କେନ୍ଦ୍ର ତ‌ାଲିକାରେ ଓଡ଼ିଶାରୁ ୧୬ ହସ୍ପିଟାଲର କୋଭିଡ୍‌ ଯୋଦ୍ଧା

ଦେଶରେ ଅଧିକ ସଂଖ୍ୟକ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ୍ ଓଡ଼ିଶାରେ, ୮ କାର୍ଯ୍ୟକ୍ଷମ ହସ୍ପିଟାଲରେ ରହିଛି ୧୫୯୭ ଶଯ୍ୟା

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ତଥ୍ୟ ହାସଲ କରିବା ତଥା ତ୍ବରିତ ସୁବିଧା ପ୍ରଦାନ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଥିବା କୋଭିଡ ଯୋଦ୍ଧାଙ୍କ ଡାଟାବେସ୍ ବା ଅଭିକଳକ‌ରେ ସେଣ୍ଟ୍ରାଲ ପବ୍ଲିକ୍‌ ସେକ୍ଟର ଇଣ୍ଟରପ୍ରାଇଜେସ୍‌ (ସିପିଏସ୍‌ଇ) ପରିଚାଳିତ ଦେଶର ୨୦୧ଟି ହସ୍‌ପିଟାଲମାନଙ୍କର ବିବରଣୀ ପ୍ରଦାନ କରାଯାଇଛି। ଏହି ହସ୍‌ପିଟାଲମାନଙ୍କ ମଧ୍ୟରେ ଓଡ଼ିଶାର ୧୬ଟି ହସ୍‌ପିଟାଲ ରହିଥିବାବେଳେ ଏନ୍‌ଟିପିସିର ୪, ନାଲ୍‌କୋର ୨ଟି ତଥା ହିନ୍ଦୁସ୍ଥାନ ଏରୋନୋଟିକ୍ସ ଲିମିଟେଡ, ଆଇଓସିଏଲ୍‌ ଓ ସେଲ୍‌ର ଗୋଟିଏ ଲେଖାଏଁ ହସ୍‌ପିଟାଲ ଉପଲବ୍ଧ ରହିଥିବା ତାଲିକାରେ ଉଲ୍ଲେଖ ରହିଛି।

ସୂଚନା ଅନୁସାରେ,ହସ୍‌ପିଟାଲମାନଙ୍କରେ ବିଶେଷଜ୍ଞ ଡାକ୍ତର, ନର୍ସ, ପାରାମେଡ଼ିକାଲ କର୍ମଚାରୀ ‌, ଶଯ୍ୟା ସଂଖ୍ୟା, ଉପଲବ୍ଧ ହେଉଥିବା ଆଇସିୟୁ ଓ ଅକ୍ସିଜେନ୍‌ ଥେରାପି ସମ୍ପର୍କରେ ମଧ୍ୟ ବିବରଣୀ ପ୍ରଦାନ କରାଯାଇଛି। ସିପିଏସ୍‌ଇ ପରିଚାଳିତ ଓଡ଼ିଶାର ୧୬ଟି ହସ୍‌ପିଟାଲମାନଙ୍କରେ ସମୁଦାୟ ୧୨୧୧ଟି ଶଯ୍ୟା‌ ଉପଲବ୍ଧ ହେଉଛି। ସେଲ୍‌ ଦ୍ବାରା ପରିଚାଳିତ ରାଉରକେଲାର ଇସ୍ପାତ ଜେନେରାଲ ହସ୍‌ପିଟାଲରେ ସର୍ବାଧିକ ୬୦୦ଟି ବେଡର ବ୍ୟବସ୍ଥା ରହିଥିବାବେଳେ ବିଶେଷଜ୍ଞ ଡାକ୍ତର ଉପଲବ୍ଧ ଅଛନ୍ତି। ୧୬ଟି ହସ୍‌ପିଟାଲରେ ସମୁଦାୟ ୨୫୮ ଜଣ ଡାକ୍ତର ଓ ୨୦୮ ଜଣ ନର୍ସ ରହିଛନ୍ତି। ଓଡ଼ିଶାରେ ସିପିଏସ୍‌ଇ ପରିଚାଳିତ ୧୬ଟି ହସ୍‌ପିଟାଲ ବ୍ୟତୀତ ରାଉରକେଲାରେ ଗୋଟିଏ ଇଏସ୍‌ଆଇସି ହସ୍‌ପିଟାଲ, ସୁନାବେଡ଼ାରେ ପ୍ରତିରକ୍ଷା ବିଭାଗର ହାଲ୍‌ ହସ୍‌ପିଟାଲ, ଖୋର୍ଦ୍ଧାଠାରେ ରେଲୱେର ହସ୍‌ପିଟାଲ ତଥା ବନ୍ଦର ହସ୍‌ପିଟାଲ ତାଲିକାରେ ପାରାଦ୍ବୀପ ପୋର୍ଟ ଟ୍ରଷ୍ଟ ହସ୍‌ପିଟାଲର କୋଭିଡ଼ ଯୋଦ୍ଧାଙ୍କ ଡାଟାବେସ୍‌ରେ ସାମିଲ ରହିଛି। କରୋନା ମୁକାବିଲା ପାଇଁ ମାନବ ସମ୍ବଳର ଆବଶ୍ୟକତା ସହିତ ବିଭିନ୍ନ ଗତିବିଧିରେ ଜଡ଼ିତ ହେବା ପାଇଁ ସ୍ବାସ୍ଥ୍ୟ ସମ୍ପର୍କିତ ନେଟ୍‌ୱାର୍କରେ ହସ୍‌ପିଟାଲମାନଙ୍କର ଉପଲବ୍ଧତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ଦ୍ବାରା କ୍ରାଇସିସ୍‌ ମ୍ୟାନେଜ୍‌ମେଣ୍ଟ ଓ କନ୍‌ଟିଜେନ୍ସି ପ୍ଲାନ ପ୍ରସ୍ତୁତ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe