ବନ୍ୟାରେ ଧୋଇଗଲା ୧୪୮୯୦ ଗୁହାଳ, ଖୋଲା ଆକାଶ ତଳେ ଗୋରୁଗାଈ

ମନରେଗାରେ ଗୁହାଳ ଯୋଗାଇବାକୁ ଜିଲ୍ଲାପାଳଙ୍କ ନିର୍ଦେଶ

ବନ୍ୟାରେ ଧୋଇଗଲା ୧୪୮୯୦ ଗୁହାଳ, ଖୋଲା ଆକାଶ ତଳେ ଗୋରୁଗାଈ

ଯାଜପୁର(ଅନିଲ କୁମାର ପଣ୍ଡା): ଗତ ବନ୍ୟାରେ ଯାଜପୁର ଜିଲ୍ଲାର ଅଧିକାଂଶ ବ୍ଲକ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। କେଉଁଠାରେ କୋଠାଘର ପାଣିରେ ଭାସି ଯାଇଛି ତ କେଉଁଠାରେ ଝାଟିମାଟି ଘର ମାଟିରେ ଲୋଟିଛି। ବନ୍ୟାର ଏହି ପ୍ରଳୟ ଭିତରେ ବାଦ୍ ପଡ଼ିନାହିଁ ଗୋରୁ ଗୁହାଳ। ସାଧାରଣତଃ ଜିଲ୍ଲାରେ ଅଧିକାଂଶ ଗୁହାଳ ଝାଟିମାଟି କାନ୍ଥ ଓ ନଡାଛପର ହୋଇଥିବା ବେଳେ କେତେକ ସ୍ଥାନରେ ଇଟାକନ୍ଥର ଗୁହାଳ ରହିଛି।
ଗତବନ୍ୟା ଯୋଗୁ ଜିଲ୍ଲାର ୮ଟି ତହସିଲ ଅଧୀନରେ ୧୪୮୯୦ଟି ଗୁହାଳ ନଷ୍ଟ ହୋଇଥିବା ବିଭିନ୍ନ ତହସିଲଦାରଙ୍କ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ତେବେ କେନ୍ଦ୍ର ସରକାରଙ୍କ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଜରିଆରେ ଗୁହାଳ ପ୍ରଦାନର ବ୍ୟବସ୍ଥା ଥିବାରୁ ଏହି ଅର୍ଥର ସୁବିନିଯୋଗ କରି ପ୍ରତି କ୍ଷତିଗ୍ରସ୍ତଙ୍କୁ ଗୁହାଳ ଯୋଗାଇ ହେବ ବୋଲି ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି।
ଏନେଇ ଗତକାଲି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏନେଇ ବିଡିଓମାନଙ୍କ ସହ ଆଲୋଚନା କରାଯାଇଛି। ମୋ ଗୁହାଳ ଯୋଜନାରେ ଦୁଇଟି ପ୍ରକାର ଗୁହାଳ ନିର୍ମାଣର ବ୍ୟବସ୍ଥା ରହିଛି। ଇଟାକାନ୍ଥ ପାଇଁ ୧ଲକ୍ଷ ୧୩ ହଜାର ଟଙ୍କାର ସହାୟତା ରାଶି ଥିବା ବେଳେ ମାଟିକାନ୍ଥ ଗୁହାଳ ପାଇଁ ୬୬ ହଜାର ପର୍ଯ୍ୟନ୍ତ ସରକାରୀ ଆର୍ଥିକ ସହାୟତା ରାଶି ରହିଛି। ତେଣୁ ବାସ୍ତବ କ୍ଷତିଗ୍ରସ୍ତଙ୍କୁ ତଦନ୍ତ କରି ଗୁହାଳ ଯୋଜନାରେ ମୋ ଗୁହାଳ ଯୋଗାଇ ଦେବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି।

ବିଭିନ୍ନ ତହସିଲରୁ ମିଳିଥିବା ସୂଚନା ଅନୁସାରେ ବରୀ ବ୍ଲକରେ ସର୍ବାଧିକ ଗୁହାଳ କ୍ଷତିଗ୍ରସ୍ତ ହୋଇଛି। ‌ଗୃହପାଳିତ ପଶୁ ଏବେ ନଦୀ ବନ୍ଧ ଏବଂ ଖୋଲା ଆକାଶ ତଳେ ପଡ଼ି ରହିଛନ୍ତି। ରସୁଲପୁର ବ୍ଲକରେ ୫୫୫ ଗୁହାଳ ନଷ୍ଟ ହୋଇଥିବା ବେଳେ, ବଡଚଣାରେ ୧୬୩, ବିଂଝାରପୁରରେ ୬୩୫, ବ୍ୟାସନଗରରେ ୧୧, ଯାଜପୁରରେ ୫୭୩, ଦଶରଥପୁରରେ ୨୩୫୩, ଧର୍ମଶାଳାରେ ୨୪୦୦ ଗୁହାଳ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସୁକିନ୍ଦା ଓ ଦାନଗଦି ବ୍ଲକରେ ଗୁହାଳ କ୍ଷତି ହୋଇନାହିଁ। ଗୃହପାଳିତ ପଶୁ ଗୁରୁତ୍ବପୂର୍ଣ୍ଣ ହୋଇଥିବା ବେଳେ ଏହି ନିର୍ଦେଶାନୁସାରେ କେନ୍ଦ୍ର ସରକାରଙ୍କ ଏହି ଅର୍ଥକୁ ସଠିକ ତଦନ୍ତ ପରେ କ୍ଷତିଗ୍ରସ୍ତ ଜିଲ୍ଲାବାସୀଙ୍କୁ କିପରି ଶୀଘ୍ର ଓ ତ୍ବରିତ ଭାବେ ମିଳିପାରିବ ସେ ନେଇ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe