ସେରମ୍ ସିଇଓଙ୍କ ସହ କଥା ‌ହେଲେ ମୁଖ୍ୟମନ୍ତ୍ରୀ, ନଭେମ୍ବରରେ ଆସିବ ଟିକା

Advertisment

ଆଗୁଆ ଟିକାକରଣ ପାଇଁ ଓଡ଼ିଶାର ଯୋଜନା, ଟିକା ମୂଲ୍ୟ ୧୦୦୦ ଟଙ୍କା ହୋଇପାରେ

ଆଗୁଆ ଟିକାକରଣ ପାଇଁ ଓଡ଼ିଶାର ଯୋଜନା, ଟିକା ମୂଲ୍ୟ ୧୦୦୦ ଟଙ୍କା ହୋଇପାରେ

ସେରମ୍ ସିଇଓଙ୍କ ସହ କଥା ‌ହେଲେ ମୁଖ୍ୟମନ୍ତ୍ରୀ, ନଭେମ୍ବରରେ ଆସିବ ଟିକା

ଭୁବନେଶ୍ୱର : କରୋନାକୁ ନେଇ ସବୁସ୍ତରରେ ଆତଙ୍କ ଖେଳିଯାଇଥିବା ବେଳେ ଓଡ଼ିଶା ପାଇଁ ଆଜି ଭଲ ଖବର ଆସିଛି। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ସହ ମିଳିତ ଉଦ୍ୟମରେ ଭାରତର ସେରମ୍‌ ଇନଷ୍ଟିଚ୍ୟୁଟ୍ ପ୍ରସ୍ତୁତ କରୁଥିବା କୋଭିଡ୍‌ ଟିକା ସଫଳ ହେଲେ ପ୍ରଥମ ପର୍ଯ୍ୟାୟରେ ଅର୍ଥାତ୍ ଆସନ୍ତା ନଭେମ୍ବର ବେଳକୁ ଓଡ଼ିଶା ଆସିପାରେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏ ଦିଗରେ ଏକ ବଡ଼ ପଦକ୍ଷେପ ନେଇ ଆଗତୁରା ସେରମ୍ ଇନଷ୍ଟିଚ୍ୟୁଟ୍ ସିଇଓ (ମୁଖ୍ୟ କାର୍ଯ୍ୟନିର୍ବାହୀ) ଅଦାର ପୁନାଵାଲାଙ୍କ ସହିତ ଆଲୋଚନା କରିଛନ୍ତି। ଶ୍ରୀ ପଟ୍ଟନାୟକ ଭିଡିଓ କଲ୍ ମାଧ୍ୟମରେ ଆଲୋଚନା କରିବା ବେଳେ କୋଭିଡ ଟିକାର ଅଗ୍ରଗତି ସଂପର୍କରେ ପଚାରି ବୁଝିଥିଲେ ଓ କେନ୍ଦ୍ର ସରକାରଙ୍କ ଆବଶ୍ୟକ ଅନୁମତି ମିଳିବା ପରେ ଓଡ଼ିଶାରେ କିଭଳି ପ୍ରଥମେ ଟିକାକରଣ କାମ ଆରମ୍ଭ ହୋଇପାରିବ, ସେ ନେଇ ପୁନାଵାଲାଙ୍କୁ ସହଯୋଗ କରିବା ଲାଗି ନିବେଦନ କରିଥିଲେ। କେବଳ ସେତିକି ନୁହେଁ, ମୁଖ୍ୟମନ୍ତ୍ରୀ ଏକଥା ବି କହିଥିଲେ ଯେ ରାଜ୍ୟ ସରକାର ତାଙ୍କ ସହିତ ନିୟମିତ ଯୋଗାଯୋଗରେ ରହିବେ। ଶ୍ରୀ ପୁନାୱାଲାଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପକୁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ପ୍ରଶଂସା କରିଥିଲେ।

ଅନ୍ୟପକ୍ଷରେ କରୋନା ମୁକାବିଲା ପାଇଁ ଓଡିଶା ସରକାର ନେଇଥିବା ପଦକ୍ଷେପକୁ ପୁନାୱାଲା ପ୍ରଶଂସା କରିଥିଲେ। ଆଲୋଚନା ବେଳେ କହିଥିଲେ ଯେ ପ୍ରସ୍ତୁତ କରାଯାଉଥିବା ଟିକାର ପ୍ରଥମ ପର୍ଯ୍ୟାୟ ପରୀକ୍ଷା ସକାରାତ୍ମକ ଫଳାଫଳ ଦେଉଛି। ଭାରତରେ ପରବର୍ତ୍ତୀ ପର୍ଯ୍ୟାୟ ପରୀକ୍ଷା ଅଗଷ୍ଟ ମଧ୍ୟଭାଗରୁ ଆରମ୍ଭ ହେବ ଏବଂ ଏହି ଟିକା ଚଳିତ ବର୍ଷ ଅକ୍ଟୋବର/ନଭେମ୍ବର ସୁଦ୍ଧା ପ୍ରସ୍ତୁତ ହେବ। ଓଡ଼ିଶା ସରକାରଙ୍କୁ ସହଯୋଗ କରିବାକୁ ସେ ଆଗ୍ରହୀ ବୋଲି ମଧ୍ୟ ଆଲୋଚନା ଛଳରେ ସୂଚାଇଥିଲେ ଓ ପରେ ଟ୍ବିଟ୍ ମଧ୍ୟ କରିଥିଲେ।

ଏହି ଆଲୋଚନା ସମୟରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଆର ବାଲକ୍ରିଷ୍ଣନ୍, ସ୍ୱାସ୍ଥ୍ୟ ବିଭାଗ ଦାୟିତ୍ବରେ ଥିବା ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏବଂ ସଚିବ (୫ଟି) ଭି କାର୍ତିକେୟନ୍ ପାଣ୍ଡିଆନ୍ ପ୍ରମୁଖ ଉପସ୍ଥିତ ଥିଲେ।

ଉଲ୍ଲେଖଥାଉକି, ସେରମ୍ ଇନଷ୍ଟିଚ୍ୟୁଟ୍ ବିଶ୍ବର ପ୍ରମୁଖ ଟିକା ଉତ୍ପାଦନକାରୀସଂସ୍ଥା ଭାବେ ଜଣାଶୁଣା. ଏହି ସଂସ୍ଥା ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ସହଯୋଗରେ କୋଭିଡ୍ ଟିକା ପ୍ରସ୍ତୁତ କରୁଛନ୍ତି, ଯାହା ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରଭାବୀ ସାବ୍ୟସ୍ତ ହୋଇଛି। ନିକଟରେ ଏକ ସାକ୍ଷାତକାରରେ ପୁନାୱାଲା କହିଛନ୍ତି ଯେ ଯେତିକି ଟିକା ଉତ୍ପାଦନ କରାଯିବ, ସେଥିରୁ ୫୦ ପ୍ରତିଶତ ଭାରତ ପାଇଁ ରହିବ। ସଂପ୍ରତି ଏହି ସଂସ୍ଥା ବିଶ୍ବର ୧୪୦ଟି ଦେଶକୁ ତାର ଅନ୍ୟ ଟିକା ଦେଉଛି। ସଂସ୍ଥାର ପ୍ରାୟ ୮୫ ପ୍ରତିଶତ ରାଜସ୍ବ ବିଦେଶରୁ ଆସୁଛି।

୨୦୧୪ରେ ସେରମ୍ ପ୍ରତିଷ୍ଠାନ ଓରାଲ୍ ପୋଲିଓ ଟିକା ପ୍ରସ୍ତୁତ କରିଥିଲେ ଓ ସେ ସମୟରେ ବିଶ୍ବରେ ଏହି ଟିକାର ଗୁରୁତର ଅଭାବକୁ ଦୂର କରାଯାଇପାରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe