ଶ୍ରୀମନ୍ଦିର ମେଘନାଦ ପାଚେରି ଫାଟ: ୨୦ ଫୁଟ ଉପରୁ ପଥର ଦେଇ ଗଳୁଛି ପାଣି

ଫୁଟେ କି ଦୁଇ ଫୁଟ ନୁହେଁ, ପ୍ରାୟ ୨୦ ଫୁଟ ଉଚ୍ଚରେ ରହିଛି ଆନନ୍ଦବଜାର ଡ୍ରେନ୍‌। ତଥାପି ଏହି ଡ୍ରେନ୍‌ର ପାଣି ୨୦ ଫୁଟର ମେଘନାଦ ପାଚେରିର ମୋଟା ପ୍ରସ୍ତର ଦେଇ ଆସି ଚଟାଣରେ ଝରଣା ଭଳି ଝରୁଛି।

jagannath temple-the financial express

ପୁରୀ: ଫୁଟେ କି ଦୁଇ ଫୁଟ ନୁହେଁ, ପ୍ରାୟ ୨୦ ଫୁଟ ଉଚ୍ଚରେ ରହିଛି ଆନନ୍ଦବଜାର ଡ୍ରେନ୍‌। ତଥାପି ଏହି ଡ୍ରେନ୍‌ର ପାଣି ୨୦ ଫୁଟର ମେଘନାଦ ପାଚେରିର ମୋଟା ପ୍ରସ୍ତର ଦେଇ ଆସି ଚଟାଣରେ ଝରଣା ଭଳି ଝରୁଛି। ଗୋଟିଏ ନୁହେଁ, ୫୦ରୁ ଅଧିକ ସ୍ଥାନରୁ ଏଭଳି ଝରଣା ଭଳି ପାଣି ଝରୁଛି। ପାଣି ଭେଦି ମେଘନାଦ ପାଚେରି  କେତେ ଯେ ଦୁର୍ବଳ ହୋଇଯାଇଛି, ତାହା ଜଳ ଜଳ ଦିଶୁଛି। କିନ୍ତୁ ଏଏସ୍‌ଆଇ ହେଉ କି ଶ୍ରୀମନ୍ଦିର ପ୍ରଶାସନ, କେହି ବି ଏକଥାକୁ ମାନିବାକୁ ନାରାଜ। ଏବେ ବି ପୂର୍ବଭଳି ମେଘନାଦ ପ୍ରାଚୀର ସୁଦୃଢ଼ ଅଛି ଓ କୌଣସି ବିପଦ ନାହିଁ ବୋଲି କହିଛନ୍ତି।

ସେପଟେ ଏହି ପାଣି ଝରିବା ପ୍ରତିକାର ଆଜି ବି ଜାରି ରହିଛି। ଶ୍ରୀମନ୍ଦିର ପ୍ରଶାସନ ସର୍ବପ୍ରଥମେ ଆନନ୍ଦବଜାର ଡ୍ରେନ୍‌ରୁ ଯେଉଁ ଫାଟ ଓ ଗର୍ତ୍ତ ଦେଇ ପାଣି ମେଘନାଦ ପାଚେରି ଭେଦୁଛି, ସେ ଗର୍ତ୍ତ ଓ ଫାଟକୁ ଅସ୍ଥାୟୀ ଭାବେ ବନ୍ଦ କରିବା ଆରମ୍ଭ କରିଛି। ବିଶେଷ କରି ଆନନ୍ଦବଜାର ହାତଧୁଆ ସ୍ଥଳର ପାଣିକୁ ଅନ୍ୟ ଦିଗକୁ ଡାଇଭର୍ଟ କରି ସୁବ୍ୟବସ୍ଥିତ ଢଙ୍ଗରେ ଏହି ପାଣି ନିଷ୍କାସନ ବ୍ୟବସ୍ଥା କରୁଛି। ଏହା ପରେ ଆନନ୍ଦବଜାର ଓ ଶ୍ରୀମନ୍ଦିରର ଅନ୍ୟ ଡ୍ରେନ୍‌ର ସ୍ଥାୟୀ ମରାମତି କରିବାକୁ ଚିନ୍ତା କରିଛି ଶ୍ରୀମନ୍ଦିର ପ୍ରଶାସନ। ଏଥିପାଇଁ ଡ୍ରେନ୍‌ ମରାମତି ସଂପର୍କିତ ବିଜ୍ଞପ୍ତି ଜାରି କରିବା ସହ ଟେଣ୍ଡର ଆହ୍ବାନ କରିଛି। ଡ୍ରେନ୍‌ କାମ ସରିବା ପରେ ଏଏସ୍‌ଆଇ ମେଘନାଦ ପାଚେରିର ଆବଶ୍ୟକ ମରାମତି ଓ ଗ୍ରାଉଟିଂ କରିବ ବୋଲି ଜଣାପଡ଼ିଛି। ଆଜି ବି ପୁରୀ ଏଏସ୍‌ଆଇ କାର୍ଯ୍ୟାଳୟର କିଛି ଅଧିକାରୀ ଆସି ମେଘନାଦ ପାଚେରିର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଆନନ୍ଦବଜାର ଡ୍ରେନ୍‌ ଉତ୍ତରପାର୍ଶ୍ବରୁ ଆନନ୍ଦବଜାର ଚୁଡ଼ି, ମାଳି ଦୋକାନ ପଛପାର୍ଶ୍ବ ହୋଇ ସ୍ନାନବେଦି ସମ୍ମୁଖ ଭାଗ ଦେଇ ଆସି ଆନନ୍ଦବଜାର ହାତଧୁଆ ସ୍ଥଳରେ ମିଶିଛି।

ହାତଧୁଆ ସ୍ଥଳରୁ ମେଘନାଦ ପାଚେରିରେ ଏକ ଅସ୍ଥାୟୀ ପ୍ଲାଷ୍ଟିକ୍‌ ପାଇପ୍‌ ଲଗାଇ ଏହି ପାଣିକୁ ଶ୍ରୀମନ୍ଦିର ବାହାର ଡ୍ରେନ୍‌କୁ ଛଡ଼ାଯାଉଛି। ଅଭିଯୋଗ ଉଠିଛି, ଏହି ଡ୍ରେନ୍‌ ବହୁଦିନରୁ ସଫା ହୋଇନି କି ମରାମତି ହୋଇନି। ପୁରୁଣା ଡାଞ୍ଚାରେ ଚାଲିଛି। ଫଳସ୍ବରୂପ ନାଳ ଜାମ୍‌ ହେବା ସହ ଅନେକ ସ୍ଥାନରେ ଫାଟ ସୃଷ୍ଟି ହୋଇଛି। ଗଳିଆ ପଡ଼ି ପାଣି ଝରୁଛି। ଯାହା ସିଧାସଳଖ ମେଘନାଦ ପାଚେରି ଫାଟ ଦେଇ ଆସି ବାହାରେ ପଡ଼ୁଛି। ଏଣୁ ପ୍ଲାଷ୍ଟିକ୍‌ ପାଇପ ଅବା କଂକ୍ରିଟ୍‌ ଡ୍ରେନ୍‌ କରି ଗଳିଆ ଦେଇ ପାଣି ଝରିବା ବନ୍ଦ କରିବା ସହ ଡ୍ରେନେଜ୍‌ ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଯୋଜନା କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe