ପୁରୀ, ଯାଜପୁର ମେଡିକାଲ କଲେଜ କେନ୍ଦ୍ରର ଶ୍ରେୟ : ବିଜେପି

Advertisment

ରାଜ୍ୟରେ ୭ଟି ନୂଆ ମେଡିକାଲ କଲେଜ ପାଇଁ କେନ୍ଦ୍ର ୭୧୭ କୋଟି ଟଙ୍କା ଦେଇଛି

ରାଜ୍ୟରେ ୭ଟି ନୂଆ ମେଡିକାଲ କଲେଜ ପାଇଁ କେନ୍ଦ୍ର ୭୧୭ କୋଟି ଟଙ୍କା ଦେଇଛି

ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ତାଲିକା ଜାରି କଲା ବିଜେପି

National Herald

ଭୁବନେଶ୍ୱର: ପୁରୀ ଓ ଯାଜପୁର ମେଡିକାଲ କଲେଜ ପାଇଁ ବିଜେଡି ପକ୍ଷରୁ ରାଜ୍ୟ ସରକାରଙ୍କୁ ଶ୍ରେୟ ଦିଆଯାଉଥିଲା ବେଳେ ତାହାକୁ ଗ୍ରହଣ କରି ନାହିଁ ବିଜେପି। ଉଭୟ ମେଡିକାଲ କଲେଜ କେନ୍ଦ୍ର ସରକାରଙ୍କ ‌ଅବଦାନ ବୋଲି ରାଜ୍ୟ ବିଜେପି କହିଛି। ଦଳ ପକ୍ଷରୁ କୁହାଯାଇଛି ଯେ ପ୍ରତ୍ୟେକ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନ ରହିଛି। ସେହି କ୍ରମରେ ଏଯାବତ ରାଜ୍ୟରେ ୭ଟି ନୂଆ ମେଡିକାଲ କଲେଜ ପାଇଁ କେନ୍ଦ୍ର ସରକାର ୭୧୭ କୋଟି ଟଙ୍କା ଓଡ଼ିଶାକୁ ଦେଇ ସାରିଲେଣି। ପ୍ରଥମ ପର୍ଯ୍ୟାୟରେ ବାଲେଶ୍ୱର, ବାରିପଦା, ବଲାଙ୍ଗୀର, କୋରାପୁଟ ଓ ପୁରୀରେ ମେଡିକାଲ କଲେଜ ନିର୍ମାଣ ପାଇଁ ୫୬୭ କୋଟି ଟଙ୍କା ଦେଇଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ ଯାଜପୁର ମେଡିକାଲ ପାଇଁ ୧୦୦ କୋଟି ଟଙ୍କା ଏବଂ ତୃତୀୟ ପର୍ଯ୍ୟାୟରେ କଳାହାଣ୍ଡି ମେଡିକାଲ ପାଇଁ ୫୦ କୋଟି ଟଙ୍କା କେନ୍ଦ୍ର ସରକାର ପ୍ରଦାନ କରିଛନ୍ତି । ରାଜ୍ୟରେ ମେଡିକାଲ କଲେଜ ନିର୍ମାଣ ପାଇଁ କେନ୍ଦ୍ର ସରକାର ୬୦ ଭାଗ ଅର୍ଥ ଦେଉଥିବା ବେଳେ ରାଜ୍ୟ ସରକାର ୪୦ ଭାଗ ଅର୍ଥ ଖର୍ଚ୍ଚ କରିଥା’ନ୍ତି । କେନ୍ଦ୍ର ସରକାର ୬୦ ଭାଗ ଅର୍ଥ ପ୍ରଦାନ କରିସାରିଥିବା ବେଳେ ରାଜ୍ୟ ସରକାର ତାଙ୍କ ୪୦ ପ୍ରତିଶତ ଭାଗରୁ କେତେ ଅର୍ଥ ଦେଇଛନ୍ତି ତାହା କାହିଁକି ସ୍ପଷ୍ଟ କରୁନାହାନ୍ତି ବୋଲି ବିଜେପି ପ୍ରଶ୍ନ କରିଛି।

ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ରାଜ୍ୟରେ ମେଡିକାଲ କଲେଜ ସ୍ଥାପନା କରିବାର ନିଷ୍ପତ୍ତି ରାଜ୍ୟ ସରକାର କ୍ୟାବିନେଟ୍‌ରେ ନେଇଛନ୍ତି ବୋଲି ମିଥ୍ୟା କଥା କହି ଓଡ଼ିଶାବାସୀଙ୍କୁ ଭ୍ରମିତ କରାଯାଉଛି। ଅତୀତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସଫଳତାକୁ ବିଜୁ ପକ୍କା ଘର ଖାତାରେ ପକାଇବା, ଟଙ୍କିକିଆ ଚାଉଳ ଓ ୧୦୮ ଆମ୍ବୁଲାନ୍ସକୁ ନିଜର ବୋଲି ପ୍ରଚାର କରିବା ଭଳି ମେଡିକାଲ କଲେଜର ଶ୍ରେୟ ମଧ୍ୟ ନେବା ପାଇଁ ଅପଚେଷ୍ଟା କରୁଛନ୍ତି ନବୀନ ସରକାର। ମିଥ୍ୟା ତଥ୍ୟ ଦେଇ ମୋବାଇଲକୁ ମେସେଜ ପଠାଇ ଓଡ଼ିଶାବାସୀଙ୍କୁ ଭଣ୍ଡେଇ ନିର୍ବାଚନ ଜିତିବାକୁ ମୁଖ୍ୟମନ୍ତ୍ରୀ ଅପଚେଷ୍ଟା କରୁଛନ୍ତି। ଓଡ଼ିଶାବାସୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କୌଣସି ସ୍ୱାସ୍ଥ୍ୟଗତ ସୁବିଧା ପାଇପାରୁ ନ ଥିବା ବେଳେ ରାଜ୍ୟ ସରକାର କାହିଁକି ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରି ସାଧାରଣ ଗରିବ ଲୋକକୁ ଉପକୃତ କରାଉ ନାହାନ୍ତି ବୋଲି ଶ୍ରୀମତୀ ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାନେତ୍ରୀ ଅନୀତା ଶୁଭଦର୍ଶିନୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe