ପଲିଥିନ୍‌ ବିଷ: ମରୁଛନ୍ତି ବର୍ଷକୁ ୫ହଜାର ଗୋରୁ

Advertisment
ପଲିଥିନ୍‌ ବିଷ: ମରୁଛନ୍ତି ବର୍ଷକୁ ୫ହଜାର ଗୋରୁ

ଭୁବନେଶ୍ୱର : ପଲିଥିନ୍‌ ଗିଳିବା ଯୋଗୁଁ ରାଜ୍ୟରେ ବର୍ଷକୁ ପ୍ରାୟ ୫ହଜାର ଗାଈ ଗୋରୁ ମୃତ୍ୟୁବରଣ କରୁଛନ୍ତି । କେବଳ ଗାଈ ଗୋରୁ ନୁହନ୍ତି ମଣିଷ ସମାଜ ପାଇଁ ଅନ୍ୟତମ ମହାମାରୀ ପାଲଟିଥିବା ମାଲେରିଆ ଓ ଡେଙ୍ଗୁର କାରଣ ମଧ୍ୟ ବହୁ ସ୍ଥାନରେ ଏହି ପଲିଥିନ୍‌ ପାଲଟିଛି ।

ପଲିିଥିନ୍‌ ବନ୍ଦପାଇଁ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିବା ଦାବି ପତ୍ରରେ ଏଭଳି ସୂଚନା ଦେଇଛି ଓଡିଶା କୃଷକ ମହାସଂଘ । ମହାସଂଘର ସଭାପତି ବିଭୂଧେନ୍ଦ୍ର ପ୍ରତାପ ଦାସ କହିଛନ୍ତି ଯେ ରାଜ୍ୟକୁ ପ୍ରଦୂଷଣମୁକ୍ତ କରିବା ପାଇଁ ସରକାର ୨୦୦୪ ମସିହାରେ ପଲିଥିନ୍‌ ବ୍ୟାଗ ପ୍ରଚଳନକୁ ନିଷେଧ କରିଥିଲେ ମଧ୍ୟ ଅଦ୍ୟାବଧି ଏହା ବନ୍ଦହୋଇ ପାରିନାହିଁ । ଫଳରେ ଏଥିଯୋଗୁଁ ରାଜ୍ୟରେ ପରିବେଶ ଜନିତ ଅନେକ ଜଟିଳ ସମସ୍ୟା ଉପୁଜିବାରେ ଲାଗିଛି । ଦାବିପତ୍ରରେ ଦର୍ଶାଯାଇଛି ଯେ ଲୋକେ ପଲିଥିନ୍‌ ମୁଣାରେ ବର୍ଜ୍ୟବସ୍ତୁ ଭରି ସହରର ନାଳ ନର୍ଦ୍ଦମାକୁ ଫୋପାଡୁ ଥିବାରୁ ସେଗୁଡିକ ଅଧିକାଂଶ ସ୍ଥାନରେ ଜଳ ନିଷ୍କାସନରେ ବାଧା ସୃଷ୍ଟି କରୁଛି ।

publive-imageନାଳ ଗୁଡିକରେ ପାଣି ଓ ପଲିଥିନ୍‌ ମୁଣା ଜମି ରହୁଥିବାରୁ ସେଠାରେ ମଶାବଂଶ ବୃଦ୍ଧିପାଇଁ ସୁବିଧା ହେଉଛି । ଏହା ଫଳରେ ସହରରେ ବାତ, ମାଲେରିଆ ଓ ଡେଙ୍ଗୁ ଭଳି ରୋଗ ଦେଖାଦେଉଛି। କେବଳ ମଶା ବଂଶ ବୃଦ୍ଧି ନୁହେଁ, ପଲିଥିନ୍‌ ମୁଣାରେ ପଶିଥିବା ବିଭିନ୍ନ ଖାଦ୍ୟ ସାମଗ୍ରୀ ଓ ପରିବା ଚୋପାକୁ ଗାଈ ଗୋରୁମାନେ ଖାଇ ଦେଉଥିବାରୁ ପରବର୍ତ୍ତ ସମୟରେ ପେଟଫୁଲା ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁମୁଖରେ ପଡୁଛନ୍ତି । ଏଥିଯୋଗୁଁ ରାଜ୍ୟରେ ବର୍ଷକୁ ପ୍ରାୟ ୫ହଜାର ଗାଈ ଗୋରୁ ମରୁଥିବା ମହାସଂଘ ପକ୍ଷରୁ ଦର୍ଶାଯାଇଛି । ଯଦି ପଲିଥିନ୍‌ ଉପରେ ସରକାର କଡ଼ା କଟକଣା ଜାରି ନକରନ୍ତି ତେବେ ସ୍ୱଚ୍ଛଭାରତ ଯୋଜନାର ସୁଫଳ ମିଳିପାରିବ ନାହିଁ ବୋଲି ମଧ୍ୟ ଦାବିପତ୍ରରେ କୁହାଯାଇଛି।

publive-imageପଲିଥିନ୍‌ ରୋକିବା ଲାଗି କୃଷକ ମହାସଂଘ ସରକାରଙ୍କୁ କେତେ ଗୁଡିଏ ପ୍ରସ୍ତାବ ଦେଇଛି । ଏଥିମଧ୍ୟରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀଙ୍କ ଅଧ୍ୟକ୍ଷତାରେ ମହାନଗର ନିଗମ ଓ ପୌର ପରିଷଦର ସ୍ୱାସ୍ଥ୍ୟ ଅଧିକାରୀ, ପୁଲିସ୍‌ ଅଧିକାରୀ, ବିକ୍ରିକର ଅଧିକାରୀଙ୍କୁ ନେଇ ଟାସ୍କଫୋର୍ସ ଗଠନ କରାଯାଉ। ଏହି ଟାସ୍କଫୋର୍ସ ଦ୍ୱାରା ନିୟମିତ ଭାବେ ପଲିଥିନ୍‌ ବ୍ୟାଗ୍‌ ମହଜୁଦକାରୀଙ୍କ ଗୋଦାମ ଘର ଖାନତଲାସ କରାଗଲେ ସରକାର ଲାଗୁ କରିଥିବା କଟକଣା ସଫଳ ହେବ ବୋଲି କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe