ମହାପ୍ରଭୁଙ୍କ ସହ ଭାଇ-ଭାଇ ସଂପର୍କ ଏବେ ବି ଚାଲିଛି : ଜଗନ୍ନାଥ ସ୍ବାଇଁ ମହାପାତ୍ର (ଶ୍ରୀଜଗନ୍ନାଥଙ୍କ ବାଡ଼ଗ୍ରାହୀ)

Advertisment
ମହାପ୍ରଭୁଙ୍କ ସହ ଭାଇ-ଭାଇ ସଂପର୍କ ଏବେ ବି ଚାଲିଛି : ଜଗନ୍ନାଥ ସ୍ବାଇଁ ମହାପାତ୍ର (ଶ୍ରୀଜଗନ୍ନାଥଙ୍କ ବାଡ଼ଗ୍ରାହୀ)

ମହାପ୍ରଭୁଙ୍କ ସବୁ ସେବା ଆମର। ଶ୍ରୀଜଗନ୍ନାଥଙ୍କର ସର୍ବାଙ୍ଗ, ଖଳିଲାଗି, ଘଣାଲାଗି, ସବୁ ସେବାରେ ଆମର ସଂପୃକ୍ତି ରହିଛି। ଆମେ ତାଙ୍କର ଭାଇ ଭାବେ ସେବା କାର୍ଯ୍ୟ କରି ଆସୁଛୁ। ଭାଇ-ଭାଇ ସଂପର୍କ ଏବେ ବି ଚାଲିଛି। ୧୫ ଦିନ ମହାପ୍ରଭୁଙ୍କ ଗୁପ୍ତ ସେବା ଚାଲେ। ଅଣସରର ଏହି ୧୫ ଦିନ ଆମ ସାଙ୍ଗରେ ସେ ଲାଳନପାଳନ ହୁଅନ୍ତି, ମାନବୀୟ ଲୀଳାଖେଳା କରନ୍ତି ମହାପ୍ରଭୁ। ଦଇତାଙ୍କ ଘରେ ଆବାଳ ବୃଦ୍ଧ, ଏହି ସେବା କରି ଆସୁଛନ୍ତି। ୨ ମାସର ଛୁଆଠାରୁ ଆରମ୍ଭ କରି ୮୦ ବର୍ଷର ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଏହି ସେବା କରିଥାନ୍ତି। ଦଇତାପତିମାନେ ଶୁଦ୍ଧ ସୁଆର ସେବା ବି କରିଥାନ୍ତି। ଆମେ ଶ୍ରୀଜଗନ୍ନାଥଙ୍କ ଚିତା ଲାଗି କରିଥାଉ। ରାହୁରେଖା ଲାଗି, ପଇତା ଲାଗି ବି କରିଥାଉ। ଦଇତାପତିମାନେ ଶ୍ରୀଅଙ୍ଗ ସେବକ। ଏଣୁ ଯେତେବେ‌ଳେ ବି ମହାପ୍ରଭୁଙ୍କ ବିଗ୍ରହରେ କିଛି ଅସୁବିଧାରେ ହୋଇଛି, ଆମେ ସେବା କରିଛୁ। ମହାପ୍ରଭୁ ଭକ୍ତର ଭଗବାନ। ଦୁଇବର୍ଷ କୋଭିଡ ପାଇଁ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିପାରୁନଥିଲେ। ଏ ବର୍ଷ ଭକ୍ତମାନେ ମହାପ୍ରଭୁଙ୍କୁ ପାଖରୁ ଦେଖିବାର ସୌଭାଗ୍ୟ ଲାଭ କରିବେ।

ଏହି ସେବା ସମୟର ଅନେକ ଅନୁଭୂତି ଅଛି, ଯାହା ଅବର୍ଣ୍ଣନୀୟ। ସବୁବେଳେ ଆମେ ମହାପ୍ରଭୁଙ୍କ ସହ କଥା ହେଉଛୁ। ନବକଳେବର ସମୟରେ ଅନେକ ଅଭୁଲା କଥା ରହିଛି। ଜଗନ୍ନାଥଙ୍କ ଛଡ଼ା ଦୁନିଆରେ ଅନ୍ୟ କିଛି ନାହିଁ। ସିଏ ‌ହିଁ ଆମ ହର୍ତ୍ତା, କର୍ତ୍ତା, ଦୈବ ବିଧାତା। ସେ ହିଁ ଆମକୁ ଲାଳନପାଳନ କରିଥାନ୍ତି। ଶ୍ରୀଜଗନ୍ନାଥ ଆମର ଠିକଣା। ସେବାୟତଙ୍କ ଠିକଣା ବି ଶ୍ରୀଜଗନ୍ନାଥ। ଶ୍ରୀମନ୍ଦିରର ଏଭଳି ସେବା ସାରା ବିଶ୍ବରେ ବି କେଉଁଠାରେ ଦେଖିବାକୁ ‌ମିଳେନି। ଦୈନିକ ଏତେ ଭୋଗରାଗ, ଏତେ ବଡ଼ ଠାକୁର, ଏତେ ବଡ଼ ଦାଣ୍ଡ କେଉଁଠି ବି ନାହିଁ। ଯେଉଁ ମୁହୂର୍ତ୍ତରେ ତାଙ୍କୁ ଯିଏ ବି ଡାକିଛି, ସେ ଶୁଣିଛନ୍ତି। ପ୍ରଭୁଙ୍କ ଦେଖାହୋଇଛି। କୋଇଲି‌ ବୈକୁଣ୍ଠ ଯଜ୍ଞ ସମୟରେ ମହାପ୍ରଭୁଙ୍କ ସହ ପ୍ରତ୍ୟକ୍ଷ ଦେଖାହୋଇଛି।

ମହାପ୍ରଭୁଙ୍କ ସେବା ସହ ଗୋ-ସେବା ବି କରି ଆସୁଛି। ଦୀର୍ଘ ୫୦ ବର୍ଷ ହେଲାଣି ଏହି ସେବା କରୁଛି। ୫୦ ବର୍ଷ ତଳେ ୨/୪ଟି ଗାଈ ଥିଲେ। ସମୟକ୍ରମେ ଗୋସେବା ଜାରି ରହିବା ସହ ଏବେ ୨ଶହ ଗାଈଙ୍କ ସେବା କରିବାର ‌ସୌଭାଗ୍ୟ ପାଇଛି। ପିଲାଟି ବେଳୁ ମୁଁ ଗାଈଙ୍କୁ ବହୁତ ଭଲ ପାଏ। ବହୁତ ଭକ୍ତି, ଶ୍ରଦ୍ଧା କରେ। ଗୋମାତାଙ୍କୁ ଶ୍ରଦ୍ଧା, ଭକ୍ତିରେ ଅନେକ ଆନନ୍ଦ ମିଳେ। ଦୈନିକ ଆମ ପାଖକୁ ୨ଶହରୁ ଅଢ଼େଇ ଶହ ଲୋକ କ୍ଷୀର ନେବାକୁ ଆସନ୍ତି। ନିକଟରେ କୋଭିଡ୍‌ ଗଲା। କିନ୍ତୁ କାହାରିକୁ କେବେ ବି କୋଭିଡ୍‌ ସଂକ୍ରମଣ ହେବାର ଦେଖିନି। କେହି ବି ଏଠାକୁ ଆସି ଅସୁସ୍ଥତା ଅନୁଭବ କରିନାହାଁନ୍ତି। ‌ଗୋମାତାଙ୍କ ମଳ, ମୂତ୍ରରେ ଔଷଧୀୟ ଗୁଣ ଭରି ରହିଛି। ତା’ର ଗନ୍ଧ ଦେହକୁ ସୁସ୍ଥ ରଖେ। ଗୋମାତା ହିତକାରୀ। ଆଗରୁ ଘରେ ଘରେ ଗାଈ ରଖୁଥିଲେ। ଗୋ-ସେବା ବହୁ ପୁଣ୍ୟ ସେବା। ମୁଁ ୧୦/୧୨ ବର୍ଷରୁ ଗୋ-ସେବା ଆରମ୍ଭ କରିଥିଲି। ଗାଈଙ୍କ ପ୍ରତି ଭଲ ପାଇବା ଦେଖି ପିଲାବେଳେ ବାପା ୨ଶହ ଟଙ୍କା ଦେଇ ଗାଈ ଆଣିଥିଲେ। କିନ୍ତୁ ପ୍ରଥମେ ଗାଈକୁ ଆଣିବା ବେଳେ ସେ ପୁଣି କିଣିଥିବା ଲୋକଙ୍କ ଘରକୁ ପଳାଏ। କାନ୍ଦିବା ପରେ ବାପା ପୁଣି ଲୋକ ପଠାଇ ଗାଈକୁ ଘରକୁ ଆଣିଥାନ୍ତି। କ୍ରମେ ଗାଈଙ୍କ ସଂଖ୍ୟା ୨ଶହରେ ପହଞ୍ଚିଲାଣି। ଏମାନଙ୍କଠାରୁ ପ୍ରତିଦିନ ୭ରୁ ୮ କ୍ବିଣ୍ଟାଲ କ୍ଷୀର ଉତ୍ପାଦନ ହୁଏ।

-ଜଗନ୍ନାଥ ସ୍ବାଇଁ ମହାପାତ୍ର (ଶ୍ରୀଜଗନ୍ନାଥଙ୍କ ବାଡ଼ଗ୍ରାହୀ)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe