ଭୁବନେଶ୍ବର: ଦୀପାବଳିରେ ମଣିଷ ଯେଉଁ ବାଣ ଫୁଟାଇ ଖୁସି କରେ ସେହି ଖୁସି ଯେ ଆଉ କାହା ପାଇଁ ଦୁଃଖର କାରଣ ପାଲଟେ ତାହା ପୁଣିଥରେ ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ବରରେ । ଯେଉଁଠି ଷଣ୍ଢ ପାଟିରେ ବାଣ ବିସ୍ଫୋରଣ ହୋଇଛି । ଆଉ ବାଣ ପାଟିରେ ଫାଟିବା ପରେ ଷଣ୍ଢଟି ଗୁରୁତର ହୋଇଛି । ଗୁରୁତର ଅବସ୍ଥାରେ ଷଣ୍ଢକୁ ଖୋର୍ଦ୍ଧାରୁ ଉଦ୍ଧାର କରାଯାଇଥିବା ବେଳେ ଭୁବନେଶ୍ୱର ପାତ୍ରପଡା ଗୋଶାଳାରେ ହେଉଛି ଚିକିତ୍ସା । ତେବେ କେହି ଖାଦ୍ୟରେ ବୋମା ଦେଇଥିବା ଅଭିଯୋଗ ହେଉଥିବା ବେଳେ ବିସ୍ଫୋରଣର କାରଣ ଏଯାଏଁ ଜଣାପଡିନି । କୁହାଯାଉଛି ବାରହା ମାରିବାକୁ ଖାଦ୍ୟରେ କେହି ବାଣ ଖଞ୍ଜିଥିବା ବେଳେ ଷଣ୍ଢଟି ଏହାକୁ ଚୋବାଇ ଦେବା ପରେ ବିସ୍ଫୋରଣ ହୋଇ ପାଟି ଫାଟି ଯାଇଛି ।

Advertisment

ଆହୁରି ପଢନ୍ତୁ-

1999 Super Cyclone In Odisha: ଆଉ ୧୧ ଦିନ ପରେ ମହାବାତ୍ୟାକୁ ପୂରିବ ୨୬ ବର୍ଷ… ବିତିଯାଇଛି ସିନା ଦିନ, ଅକ୍ଟୋବର ମାସ ଉଖୁରେଇଦେଲା ସେଦିନର କ୍ଷତଚିହ୍ନ…

ତେବେ ପାଟିରେ ବିସ୍ଫୋରଣ ପରେ ଷଣ୍ଢଟି ଅନେକ କଷ୍ଟ ପାଉଛି । ନିଶ୍ବାସ ନେବାରେ ତାକୁ କଷ୍ଟ ହେଉଛି । ଥରେ ଭାବନ୍ତୁ ତ ଆପଣ ଲୋଭରେ କିଛି ଖାଦ୍ୟକୁ ମନଭରି ଖାଉଛନ୍ତି ଆଉ ସେଥିରେ ଆପଣଙ୍କ ଅଜାଣତରେ କେହି ବିସ୍ଫୋଟକ ଭରି ଦେଇଥିବ ଆଉ ଚୋବେଇଲା ବେଳେ ତାହା ଭୟଙ୍କର ଭାବେ ଫାଟିବ । ସେବେ କଣ ହେବ ପରିସ୍ଥିତି… କଣ ହେବ ଆପଣଙ୍କ ଅବସ୍ଥା । ଠିକ୍ ସେମିତି ଏ ନିରୀହ ପଶୁ ସହ ହେଇଛି । ଯାହା ସିଏ କେବେ ଏ ମଣିଷ ସମାଜ ପାଖରୁ କେବେ ଆଶା କରିନଥିଲା । ବିଶ୍ବାସରେ ମଣିଷ ଯେ ବିଷ ଦେଇପାରେ ତାହା ଜାଣିବା ପରେ ଆଉ ବାଣରେ ମୁହଁ ଫାଟିଯିବା ପରେ ଷଣ୍ଢ ଆଖିରୁ ଧାରଧାର ଲୁହ ଝରିପଡୁଛି । ସତରେ କେଡେ ଯନ୍ତ୍ରଣା ଦାୟକ ଏ ଚିତ୍ର । ହୃଦୟବିଦାରକ ଦୃଶ୍ଯ ଦେଖିଲା ପରେ ମନକୁ ପ୍ରଶ୍ନ ଆସୁଛି ଷଣ୍ଢ ହେଲା ବୋଲି କଣ ତାର ଜୀବନ ନାହିଁ ନା କଣ ? ମଣିଷ ଭିତରେ କାହିଁକି ଧିରେଧିରେ ମରି ଯାଉଛି ମଣିଷ ପଣିଆ ।

ଆହୁରି ପଢନ୍ତୁ-

School Closed Diwali: ଦୀପାବଳି ପାଇଁ ସୋମବାର ରାଜ୍ୟର ଘରୋଇ ଶିକ୍ଷାନୁଷ୍ଠାନ ଛୁଟି

ଯଦି ଷଣ୍ଢର ଏମିତି ଅବସ୍ଥା ପଛରେ ବାରହା ମାରିବାକୁ ବିସ୍ଫୋରଣ କାରଣ ହେଇଥାଏ ତେବେ ତୁରନ୍ତ କାର୍ଯ୍ଯାନୁଷ୍ଠାନ ନେବାକୁ ଦାବି ହେଉଛି । ଅନ୍ୟପଟେ ଦୀପାବଳି ପାଇଁ ଚାରିଆଡେ ବାଣ ଫୁଟୁଥିବାରୁ କିଛି ଅଫୁଟା ବାଣ ବି ଅଳିଆଗଦାରେ କେହି ଫିଙ୍ଗି ଦେଉଥିବା ଦେଖିବାକୁ ମିଳୁଛି ଆଉ କେହି କେହି ପଶୁଙ୍କ ଉପରକୁ ବାଣ ଫିଙ୍ଗୁଥିବା ବି ଦେଖିବାକୁ ମିଳେ ତେଣୁ ଏପରି ସ୍ଥଳରେ ପଶୁଙ୍କ ଉପରକୁ ବାଣ ଫିଙ୍ଗି କିମ୍ବା ସେମାନଙ୍କ ଖାଦ୍ୟରେ ବାଣ ଦେଇ ଅମାନୁଷିକ କାର୍ଯ୍ଯ କରୁଛନ୍ତି ଦୟାକରି ସେମାନେ ଏସବୁରୁ ବିରତ ରୁହନ୍ତୁ । କାରଣ ଆପଣଙ୍କ ଖୁସି ପାଇଁ ପଶୁମାନେ ହଇରାଣ ନହୁଅନ୍ତୁ । 

Bhubaneswar | Odisha | Blast | firecracker