କରୋନା ଯୋଦ୍ଧାଙ୍କୁ ନ୍ୟାୟ କିଏ ଦେବ? ଚାରି ମାସର ଲଢ଼େଇ, ୪.୫ କୋଟି ଛଟପଟ

Advertisment
ହଟିଲାନି ଲକ୍‌ଡାଉନ୍, ରାଜଧାନୀବାସୀ ନିରାଶ

ଚାରି ମାସ ଧରି ଯୁଝୁଛନ୍ତି, ବିଶ୍ରାମ ନାହିଁ
କେତେ ଭୀଷଣ ହେଲେ ଅମାନିଆ ଚେତିବେ?
ତାକତ ଦେଖାଉଛନ୍ତି ଦୁର୍ନୀତିଗ୍ରସ୍ତ, ପ୍ରଭାବଶାଳୀ

ଭୁବନେଶ୍ୱର,(ଭବାନୀ ଶଙ୍କର ତ୍ରିପାଠୀ) : ୨୦୨୦ ମାର୍ଚ୍ଚ ୨୫ ତାରିଖ। ସେ ପର୍ଯ୍ୟନ୍ତ ରାଜ୍ୟ ସରକାର ସମୁଦାୟ ୧୬୩ଟି ନମୁନା ପରୀକ୍ଷଣ କରିଥିଲେ। ମାତ୍ର ୨ଜଣ କରୋନା ସଂକ୍ରମିତ ଥିବା ଜଣାପଡ଼ିଥିଲା। ଯଦିଓ ଓଡ଼ିଶା ସରକାର ଲକ୍‌ଡାଉନ୍ ପରମ୍ପରା ଆରମ୍ଭ କରିସାରିଥିଲେ। ହେଲେ ୨୫ତାରିଖ ଦିନଟି ଏଇଥିପାଇଁ ଗୁରୁତ୍ବପୂର୍ଣ୍ଣ, କାରଣ କରୋନା ଭୀଷଣ ରୂପ ନେବ ବୋଲି ଆଶଙ୍କା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେହିଦିନଠାରୁ ଦେଶରେ ତାଲାବନ୍ଦ ପ୍ରକ୍ରିୟା ଆରମ୍ଭ କରିଥିଲେ। ସବୁ ଠପ୍ ହୋଇଗଲା।

publive-image Spectrum MDX

୨୦୨୦ ଜୁଲାଇ ୨୫ ତାରିଖ। ଆଜି ଦିନର ଓଡ଼ିଶା ସରକାରଙ୍କ ପରିସଂଖ୍ୟାନ ହେଉଛି, ୪ଲକ୍ଷ ୪୬ ହଜାର ୩୧୧ଟି ନମୁନା ପରୀକ୍ଷା ହୋଇଛି। ୨୪୦୧୩ ଜଣଙ୍କ ଠାରେ କରୋନା ପଜିଟିଭ୍ ରହିଛି। ପୂରା ୩୦ଟି ଜିଲ୍ଲାରେ କରୋନା ଭୂତାଣୁ ରାଜ୍ କରୁଛି। ୧୭ ଜିଲ୍ଲାରୁ ୧୩୦ ଜଣ ପ୍ରାଣ ହରାଇ ସାରିଲେଣି। ଅଣ କୋଭିଡ୍ ମୃତ୍ୟୁ ସଂଖ୍ୟା ୩୩। ଏବେ ବି ୭୯୨୧ଟି କରୋନା ଆକ୍ରାନ୍ତ ବିଭିନ୍ନ କୋଭିଡ୍ ହସ୍ପିଟାଲ, ଘରେ ଚିକିତ୍ସାରେ ଅଛନ୍ତି।

ଏହି ୪ମାସର କରୋନା କାଳ ଓଡ଼ିଶାର ଜନଜୀବନ, ରାଜନୀତି ଠାରୁ ଆରମ୍ଭ କରି ଅର୍ଥନୀତି, ସାମାଜିକ ଜୀବନ, ଶିକ୍ଷା, ସଂସ୍କୃତି ସବୁକୁ ଓଲଟପାଲଟ କରିଦେଲାଣି। କାହା ପାଇଁ ସର୍ବନାଶ ପାଲଟିଛି, ଆଉ କାହା ପାଇଁ ପୁଷମାସ।

publive-image Daily Mail India

ଗୋଟିଏ ପଟେ ହଜାର ହଜାର ସରକାରୀ ଡାକ୍ତର ଓ ପୁଲିସ କରୋନା ଯୋଦ୍ଧା ସାଜି ସଂକ୍ରମଣ ରୋକିବା ଲାଗି ଅର୍ହନିଶି ଉଦ୍ୟମ ଜାରି ରଖିଛନ୍ତି। ପରିବାର ଓ ନିଜ ଜୀବନକୁ ବାଜି ଲଗାଇ କରୋନାକୁ ପରାସ୍ତ କରିବା ପାଇଁ ପ୍ରାଣମୂର୍ଚ୍ଛା ଲଢେଇ କରୁଛନ୍ତି।

କେତେକଙ୍କୁ କରୋନା ଗ୍ରାସ କରିଛି ଓ ସେମାନେ ରାଜ୍ୟ ପାଇଁ ପ୍ରାଣ ଦେଇଛନ୍ତି। କରୋନା ଛୁଇଁଯିବ ବୋଲି ଭାବି ଯେତେବେଳେ ସମସ୍ତେ ସତର୍କ ଅଛନ୍ତି, କଟକଣା ଭିତରେ ନିଜେ ଓ ନିଜ ପରିବାରକୁ ରଖିବାକୁ ଚେଷ୍ଟା କରୁଛନ୍ତି, ସେତେବେଳେ କରୋନା ଛୁଇଁଥିବା ଲୋକଠାରୁ ତାକୁ ଛଡାଇ ଆଣିବା ଲାଗି ଏହି ଯୋଦ୍ଧାମାନେ ସୀମାରେ ଶତ୍ରୁପକ୍ଷ ବିରୋଧରେ ଲଢ଼ିବା ଭଳି ନିଜ ଜୀବନକୁ ବାଜି ଲଗାଇଛନ୍ତି। ସରକାର ସେମାନଙ୍କ ଲାଗି ପୁରସ୍କାର, ସମ୍ମାନ, ଆର୍ଥିକ ସହାୟତା ଘୋଷଣା କରିଛନ୍ତି ସତ, ହେଲେ ଯେଉଁ ମା’ ପାଖରୁ ପୁଅ ବା ଝିଅ ଦୂରେଇଯାଏ, ସ୍ବାମୀ-ସ୍ତ୍ରୀ ଅଲଗା ହୋଇଯାଆନ୍ତି ଏବଂ ପିଲାମାନେ ସବୁଦିନ ପାଇଁ ବାପା-ମାଆ ଛେଉଣ୍ଡ ହୋଇଯାଆନ୍ତି, ସେ କ୍ଷତି ଏହା ତୁଳନାରେ କ’ଣ?

ସରକାରଙ୍କ ଯୋଜନାରେ ତ୍ରୁଟି ଥାଇପାରେ, କାର୍ଯ୍ୟାନ୍ବୟନ ବିଳମ୍ବ ହୋଇପାରେ ହେଲେ କରୋନା ଯୋଦ୍ଧାମାନଙ୍କ ତ୍ୟାଗ ଏ ରାଜ୍ୟ ଗତ ୪ମାସ ଧରି ଅଙ୍ଗେ ନିଭାଉଛି। ସେମାନେ ହାଲିଆ ହୋଇଗଲେ ବି ଥକ୍କା ମେଣ୍ଟାଇବାକୁ ଛୁଟିରେ ଯାଇନାହାନ୍ତି କି କରୋନାକୁ ଡରି ଲୁଚିନାହାନ୍ତି।

publive-image

ଅନ୍ୟପଟେ ଥୋକାଏ ସବୁଜାଣି, ସଚେତନ ଥିବା ସତ୍ତ୍ବେ ସବୁ କଟକଣାକୁ ଭାଙ୍ଗି ସଂକ୍ରମଣକୁ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନ ପର୍ଯ୍ୟନ୍ତ ଡିଆଁଇବାରେ ଲାଗିଛନ୍ତି। କାହା କଥା ମାନୁନାହାନ୍ତି। ପୁଲିସକୁ ଚକମା ଦେଇ ରାସ୍ତାରେ ବୁଲୁଛନ୍ତି। ପରିବା ବଜାରରେ ଘଣ୍ଟା ଘଣ୍ଟା ବିତାଉଛନ୍ତି। କିଏ ମିଛ ସାମ୍ବାଦିକ ବୋଲି ପରିଚୟ ଦେଲାଣି ତ ଆଉ ନିଜ ପ୍ରଭାବ ବଳରେ ପୁଲିସକୁ ପ୍ରଭାବିତ କରି ନିଜ ସପକ୍ଷରେ ପାସ୍ ନେଲାଣି। ମାଛ ମାର୍କେଟରେ ଆଜି ଭିଡ କିଛି କିଛି ସମୟରେ ସୀମା ଲଂଘୁଛି। ରାସ୍ତା, ଗଳି କନ୍ଦି, ପରିବା ହାଟରେ, ସବୁଠି। କରୋନା କଟକଣା ଜନିତ ସାମାଜିକ ଦୂରତାକୁ ଯେମିତି ବେଖାତିକ କରୁଛନ୍ତି, ଠିକ୍ ସେମିତି ୫ କୋଟିରୁ ଅଧିକ ଟଙ୍କାର ଜରିମାନା କେଉଁଠି ନା କେଉଁଠି ସୂଚାଇ ଦେଉଛି ଯେ ନିୟମର କେତେ ସାଂଘାତିକ ଭାବେ ଖୋଲା ଉଲ୍ଲଂଘନ ଚାଲିଛି।

କରୋନା ନିୟମ ଭାଙ୍ଗି, ନିଜ ନିଷ୍ପତ୍ତି ଠିକ୍ ବୋଲି ସାବ୍ୟସ୍ତ କରିବା ଲାଗି ଯେଉଁମାନେ ପଣ କରି ଗୋଟିଏ ପରେ ଗୋଟିଏ ନିଷ୍ପତ୍ତି ନେଇ ଚାଲିଛନ୍ତି, ସେହି ପ୍ରଭାବଶାଳୀମାନଙ୍କୁ ଅନ୍ୟର ଜୀବନକୁ ବିପଦକୁ ଠେଲିଦେବା ଲାଗି କିଏ ଅନୁମତି ଦେଲା? ସେମାନଙ୍କ କାରଣରୁ ଏବେ ରାଜ୍ୟର ସାଢେ ଚାରି କୋଟି ଲୋକ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି। ଏହାର ମୂଲ୍ୟ କିଏ ଦେବ?

କ୍ଷତି ଏଭଳି ସ୍ଥିତିରେ ପହଞ୍ଚିଲାଣି ଯେ ଲକ୍ଷ ଲକ୍ଷ ମୁରବୀଙ୍କ ହାତରୁ କାମ ଚାଲିଯାଇଛି, ସେମାନେ ହାତ ବାନ୍ଧିବସିଛନ୍ତି। ରାଜ୍ୟର ଆର୍ଥିକ ମେରୁଦଣ୍ଡ ଦୋହଲିଲାଣି, ଗରିବ, ଖଟିଖିଆ, ମଧ୍ୟବିତ୍ତଙ୍କ ସ୍ଥିତି ଆହୁରି ସାଂଘାତିକ। ପେଟ ଉପରେ ସାଂଘାତିକ ମାଡ଼ ପଡ଼ିଲାଣି।

publive-image

ନୂଆକରି ସ୍କୁଲ ଯିବାପାଇଁ ସ୍ବପ୍ନ ଦେଖିଥିବା କୁନି ଛୁଆ କମ୍ପ୍ୟୁଟର, ମୋବାଇଲ୍ ସ୍କ୍ରିନରେ ତାର ଗୁରୁମା ବା ମାମ୍‌ଙ୍କୁ ଦେଖୁଛି। ଗତବର୍ଷର ଅଧା ପରୀକ୍ଷା ହେବକି ନାହିଁ, ତାହା ସ୍ଥିର ହୋଇପାରୁନାହିଁ। ହୋଇଥିବା ପରୀକ୍ଷା ଫଳ ପ୍ରକାଶ ପାଇପାରୁନାହିଁ। ଯେଉଁମାନେ ଏବର୍ଷ ମାଟ୍ରିକ୍, ଯୁକ୍ତ ଦୁଇ ପରୀକ୍ଷା ଦେବେ, ସେମାନେ ତାଙ୍କ ଭବିଷ୍ୟତକୁ ନେଇ ଚିନ୍ତାେର ପଡ଼ିଗଲେଣି। ଧାର୍ମିକ ପୂଜା ପାଠ ବନ୍ଦ, ସାଂସ୍କୃତିକ ସଭା, ପୁରସ୍କାର ବଣ୍ଟନ, ସ୍ବୀକୃତି ସବୁ ଅଟକିଯାଇଛି। ଗମନାଗମନ ଠପ୍ କାରଣରୁ ଜୀବନଯାତ୍ରା ସ୍ବାଭାବିକ ହୋଇପାରୁନି। ସବୁଠାରୁ ବଡ଼ କଥା ହେଲା, ଜନ୍ମ ଓ ମୃତ୍ୟୁ ପ୍ରକ୍ରିୟା ବି ପ୍ରଭାବିତ ହେଲାଣି। ଡେଲିଭରି ସମୟରେ ମାଆଟିଏ ହସ୍ପିଟାଲରେ ପହଞ୍ଚିବା ଯେଭଳି କାଠିକର ପାଠ ହୋଇପଡ଼ିଛି, ଠିକ୍ ସେମିତି ଗୁରୁଜନଙ୍କ ଅନ୍ତ୍ୟେଷ୍ଟିରେ ପରିବାର ଓ ବନ୍ଧୁ ପରିଜନଙ୍କ ଅନୁପସ୍ଥିତି ସେତିକି ବ୍ୟଥିତ କରୁଛି।

କରୋନା ଯୋଦ୍ଧାଙ୍କର ଲଢେଇ କେବେ ସରିବ, ତାହା କାହାକୁ ମାଲୁମ୍ ନାହିଁ। ସରକାର, ବିଶେଷଜ୍ଞ ସମସ୍ତେ ଏ ନେଇ ଅନ୍ଧାରରେ ଅଛନ୍ତି। ୪ମାସ ଧରି କରୋନାର ଭୟାବହତା ଦେଖିବା ପରେ ବି ଅମାନିଆ ସୁଧୁରିବାର ନାଁ ଧରୁନାହାନ୍ତି। ଏଭଳି ଏକ ଭୟଙ୍କର ବିପର୍ଯ୍ୟୟ ଭିତରେ ଯେତେବେଳେ ବ୍ୟକ୍ତି-ବ୍ୟବସ୍ଥା ଉଭୟ ଜୀବନ-ଜୀବିକାକୁ ନେଇ ଯୁଝୁଛନ୍ତି, ତଥାକଥିତ ଦୁର୍ନୀତିଗ୍ରସ୍ତମାନେ ଲୁଟିବାକୁ ଭୁଲୁନାହାନ୍ତି। କିଏ ଖଟିଆ କିଣାରେ ଚର୍ଚ୍ଚାକୁ ଆସିଲେଣି, ଆଉ କେଉଁଠି ମାସ୍କ ଆଦିକୁ ନେଇ କେଳେଙ୍କାରୀର ଗନ୍ଧ ଉଠୁଛି। ବିରୋଧୀ ଗର୍ଜନ୍ତୁ ଅଥବା ସରକାର କାର୍ଯ୍ୟାନୁଷ୍ଠାନ ନିଅନ୍ତୁ; ଉଭୟ କଥାରେ କରୋନା ଯୋଦ୍ଧାକୁ ନ୍ୟାୟ ମିଳିବାର ନାହିଁ କିମ୍ବା ସାଧାରଣ ଲୋକଙ୍କର ଯନ୍ତ୍ରଣା ଉପସମ ହେବାର କୌଣସି ସମ୍ଭାବନା ନାହିଁ। ୪ମାସ ପରେ ବି କେହି ସୁଧୁରିବେନି? ଆହୁରି ଅନୁଶାସନ ଦରକାର? ବ୍ୟକ୍ତିଗତ ଓ ସାମଗ୍ରିକ ଭାବେ କେତେ କ୍ଷତି ହେଲେ ଚେତିବେ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe