରିବେ। ପରେ ପରୀକ୍ଷାର ନୂତନ କାର୍ଯ୍ୟସୂଚୀ ନେଇ ବିଜ୍ଞପ୍ତି ପ୍ରକାଶ କରାଯିବବୋଲି କର୍ତୃପକ୍ଷ ସୂଚନା ଦେଇଛନ୍ତି। ଅନଲାଇନ୍‌ରେ ‌ପରୀକ୍ଷା ହେବାକୁ ଥିବାରୁ ଛାତ୍ରଛାତ୍ରୀ ଏବେ ଘରମୁହାଁ ହେଲେଣି। ତେବେ ହଷ୍ଟେଲ ଛାଡ଼ି ଘରକୁ ଯାଉଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ସ୍ବାବ୍‌ ନମୁନା ସଂଗ୍ରହ କରି କୋଭିଡ୍‌ ପରୀକ୍ଷା କରାଯିବ। ଏହି ପରୀକ୍ଷଣ ପ୍ରକ୍ରିୟା ଆରମ୍ଭ ହୋଇସାରିଲାଣି। ଗତକାଲି ପ୍ରାୟ ୬୫ ଜଣ ଛାତ୍ରଛାତ୍ରୀଙ୍କ କୋଭିଡ୍‌ ଟେଷ୍ଟ୍‌ କରାଯାଇଥିଲା। ଆଜି ପ୍ରାୟ ୨ଶହ ଲୋକଙ୍କ ସ୍ବାବ୍‌ ପରୀକ୍ଷା କରାଯାଇଥିବା ଜଣାପଡ଼ିଛି।

ପୂର୍ବ ବିଜ୍ଞପ୍ତି ଅନୁସାରେ, ଏପ୍ରିଲ ପହିଲାରୁ ଆରମ୍ଭ ହେବାକୁଥିବା ଅଫ୍‌ଲାଇନ୍‌ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ଅନୁଷ୍ଠାନକୁ ଆସିସାରିଥିଲେ। ତେବେ କ୍ୟାମ୍ପସ୍‌ରେ ୪ ଜଣ ଛାତ୍ରଛାତ୍ରୀ ଆକ୍ରାନ୍ତ ହେବାପରେ ଛାତ୍ରମହଲରେ ଅସନ୍ତୋଷ ଦେଖାଦେଇଥିଲା। ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ଛାତ୍ରଛାତ୍ରୀ ଅଫଲାଇନ୍‌ ବଦଳରେ ଅନଲାଇନ୍‌ ପରୀକ୍ଷା କରିବାକୁ ଦାବି କରିଥିଲେ। ଏନେଇ ଗତକାଲି ଅପରାହ୍ନରେ ଅନୁଷ୍ଠିତ ସିନେଟ୍‌ ବୈଠକ ଦାବିକୁ କର୍ତୃପକ୍ଷ ମାନିନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe