ଅମ୍ବାଦୋଳା/ମୁନିଗୁଡା : ରେଳ ଧାରଣରେ ସୃଷ୍ଟି ହୋଇଥିଲା ଫାଟ। ତେବେ ସେହି ଟ୍ରାକ୍ରେ ଟ୍ରେନ୍ ଆସିବାର ଅଳ୍ପ ସମୟ ପୂର୍ବରୁ ପ୍ଲାଟ୍ଫର୍ମରେ ଅପେକ୍ଷା କରିଥିବା କିଛି ଯାତ୍ରୀ ଏହାକୁ ଦେଖିଥିଲେ। ଫଳରେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି ଭୁବନେଶ୍ୱର-ଜୁନାଗଡ ଲିଙ୍କ୍ ହୀରାଖଣ୍ଡ ଏକ୍ସପ୍ରେସ୍। ରାୟଗଡ଼ା ଜିଲ୍ଲା ଅମ୍ବାଦଳା ରେଳ ଷ୍ଟେସନ୍ର ୨ ନମ୍ବର ପ୍ଲାଟଫର୍ମରେ ଆଜି ଏହି ଘଟଣା ଘଟିଛି।
ସୂଚନା ଅନୁସାରେ ଅମ୍ବାଦୋଳା ଷ୍ଟେସନର ଦୁଇ ନମ୍ବର ପ୍ଲାଟଫର୍ମ ଦେଇ ଭୁବନେଶ୍ୱର ଜୁନାଗଡ ଲିଙ୍କ ଏକ୍ସପ୍ରେସ ଟ୍ରେନ ଯିବାର ଥିଲା। ତେବେ ପ୍ଲାଟ୍ଫର୍ମରେ ଅପେକ୍ଷା କରିଥିବା କିଛି ଯାତ୍ରୀ ଟ୍ରାକରେ ଫାଟ ଦେଖି ଷ୍ଟେସନ ମାଷ୍ଟର ଆରଆର କୁମାରଙ୍କୁ ସୂଚନା ଦେଇଥିଲେ। ଷ୍ଟେସନ ମାଷ୍ଟର ତୁରନ୍ତ ଟ୍ରେନର ଗତିପଥ ପରିବର୍ତ୍ତନ କରିଥିଲେ। ଫଳରେ ଏକ ବଡ ଧରଣର ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇଥିଲା। ଫାଟ ମରାମତି ପରେ ରେଳ ଚଳାଚଳ ସ୍ୱାଭାବିକ ହୋଇଥିଲା। ସୂଚନାଥାଉକି ରାୟଗଡା ଜିଲ୍ଲାରେ ରହିଥିବା ରେଳ ଧାରଣ ଅତି ପୁରୁଣା ହୋଇଥିବା ବେଳେ ଏହାର ଆବଶ୍ୟକ ମରାମତି କରାଯାଉନଥିବାରୁ ବାରମ୍ବାର ଏଭଳି ଘଟୁଛି। ଗତ କିଛି ଦିନ ତଳେ ମୁନିଗୁଡା ନିକଟରେ ଏଭଳି ଟ୍ରାକରେ ଫାଟ ଯୋଗୁଁ ବିଶାଖାପାଟଣା କୋରବା ଲିଙ୍କ ଏକ୍ସପ୍ରେସ ଅଳ୍ପକେ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲା। ଏସଂପର୍କରେ ସମ୍ବଲପୁର ଡିଭିଜନର ଏଡିଆରଏମଙ୍କୁ ପଚାରିବାରୁ କଣ୍ଟ୍ରୋଲ ରୁମ୍ରୁ କୌଣସି ସୂଚନା ଦିଆଯାଇନାହିଁ। କିନ୍ତୁ ଏହାର ତଦନ୍ତ କରି କାର୍ଯ୍ୟରେ ଅବହେଳା କରିଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।
Follow Us