ଶ୍ରୀମନ୍ଦିର ନାଟମଣ୍ଡପରେ ଫାଟ; ଧୀରେଧୀରେ ଫାଟ ମେଲୁଛି, ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଖନନ ବଢ଼ାଉଛି କି ବିପଦ?

Advertisment
ଶ୍ରୀମନ୍ଦିର ନାଟମଣ୍ଡପ, ଜଗମୋହନ ମରାମତି: ଆଜି ଆସିବେ ଏଏସ୍‌ଆଇର ଉଚ୍ଚସ୍ତରୀୟ ବୈଷୟିକ ଦଳ

ପୁରୀ : ଶ୍ରୀମନ୍ଦିର ନାଟମଣ୍ଡପରେ ଫାଟ। ତାହା ପୁଣି ଅଢ଼େଇ ଫୁଟର। ନାଟମଣ୍ଡପ ଛାତରେ ଯେଉଁଠି ଠାକୁରଙ୍କ ଫଟୋ ଲଗାଇବା ସ୍ଥାନ ରହିଛି, ସେହି ସ୍ଥାନରେ ଏଭଳି ବିରାଟ ଫାଟ ସୃଷ୍ଟି ହୋଇଛି। ଏହା ପୁରୁଣା ଫାଟ ନା ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଖନନ ପରେ ଏଭଳି ଫାଟ ସୃଷ୍ଟି ହୋଇଛି, ତାକୁ ନେଇ ଭକ୍ତ, ସେବାୟତଙ୍କ ମହଲ ଶଙ୍କା ପ୍ରକଟ କରିଛନ୍ତି।

ସ୍ଥିତି ଅନୁଧ୍ୟାନ ବେଳେ ଦେଖିବାକୁ ମିଳିଛି କି ଜୟ-ବିଜୟ ଦ୍ବାର ପ୍ରବେଶ ପୂର୍ବରୁ ଜୟ-ବିଜୟ ଦ୍ବାର ଓ ଦାନ ହୁଣ୍ଡି ମଝିରେ ନାଟମଣ୍ଡପ ଛାତରେ ପାର୍ଶ୍ବ ଦେବାବେଦୀଙ୍କ ପ୍ରତିମୂର୍ତ୍ତି ରହିବା ପାଇଁ ତିନି କୋଣିଆ କୋଠରୀ ଭଳି ଯେଉଁ ଆସ୍ଥାନ ରହିଛି, ସେହି ସ୍ଥାନରେ ଏଭଳି ଫାଟ ସୃଷ୍ଟି ହୋଇଛି। ଫାଟ ପ୍ରାୟ ଅଢ଼େଇ ଫୁଟ ଲମ୍ବ ହୋଇଥିବାବେଳେ ଓସାର ପ୍ରାୟ ଦେଢ଼ ଇଞ୍ଚ ହେବ। ଏହି ଫାଟ ତିନିକୋଣିଆ କୋଠରୀର ତଳଭାଗରୁ ଉପରପାର୍ଶ୍ବକୁ ଲମ୍ବିଥିବା ଦେଖିବାକୁ ମିଳିଛି। ଏହି ଫାଟ କ୍ରମେ ବଢ଼ୁଥିବା ଅନୁମାନ କରାଯାଉଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଖନନ ଓ ନିର୍ମାଣ ଶ୍ରୀମନ୍ଦିର ପାଇଁ ବିପଦ ଥିବା ପ୍ରତ୍ନତତ୍ତ୍ବ ବିଭାଗ ସତର୍କ କରି ସାରିଥିବାବେଳେ ଜିଲ୍ଲା ପ୍ରଶାସନ ଏହାକୁ ହେୟଜ୍ଞାନ କରି ଖନନ ଓ ନିର୍ମାଣ କାର୍ଯ୍ୟ ଜାରି ରଖିଛି। ଏଭଳି ସ୍ଥିତିରେ ଶ୍ରୀମନ୍ଦିର ନାଟମଣ୍ଡପରେ ଏତେ ବଡ଼ ଫାଟ ଦେଖାଯିବା, ସାଧାରଣରେ ବି ସନ୍ଦେହ ସୃଷ୍ଟି କରିଛି।

ସେପଟେ ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ବ ନେଇଥିବା ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ପାଖରେ ଏ ସମ୍ପର୍କରେ ଖବର ନଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୯୫୮ ମସିହାରେ ଜାତୀୟ କୀର୍ତ୍ତିରାଜିର ସୁରକ୍ଷା ପାଇଁ ଆମ୍‌ସାର ଆକ୍ଟ ଲାଗୁ ପରେ ଶ୍ରୀମନ୍ଦିରକୁ ଜାତୀୟ କୀର୍ତ୍ତିରାଜିର ମାନ୍ୟତା ମିଳିଥିଲା। ୧୯୭୫ ମସିହା ଫେବ୍ରୁଆରି ୩ରେ ଏ ସମ୍ପର୍କିତ ଗେଜେଟ୍‌ ନୋଟିଫିକେସନ୍‌ (୨/୩୪/୭୨-ଏମ/୩.୨.୧୯୭୫) କରାଯାଇଥିଲା। ପରେ ଶ୍ରୀମନ୍ଦିରର ରକ୍ଷଣାବେକ୍ଷଣ ପାଇଁ ୧୯୭୯ ଅଗଷ୍ଟ ୨୨ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ସହ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗର ଏକ ଏମ୍‌ଓୟୁ ସ୍ବାକ୍ଷର ହୋଇଥିଲା। ଏମ୍‌ଓୟୁ ଅନୁଯାୟୀ, ଶ୍ରୀମନ୍ଦିର ସହ କୁରୁମ ବେଢ଼ା, ବେଢ଼ା ଭିତରେ ଥିବା ୯୫ଟି ପାର୍ଶ୍ବ ଦେବାଦେବୀ ମନ୍ଦିର, ମେଘନାଦ ପାଚେରିର ରକ୍ଷଣାବେକ୍ଷଣ ଦାୟିତ୍ବ ନେଇଥିଲା ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ। ଅଦ୍ୟାବଧି ବି ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ବରେ ରହିଛି। ତଥାପି ନାଟମଣ୍ଡପର ଏତେ ବଡ଼ ଫାଟ ଉପରେ କାହାରି ନଜର ନ ପଡ଼ିବା ଦୁର୍ଭାଗ୍ୟଜନକ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଅନ୍ୟପଟେ ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ଆଳରେ ଚତୁଃପାର୍ଶ୍ବରେ ଖନନ ଓ ନିର୍ମାଣ କାର୍ଯ୍ୟ ଜୋରଦାର ଚାଲିଛି। ଜେସିବି, ଏସ୍କାଭେଟର ଲଗାଇ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ବିରାଟ ବିରାଟ ଗର୍ତ୍ତ ସୃଷ୍ଟି କରାଯାଇଛି। ଯାହାର କମ୍ପନ ଶ୍ରୀମନ୍ଦିର ପାଇଁ ବିପଦ ସୃ‌ଷ୍ଟି କରିବ ବୋଲି ପ୍ରତ୍ନତତ୍ତ୍ବ ବିଭାଗ ସତର୍କ କରାଇ ସାରିଛି। ଏଭଳି ସ୍ଥିତିରେ ଶ୍ରୀମନ୍ଦିର ନାଟମଣ୍ଡପରେ ଫାଟ ଦେଖାଦେବା ଭିନ୍ନ ପରିସ୍ଥିତି ସୃଷ୍ଟିକରିଛି। ଏବଂ, ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ଏହା ବିରାଟ ପ୍ରଶ୍ନ ଠିଆ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe