ତାଳଧ୍ବଜ, ଦେବଦଳନ ରଥ ଚକରେ ଫାଟ

Advertisment

ନନ୍ଦିଘୋଷ ରଥ ପ୍ରଭାରେ ଫାଟ

ନନ୍ଦିଘୋଷ ରଥ ପ୍ରଭାରେ ଫାଟ

ତାଳଧ୍ବଜ, ଦେବଦଳନ ରଥ ଚକରେ ଫାଟ

ବୈଷୟିକ କମିଟି ଯାଞ୍ଚ ପରେ ମରାମତି
ଚକରେ ଲାଗିଲା ଲୁହାର କ୍ଲାମ୍ପ

ପୁରୀ : ଦିନକ ପରେ ତିନି ରଥର ଦକ୍ଷିଣମୋଡ଼ ହେବ। ବାହୁଡ଼ାଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ କରିବେ ମହାପ୍ରଭୁ। ଏହାପୂର୍ବରୁ ଆଜି ତିନି ରଥ ଯାଞ୍ଚ ହୋଇଛି। ରାଜ୍ୟ ସରକାରଙ୍କ ବୈଷୟିକ କମିଟି ଆଜି ତିନି ରଥର ଯାଞ୍ଚ କରିବା ବେଳେ ତାଳଧ୍ବଜ ଓ ଦେବଦଳନ ରଥ ଚକରେ ଫାଟ ଥିବା ଜଣାପଡ଼ିଛି। ସେପଟେ ନନ୍ଦିଘୋଷ ରଥର ପ୍ରଭାରେ ବି ଫାଟ ଥିବା ଜଣାପଡ଼ିଛି। ଏହା ଜଣାପଡ଼ିବା ପରେ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି।

ପୂର୍ବତଟ ରେଳ ବିଭାଗର ଅଧିକାରୀ, କର୍ମଚାରୀଙ୍କ ସହ ମହରଣା ସେବକ ଓ ଓଝା ସେବକମାନେ ଏହାର ମରାମତି କାମ ଆରମ୍ଭ କରିଛନ୍ତି। ଫଟା ଚକରେ ଲୁହାର କ୍ଲାମ୍ପ ଲଗାଯାଇଛି। ଆଜି ପୂର୍ବାହ୍ଣରେ ତିନି ରଥର ତନ୍ନ ତନ୍ନ କରି ଯାଞ୍ଚ କରାଯାଇଥିଲା। ବୈଷୟିକ କମିଟିରେ ଥିବା ଏନ୍‌ ସି ପାଲ୍‌ଙ୍କ ସମେତ ନିର୍ମାଣ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ତାଳଧ୍ବଜ ରଥର ୧୪ଟି ଚକରୁ ଡାହାଣ ପାର୍ଶ୍ବ ସମ୍ମୁଖ ଭାଗର ଦ୍ବିତୀୟ ଚକରେ ଫାଟ ଥିବା ଜଣାପଡ଼ିଥିଲା। ଚକର ପଈରେ ଏକାଧିକ ଫାଟ ରହିଥିବା ଦେଖିବାକୁ ମିଳିଥିଲା। ଯେଉଁଥିପାଇଁ ପଈରେ ଫାଙ୍କ ସୃଷ୍ଟି ହୋଇଥିଲା। ସମାନ ଅବସ୍ଥା ଦେବଦଳନ ରଥରେ ବି ଦେଖିବାକୁ ମିଳିଥିଲା। ୧୨ଟି ଚକରୁ ଗୋଟିଏ ଚକରେ ଫାଟ ରହିଥିଲା। ଚକର ପଈରେ ଫାଟ ସୃଷ୍ଟି ହୋଇଥିଲା। ପ୍ରଥମେ ସୁଭଦ୍ରାଙ୍କ ରଥ ଚକରେ ଲୁହାର କ୍ଲାମ୍ପ ନଟ୍‌‌ ବୋଲ୍‌ଟ ଦେଇ ଟାଇଟ୍‌ କରାଯାଇଥିଲା। ଏହାପରେ ତାଳଧ୍ବଜ ରଥର ଚକ ମରାମତି କରାଯାଇଛି। ଚକରେ ତିନିରୁ ଅଧିକ ଜାଗାରେ ଫାଟ ରହିଥିବାରୁ ଏହିସବୁ ଜାଗାରେ ଲୁହାର କ୍ଲାମ୍ପ ଦେଇ ନଟ୍‌ବୋଲ୍‌ଟ ଟାଇଟ୍‌ କରାଯାଇଛି।

ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି କାମ ଚାଲିଥିବା ଦେଖିବାକୁ ମିଳିଛି। ପୂର୍ବତଟ ରେଳପଥର କର୍ମଚାରୀମାନେ ପ୍ରାୟ ସାଢ଼େ ୩ ଫୁଟର ଜଗ୍‌ ଲଗାଇ ରଥକୁ ଟେକିବା ପରେ ଚକକୁ ଚେନ୍‌ରେ ଟାଇଟ୍‌ କରି ବାନ୍ଧିଥିଲେ। ପରେ ଚକକୁ ବୁଲାଇ ମରାମତି କାମ କରାଯାଇଛି। ଲୁହାର ପ୍ଲେଟ୍‌ ସବୁ କାଟି ଏହାକୁ ଚକରେ ସଂଯୋଗ କରାଯାଇଛି। ଖବର ଲେଖା ହେବା ସୁଦ୍ଧା ମରାମତି କାମ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe