ଅନ୍‌ଲାଇନ୍‌ ବିତରଣ ସଂସ୍ଥା ନାଁରେ ଋଣ ଠକେଇ ଅଭିଯୋଗ

Advertisment
ଅନ୍‌ଲାଇନ୍‌ ବିତରଣ ସଂସ୍ଥା ନାଁରେ ଋଣ ଠକେଇ ଅଭିଯୋଗ

ଯାଜପୁରସଦର : ଅନଲାଇନ୍‌ ସପିଙ୍ଗ ସାମଗ୍ରୀକୁ ଲୋକମାନଙ୍କ ପାଖରେ ପହଞ୍ଚାଉଥିବା ଏକ ସଂସ୍ଥା ବିତରଣ କର୍ମଚାରୀଙ୍କ ନାଁରେ ଲକ୍ଷେ ଟଙ୍କାଲେଖାଏଁ ଲୋନ କରି ଠକିଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି। ଶୁକ୍ରବାର ସନ୍ଧ୍ୟାରେ ଉଭୟ କମ୍ପାନି କର୍ମଚାରୀ ଓ ବିତରଣ କର୍ମଚାରୀଙ୍କ ମଧ୍ୟରେ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି।

ଯାଜପୁର ପୌରାଞ୍ଚଳରେ ୩ ବର୍ଷ ହେଲା ସିଏବିଟି ନାମକ ସଂସ୍ଥା ଅନଲାଇନ ସପିଙ୍ଗ ପାଇଁ ବିଭିନ୍ନ କମ୍ପାନିଠାରୁ ଫ୍ରାଞ୍ଚାଇଜ ନେଇ ବିତରକ ଯୁବକଙ୍କ ଜରିଆରେ ସାମଗ୍ରୀ ବାଣ୍ଟି ଆସୁଥିଲା। ଯାଜପୁରର ଟିମ୍‌ ଲିଡର ହିମାଂଶୁ ପଣ୍ଡା ଓ ଗୋଦାମ ଇନଚାର୍ଜ ଉତ୍କଳ ଲେଙ୍କା ବିତରଣ କର୍ମଚାରୀଙ୍କୁ କଲମା ଲାଇଫ ଆପ୍ରିକେସନ ଜରିଆରେ ଦରମା ଦେବାକୁ କହି ସମସ୍ତଙ୍କ ଫୋନରେ ଏହି ଲୋନ ଆପକୁ ଆକ୍ଟିଭ କରାଇନେଇଥିଲେ। ଏହାକୁ ଆଧାର କରି ସେମାନେ ପ୍ରତ୍ୟେକ ବିତରଣ କର୍ମଚାରୀ ନାଁରେ ୧ଲକ୍ଷ ଟଙ୍କାର ଲୋନ କରି ନେଇଥିବା ଜଣାପଡ଼ିଛି। ଜଣେ ବିତରଣ କର୍ମଚାରୀ ବ୍ୟାଙ୍କ ଲୋନ ପାଇଁ ଯାଇଥିବାବେଳେ ନିଜ ନାମରେ ଲୋନ ଥିବା ଜାଣି ଆଶ୍ଚର୍ଯ୍ୟ ହୋଇଥିଲେ। ପରେ ଅନ୍ୟ ସହଯୋଗୀଙ୍କ ସହ ମଧ୍ୟ ସମାନ ଠକେଇ ହୋଇଥିବା ଜଣାପଡ଼ିଥିଲା। ବିତରଣ କର୍ମଚାରୀ ଅଧିକ ଖୋଳତାଡ଼ କରିବାରୁ ଜାନୁଆରି ମାସ ଦରମାକୁ  ଆକାଉଣ୍ଟ ଜରିଆରେ ପ୍ରଦାନ କରିଥିଲେ।

କର୍ମଚାରୀଙ୍କ ଅଭିଯୋଗ ଅନୁସାରେ ଏହି କମ୍ପାନି ଆସନ୍ତା ୨୫ ତାରିଖରେ କାମ ଛାଡ଼ିଦେବାର ଅଛି। ତୁରନ୍ତ କିପରି ୬୦ ଜଣ ପିଲା ଋଣଯନ୍ତାରୁ ମୁକୁଳିବେ ସେନେଇ କମ୍ପାନି କର୍ମଚାରୀଙ୍କୁ ପଚାରିବାକୁ ଗାଳିଗୁଲଜ କରିବା ସହ ଠେଲାପେଲା କରିଥିଲେ। ପୁଲିସ ପହଞ୍ଚି ଉଭୟ ପକ୍ଷଙ୍କୁ ଥାନାକୁ ଡକାଇଛି। ବିତରକ ପିଲାମାନେ କର୍ମଚାରୀଙ୍କ ନାମରେ ଥାନାରେ ଲିଖିତ ଅଭିଯୋଗ କରିବା ସହ ସେମାନଙ୍କ ନାମରେ ହୋଇଥିବା ଲୋନରୁ ମୁକ୍ତି ପାଇଁ ଦାବି କରିଛନ୍ତି। ଅନ୍ୟପଟେ କମ୍ପାନି କର୍ମଚାରୀ ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe