ସରିଯିବ କୋଭିସିଲ୍‌ଡ: ରାଜ୍ୟ ପାଖରେ ଅଛି ଦେଢ଼ ଲକ୍ଷରୁ କମ୍ ଡୋଜ୍

ପ୍ରିକସନ୍ ଡୋଜ୍ ଟିକାକରଣ ନେଇ ଆଶଙ୍କା, ୧.୯କୋଟି ଟଙ୍କାର ଟିକା ମାଗିଲା ଓଡ଼ିଶା

ସରିଯିବ କୋଭିସିଲ୍‌ଡ: ରାଜ୍ୟ ପାଖରେ ଅଛି ଦେଢ଼ ଲକ୍ଷରୁ କମ୍ ଡୋଜ୍

Image Courtesy of India Today

ଭୁବନେଶ୍ବର : ରାଜ୍ୟରେ ପାଖରେ ଅଛି ଏବେ ଦେଢ଼ ଲକ୍ଷରୁ କମ୍ କୋଭିସିଲ୍‌ଡ ଟିକା। ନିର୍ଦ୍ଦିଷ୍ଟ ଭାବେ କହିବାକୁ ଗଲେ ୧,୪୯,୫୮୦ ଡୋଜ୍। ଏଥିରେ ଆଉ ଦିନେ କିମ୍ବା ଦୁଇଦିନ ଟିକାକରଣ ହୋଇପାରିବ। ଗୋଟିଏ ପଟେ ରାଜ୍ୟରେ ପ୍ରିକସନ୍ ଡୋଜ୍ ପାଇଁ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଥିବା ବେଳେ ଆଗକୁ ଏହି ଟିକାକରଣ ବାଧାପ୍ରାପ୍ତ ଆଶଙ୍କା ସୃଷ୍ଟି ହୋଇଛି।

ଜୁଲାଇ ୧୫ତାରିଖରୁ ରାଜ୍ୟରେ ପ୍ରିକସନ୍ ଡୋଜ୍ ଟିକାକରଣ ଆରମ୍ଭ ହୋଇଛି। ଏବେ ଦିନକୁ ପ୍ରାୟ ୧ଲକ୍ଷ ଲୋକଙ୍କୁ ଦିଆଯାଉଛି। ଏଥିରେ କୋଭାକ୍ସିନ୍ ତୁଳନାରେ କୋଭିସିଲ୍‌ଡ ଡୋଜ୍ ଅଧିକ ଦିଆଯାଉଛି। ରାଜ୍ୟରେ ମୋଟ ୨.୬୫ କୋଟି ଲୋକଙ୍କୁ ପ୍ରିକସନ୍ ଡୋଜ୍ ଦିଆଯିବ। ଏହାସହ ରାଜ୍ୟରେ ଏବେ ୨୬ଲକ୍ଷ ଲୋକ ନିଜର ଦ୍ବିତୀୟ ଡୋଜ୍ ଟିକା ନେଇ ନାହାନ୍ତି। ରାଜ୍ୟ ପାଖରେ ଏବେ ଦେଢ଼ ଲକ୍ଷ କୋଭିସିଲ୍‌ଡ ଥିବାରୁ ଆସନ୍ତା ବୁଧବାର ବେଳକୁ ଟିକା ଶେଷ ହେବା ନେଇ ଆଶଙ୍କା କରାଯାଉଛି। ଟିକାକରଣ ଅଭାବକୁ ଏଡ଼ାଇବା ଲାଗି ରାଜ୍ୟ ସରକାର କେନ୍ଦ୍ରକୁ ୧.୯ କୋଟି ଟଙ୍କା ଯୋଗାଇଦେବାକୁ ଚିଠି ଲେଖିଛନ୍ତି। ଏଥିରେ ୧.୭୧ କୋଟି କୋଭିସିଲ୍‌ଡ ଓ ୧୮.୭୩ ଲକ୍ଷ କୋଭାକ୍ସିନ୍ ଡୋଜ୍ ରହିଛି। ସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କ ମତରେ ରାଜ୍ୟ ପାଖରେ ଏବେ ଯେତିକି କୋଭାକ୍ସିନ୍ ଟିକା ରହିଛି ତାହା ଆସନ୍ତା ୧୫ଦିନ ଭିତରେ ଶେଷ ହୋଇଯିବ। ତେବେ ଜରୁରୀଭାବେ କୋଭିସିଲ୍‌ଡ ଟିକା ଆବଶ୍ୟକତା ଥିବାରୁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। କେନ୍ଦ୍ରରୁ ଟିକା ଆସିବା ପରେ ପୂର୍ବଭଳି ପ୍ରିକସନ୍ ଡୋଜ୍ ଟିକାକରଣ ଜାରି ରହିବ। ସୂଚନାଯୋଗ୍ୟ ଯେ ରାଜ୍ୟରେ ୧୮ବର୍ଷରୁ ଅଧିକ ବର୍ତମାନ ସୁଦ୍ଧା ୫.୨୭ଲକ୍ଷ ପ୍ରିକସନ୍ ଡୋଜ୍ ଟିକା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe