ଓପିଜିସି ଚତୁର୍ଥ ୟୁନିଟ୍ ଟ୍ରାକ୍‌ ହପର୍‌ରେ ଫାଟ

ଓପିଜିସି ଚତୁର୍ଥ ୟୁନିଟ୍ ଟ୍ରାକ୍‌ ହପର୍‌ରେ ଫାଟ

ଇବ୍‌ଥର୍ମାଲ : ଓଡ଼ିଶା ପାଓ୍ବାର ଜେନେରେସନ୍ କର୍ପୋରେସନ୍‌ (ଓପିଜିସି)ରେ ପୁଣି ଯାନ୍ତ୍ରିକ ତ୍ରୁଟି ଦେଖାଯାଇଛି। ସେପ୍ଟେମ୍ବର ୬ ତାରିଖରେ ୟୁନିଟ୍‌-୩ ର ହପର୍‌ ଖସି ପଡ଼ିବାରୁ ଦୁର୍ଘଟଣା ଘଟି ୬ ଶ୍ରମିକ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା। ସେବେଠାରୁ ୟୁନିଟ୍‌-୩କୁ ବନ୍ଦ ରହିଥିବାବେଳେ ବୁଧବାର ପୂର୍ବାହ୍ନ ପ୍ରାୟ ୧୧ଟାରୁ ୟୁନିଟ୍‌-୪ରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ତୃତୀୟ ଏବଂ ଚତୁର୍ଥ ୟୁନିଟ୍‌ରେ କୋଲ୍ ହ୍ୟାଣ୍ଡଲିଂ ପ୍ଲାଣ୍ଟ ଟ୍ରାକ୍ ହପର ବିଲ୍‌ଡିଂ ଗୋଟିଏ ଲୋକେସନ୍‌ରେ କ୍ରାକ୍ (ଫାଟ) ହୋଇଯାଇଛି। ଫଳରେ ଏଥିରେ ଥିବା ଦୁଇଟି ପାର୍ଟ (ପାର୍ଟ -ଏ ଏବଂ ପାର୍ଟ -ବି) ମଧ୍ୟରୁ ପାର୍ଟ -ଏ ଅଚଳ ହୋଇଯାଇଛି। ୟୁନିଟ୍ -୩ ଦୁର୍ଘଟଣା ହେତୁ ବିଦ୍ୟୁତ୍‌ ଉତ୍ପାଦନ ପ୍ରଭାବିତ ହୋଇଥିବାବେଳେ ଏବେ ଆହୁରି ପ୍ରଭାବିତ ହେବାର ଆଶଂକା ଦେଖା ଦେଇଛି। ଅନ୍ୟପକ୍ଷରେ ଅଞ୍ଚଳବାସୀ ମଧ୍ୟ ତୃତୀୟ ଓ ଚତୁର୍ଥ ୟୁନିଟ୍ ସବୁ କିଛି ଠିକ୍ ଚାଲି ନଥିବା ଏବଂ ନିମ୍ନମାନର କାମ ହୋଇଥିବା ଅଭିଯୋଗ କରୁଛନ୍ତି। ଏପରିକି ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ମଧ୍ୟ ଓପିଜିସିରୁ ଏଇଏସ୍ ଅଧିକାରୀଙ୍କୁ ଶୀଘ୍ର ବିଦା କରିବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି।

ସୂଚନା ଅନୁଯାୟୀ, ଅଞ୍ଚଳବାସୀଙ୍କ ତ୍ୟାଗ ଓ ବାଳିଦାନ ଫଳରେ ୧୯୯୪ ଏବଂ ୧୯୯୬ ମସିହାରେ ୨×୨୧୦ ମେଗାଓ୍ବାଟ୍ ପାଓ୍ବାର ପ୍ଲାଣ୍ଟ ବନହରପାଲିଠାରେ ନିର୍ମାଣ କରାଗଲା। ପ୍ଲାଣ୍ଟ ୧ ଓ ୨ ଚାଲିବା ପରେ ଏବେ ବି ତାର ଲୋଡ୍ ଫ୍ୟାକ୍ଟର୍‌ ୮୫ ପ୍ରତିଶତରୁ ଅଧିକ ରହିଛି। ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହୋଇଥିବା ଏହି ୨ଟି ଯାକ ୟୁନିଟ୍‌ରେ ଆରମ୍ଭରୁ କୌଣସି ତ୍ରୁଟି ନଥିଲା। ହେଲେ ୧୯୯୯ ମସିହାରେ ଏହାର ୪୯ ପ୍ରତିଶତ ଅଂଶଧନକୁ ସରକାର ଏଇଏସ୍‌କୁ ବିକ୍ରି କରିଥିଲେ। ନିକଟରେ ଓପିଜିସି ପକ୍ଷରୁ ତୃତୀୟ ଓ ଚତୁର୍ଥ ୟୁନିଟ ସ୍ଥାପନ କରାଯାଇଛି। ଏହାର ସମସ୍ତ କାର୍ଯ୍ୟ ଏଇଏସ୍ ଅଧିକାରୀଙ୍କ ତଦାରଖରେ ହୋଇଛି ବୋଲି କୁହାଯାଏ। ୨୦୧୯ ମାର୍ଚ୍ଚ ୧ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଏହାକୁ ଉଦ୍‌ଘାଟନ କରିଥିଲେ। ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ରାଜ୍ୟର ବିଦ୍ୟୁତ ସମସ୍ୟା ଦେଖା ଦେବ ନାହିଁ ବୋଲି ସେତେବେଳେ କୁହାଗଲା। ହେଲେ ଆରମ୍ଭରୁ ତୃତୀୟ ଓ ଚତୁର୍ଥ ୟୁନିଟ୍‌ରେ ତ୍ରୁଟି, ଆସ୍‌ ପରିଚାଳନାରେ ତ୍ରୁଟି, ଯାନ୍ତ୍ରିକ ତ୍ରୁଟି, ହପର ଭାଙ୍ଗି ଦୁର୍ଘଟଣା ଘଟିବା, ବିଦ୍ୟୁତ୍‌ ଉତ୍ପାଦନ ଧାର୍ଯ୍ୟ ଲକ୍ଷ୍ୟଠାରୁ କମ୍ ହେବା ଆଦି ବିଷୟକୁ ନେଲେ ଏହି ଦୁଇ ୟୁନିଟ୍‌ ନିର୍ମାଣ ନିମ୍ନମାନର ହୋଇଥିବା ସାଧାରଣରେ ଚର୍ଚ୍ଚା ଚାଲିଛି। ଏହା ମଧ୍ୟରେ ରାଜ୍ୟ ସରକାର ଓପିଜିସିର ୧୦୦ ପ୍ରତିଶତ ନିଜ ହାତକୁ ନେଇଛନ୍ତି। ୮ ବରିଷ୍ଠ ଅଧିକାରୀ ଏନ୍‌ଟିପିସିରୁ ଡେପୁଟେସନ୍‌ରେ ଆସି ଓପିଜିସିରେ ଯୋଗ ଦେବେ ବୋଲି ସୂଚନା ମିଳୁଛି। ଏହି ଅଧିକାରୀମାନେ ଆସିଲେ ସମସ୍ତ ତ୍ରୁଟି ସୁଧୁରାଯାି ଉଚିତ ପରିଚାଳନା ହେବ ବୋଲି ଆଶା ଉଜ୍ଜ୍ବଳ ହୋଇଛି। ବୁଧବାର ଘଟିଥିବା ଫାଟ ସଂପର୍କରେ ବରିଷ୍ଠ ଜନସଂପର୍କ ଅଧିକାରୀ ସି ଆର୍ ସ୍ବାଇଁଙ୍କୁ ପଚରା ଯିବାରୁ ସେ ଏହି ତ୍ରୁଟିକୁ ସ୍ବୀକାର କରିବା ସହିତ ଏହାକୁ ଠିକ୍ କରାଯିବାର ପ୍ରକ୍ରିୟା ଚାଲିଛି ବୋଲି କହିଛନ୍ତି। ହେଲେ କୋଟି କୋଟି ଟଙ୍କା ଚଳୁ କରି ରାଜ୍ୟ ସରକାରଙ୍କ ରାଜକୋଷ ଲୁଟିଥିବା ଅସାଧୁ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହ ଓପିଜିସିକୁ ଯଥାଶୀଘ୍ର ଠିକ୍ କରାଯାଇ ୧୭୪୦ ମେଗାୱାଟ୍‌ର ଏହି ପ୍ଲାଣ୍ଟକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବକୁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe