ଭୁବନେଶ୍ବର: ଅକ୍ଟୋବର ଆସିଲେ ଆତଙ୍କିତ ହୁଏ ମନ, ଛାତିରେ ପଶେ ଛନକା । ୧୯୯୯ ମହାବାତ୍ୟାକୁ ଭୁଲିନି କି କେବେ ଭୁଲିପାରିବନି ଓଡିଶା । ଯେବେଯେବେ ଅକ୍ଟୋବର ଆସେ ମହାବାତ୍ୟାର ସେ ମହାତାଣ୍ଡବ କଥା ମନେ ପକାଏ ଓଡିଶା । ଏବେ ଯେତେବେଳେ ସେହି ଅକ୍ଟୋବର ମାସ ଚାଲିଛି ବାତ୍ୟାର ଭୟ ତ ଘାରିବା ସ୍ବାଭାବିକ ମାତ୍ର ଏହାରି ଭିତରେ ମହାବାତ୍ୟାର ସେ ଲୋମଟାଙ୍କୁରା କଥା ବି ମନେପଡିଯାଉଛି ।
ଆଉ ୧୧ଟା ଦିନ ପରେ ଓଡିଶାର ସବୁଠାରୁ ବଡ଼ ବିପର୍ଯ୍ଯୟ, ଓଡିଶାର ପାଇଁ କଳା ଦିନ, କଳା ମାସ ଏବଂ କଳା ବର୍ଷ ନେଇ ଆସିଥିବା ‘ମହାବାତ୍ୟା’କୁ ପୂରିବ ୨୬ ବର୍ଷ । ୧୯୯୯ରୁ ୨୦୨୫ ଏହି ୨୬ ବର୍ଷ ଭିତରେ ଦିନ ସିନା ଯାଇଛି କିନ୍ତୁ ଏବେବି ସେ ଚିହ୍ନ ରହିଛି, ଛାତିରୁ ଦରଜ ଯାଇନି। ସେଦିନର କାଳ ରାତିର କରୁଣ କାହାଣୀ ଏବେ ବି ମନେ ପଡିଗଲେ, ଭୟଙ୍କର ରାତିର ବିକଟାଲ ରୂପ ଆଖି ସାମ୍ନାରେ ନାଚିଗଲେ ଥରିଉଠୁଛି ଛାତି, ଟାଙ୍କୁରି ଉଠୁଛି ଲୋମ ।
୨୬ ବର୍ଷ ତଳେ ଏହି ଅକ୍ଟୋବର ମାସରେ ମହାବାତ୍ୟା ସହ ମୁହାଁମୁହିଁ ହୋଇଥିଲେ ଓଡିଶାବାସୀ । ୧୯୯୯ ମସିହା ଅକ୍ଟୋବର ମାସରେ ୨ଟି ବାତ୍ୟାର ସାମ୍ନା କରିଥିଲା ଓଡିଶା । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିଲା ଦୁଇଟି ଶକ୍ତିଶାଳୀ ବାତ୍ୟା । ଗୋଟିଏ ଅକ୍ଟୋବର ୧୭ରେ ଗଞ୍ଜାମ ଜିଲ୍ଲାର ଗୋପାଳପୁର ଠାରେ ସ୍ଥଳଭାଗ ଛୁଇଁଥିଲା । ଅନ୍ୟଟି ବଙ୍ଗୋପସାଗର ଇତିହାସର ସବୁଠାରୁ ଶକ୍ତିଶାଳୀ ମହାବାତ୍ୟା ଭାବେ ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟି ହୋଇଥିଲା । ଯାହା ଅକ୍ଟୋବର ୨୯ରେ ଜଗତସିଂହପୁର ଜିଲ୍ଲାର ଏରସମା ଅଞ୍ଚଳରେ ସ୍ଥଳ ଭାଗ ଛୁଇଁଥିଲା ।
/filters:format(webp)/sambad/media/media_files/2025/10/18/super-cyclone-2025-10-18-17-07-53.jpg)
ମହାବାତ୍ୟା ଆଣିଥିଲା ମହାପ୍ରଳୟ
ସେଦିନ ଥିଲା ୧୯୯୯ ମସିହା, ଅକ୍ଟୋବର ମାସ ୨୯ ତାରିଖ । ଠିକ ୨୬ ବର୍ଷ ତଳେ ଏହି ଅକ୍ଚୋବର ମାସରେ ହିଁ ଆସିଥିଲା ଓଡିଶା ଇତିହାସର ସବୁଠୁ ପ୍ରଳୟଙ୍କରୀ ବାତ୍ୟା । ଅବିଶ୍ରାନ୍ତ ବର୍ଷା ସହ ସୁ ସୁ ଗର୍ଜନ କରୁଥିଲା ପବନ । ହଠାତ ଆକାଶରେ ଘୋଟି ଆସିଥିଲା ଆତଙ୍କର କଳା ବାଦଲ । ୨୮ ତାରିଖ ଦିନ ସ୍ୱାଭାବିକ ଥିଲା ପାଗ, ଶୂନଶାନ ଥିଲା ପରିବେଶ । ବୋଧହୁଏ ତାହା ଥିଲା ଝଡ ପୂର୍ବର ନିରବତା ।
ହେଲେ ଅଚାନକ ବଦଳି ଯାଇଥିଲା ସବୁକିଛି । ମେଘ ମାଡି ଆସିଥିଲା, ପବନ ବୋହିବାକୁ ଲାଗିଥିଲା । ମଝି ସମୁଦ୍ରରୁ ବିକଟାଳ ଗର୍ଜନ ଛାଡି ସ୍ଥଳ ଭାଗକୁ ମାଡି ଆସିଥିବା ମହାବାତ୍ୟା ସବୁକିଛି ଛାରଖାର କରିଦେଲା । ଭାଙ୍ଗିଗଲା ବଡ ବଡ ଗଛ , ଭାସିଗଲା ଘରଦ୍ୱାର । ୨ ମହଲା ଉଚ୍ଚରେ ଜୁଆରରେ ଲୀନ ହୋଇଗଲା ଜନଜୀବନ । ଉଜୁଡି ଯାଇଥିଲା ଲକ୍ଷ ଲକ୍ଷ ଘର, ପ୍ରାଣ ହରାଇଥିଲେ ହଜାର ହଜାର ଲୋକ । ପ୍ରାୟ ୧୦ ହଜାର ଲୋକଙ୍କ ପ୍ରାଣ ନେଇଥିଲା ପ୍ରଳୟ ।
ଅଧିକ ପଢନ୍ତୁ-
ଆଉ ମହାବାତ୍ୟା ପରେ ଚାରିଆଡେ କୁଢ କୁଢ ଶବ ଦେଖିବାକୁ ମିଳିଥିଲା । ପଶୁପକ୍ଷୀ, ମଣିଷ ସବୁ ବାତ୍ୟା ଆଁରେ ପଶିଯାଇଥିଲେ । ଜମି ବାଡି ସବୁ ନଷ୍ଟ ହୋଇଥିଲା । ଝଡ ବାତ୍ୟାର ପ୍ରକୋପ ଟିକେ କମିବା ପରେ ବଢିଥିଲା ଜଳ ଯନ୍ତ୍ରଣା । ବଢି ପାଣିରୁ ବଞ୍ଚିବାକୁ କିଏ ଜୀବନ ନେଇ ଧାଇଁଥିଲା ତ କିଏ ପିଲାଛୁଆ ନେଇ ଉଚ୍ଚା ସ୍ଥାନକୁ ଦୌଡିଥିଲା । ହେଲେ ପାଣି ପାଟିରୁ ବର୍ତ୍ତିବା ଏତେ ସହଜ ନଥିଲା । ମହାବାତ୍ୟା ଗୋଟେ ଗୋଟେ ଗାଁକୁ ଶ୍ମଶାନ କରିଦେଇଥିଲା । ଆଉ ମହାତାଣ୍ଡବ ରଚି କାଳ କାଳ ପାଇଁ କଳା ଇତିହାସ ସୃଷ୍ଟି କରିଗଲା ମହାବାତ୍ୟା ।
/filters:format(webp)/sambad/media/media_files/2025/10/18/october-2025-10-18-17-08-17.jpg)
୨୬ ବର୍ଷ ପରେ ପୁଣି ସେହି ଭୟ !
ଅକ୍ଟୋବରକୁ ବାତ୍ୟା ପ୍ରବଣ ମାସ କୁହାଯାଉଥିବା ବେଳେ ଚଳିତ ମାସ ଦୁଇ ଦୁଇଟି ବାତ୍ୟା ନେଇ ଆକଳନ କରାଯାଇଛି । ଯାହା ପରେ ଓଡିଶା ଛାତିରେ ଛନକା ପଶିଛି । ୧୯୯୯ରେ ଏମିତି ଅକ୍ଟୋବର ମାସରେ ଦୁଇଟି ବାତ୍ୟା ଆସିଥିବା ବେଳେ ଏବେ ପୁଣି ୨୦୨୫ରେ ଅର୍ଥାତ ୨୬ ବର୍ଷ ପରେ ଦୁଇଟି ବାତ୍ୟା ଏହି ଅକ୍ଟୋବର ମାସରେ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି ଆମେରିକାର ଜିଏଫଏସ ମଡେଲ । ତେବେ ଅକ୍ଟୋବର ମାସ ଓଡିଶା ପାଇଁ ବାତ୍ୟା ପ୍ରବଣ ମାସ ହୋଇଥିବାରୁ ବିଦେଶୀ ମଡେଲର ଆକଳନ ମନରେ ଭୟ ସୃଷ୍ଟି କରିଛି । ଆମେରିକାର ଜିଏଫ୍ଏସ୍ ମଡେଲ୍ ଦୁଇ ଦୁଇଟି ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି । ଯଦିଓ ଏନେଇ ଚିତ୍ର ଏବେ କିଛି ସ୍ପଷ୍ଟ ହୋଇନାହିଁ କିନ୍ତୁ ସମ୍ଭାବନାକୁ ଏଡ଼ାଇ ଯାଇ ହେବନି । ଏହାରି ଭିତରେ ବାତ୍ୟା ନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଆମେ ବାତ୍ୟା ନେଇ ପୂର୍ବାନୁମାନ କରିନୁ । ଆମେରିକୀୟ ମଡେଲ ନୁହେଁ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ପକ୍ଷରୁ ଯାହା ପୂର୍ବାନୁମାନ କରାଯାଉଛି ତାକୁ ଦେଖନ୍ତୁ।
ଆହୁରି ପଢନ୍ତୁ-
ଅତୀତର ଆଇନାରେ ଅକ୍ଟୋବର: ବାତ୍ୟା ସହ ଓଡ଼ିଶାର ଅକ୍ଟୋବରକୁ ନେଇ କି ସମ୍ପର୍କ ?
/filters:format(webp)/sambad/media/media_files/2025/10/18/cyclone-and-october-2025-10-18-17-08-50.jpg)
ଅକ୍ଟୋବରରେ କାହିଁକି ଘାରେ ବାତ୍ୟା ଭୟ ?
ଅତୀତରେ ଏହି ଅକ୍ଟୋବର ମାସରେ ୧୯୯୯ରେ ମହାବାତ୍ୟା, ୨୦୧୩ରେ ଫାଇଲିନ, ୨୦୧୪ରେ ହୁଡୁହୁଡୁ, ୨୦୧୮ରେ ତିତିଲି ଏବଂ ୨୦୨୪ରେ ଦାନା- ଓଡିଶାକୁ ଛୁଇଁ, ଓଡିଶାରେ ତାଣ୍ଡବ ରଚିଛି । ତେଣୁ ଅକ୍ଟୋବର ଆସିଲେ ବାତ୍ୟା ଆଶଙ୍କା ବଢୁଥିବା ବେଳେ ଏହା ପଛରେ ବି କାରଣ ରହିଛି ।
ଅକ୍ଟୋବର ମାସ ବାତ୍ୟା ପ୍ରବଣ ମାସ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟରୁ ଏହା ଲେଉଟାଣି ସମୟ ତେଣୁ ସେହି ସମୟ ହିଁ ବାତ୍ୟାନୁକୂଳ । ଅକ୍ଟୋବର ମାସ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟରୁ ଲେଉଟାଣି ବେଳ ଏବଂ ଉତ୍ତର-ପୂର୍ବ ମୌସୁମୀ ବାୟରୁ ଆଗମନୀ ସମୟ । ଏତିକି ବେଳେ ବଙ୍ଗୋପସାଗର ଗରମ ଥାଏ । ସମୁଦ୍ର ଉପରିଭାଗର ତାପମାତ୍ରା ଅଧିକ ଥାଏ । ସମୁଦ୍ର ଭିତରେ ପବନର ବେଗ ସମାନ୍ତରାଳ ରହିଥିବା ବେଳେ କମ୍ ବେଶି ହୋଇଥାଏ । ଯାହା ଝଡ଼ ସୃଷ୍ଟି କରେ । ଆଉ ଏଥିପାଇଁ ହିଁ ସମୁଦ୍ର ଅଶାନ୍ତ ହୋଇପଡେ । ଏହା ଅଧିକ ଘନୀଭୂତ ହୋଇ ଧିରେଧିରେ ବାତ୍ୟାର ରୂପ ନିଏ ଏବଂ ଅତି ଭୟଙ୍କର ରୂପ ଧାରଣ କରି ଶେଷରେ ସମୁଦ୍ରରୁ ବଳ ଗୋଟାଇ, ଶକ୍ତିଶାଳୀ ହୋଇ ସ୍ଥଳ ଭାଗକୁ ମାଡ଼ି ଆସେ । ଯାହାକୁ ଆମେ ବାତ୍ୟା ବୋଲି କହୁ…
ବାତ୍ୟା ଅକ୍ଟୋବର ମାସରେ ସୃଷ୍ଟି ହେଉଥିବାରୁ ଏହା ସମସ୍ତଙ୍କ ମନରେ ଛନକା ଭରେ । ଅକ୍ଟୋବର ମାସ ଆସିଲେ ରାଜ୍ୟ ସରକାର ଓ ଉପକୂଳ ଚାଷୀଙ୍କୁ ଭୟ ଘାରେ । ୧୯୯୯ ଅକ୍ଟୋବର ବାତ୍ୟାର କରାଳ ଏ ଓଡିଶା ଦେଖିଥିବାରୁ ପ୍ରତି ବର୍ଷ ଅକ୍ଟୋବର ଆସିଲେ ଛାତିରେ ଛନକା ପଶେ । ଆଉ ଏବେ ସେହି ଅକ୍ଟୋବର ମାସ ଚାଲୁଥିବାରୁ ପୁଣି ବାତ୍ୟା ନେଇ ଆଶଙ୍କା ବଢିଛି ।
supercyclone | Odisha | 1999