ରାଉରକେଲାରେ କ୍ରିକେଟ ବେଟିଂ, କପଡ଼ା ବ୍ୟବସାୟୀଙ୍କ ସହ ୨ ଗିରଫ

Advertisment

୩୧ଲକ୍ଷ ଟଙ୍କା, ଏଲ୍‌ଇଡି ଟିଭି, ୧୭ ମୋବାଇଲ ଜବତ

୩୧ଲକ୍ଷ ଟଙ୍କା, ଏଲ୍‌ଇଡି ଟିଭି, ୧୭ ମୋବାଇଲ ଜବତ

ରାଉରକେଲାରେ କ୍ରିକେଟ ବେଟିଂ, କପଡ଼ା ବ୍ୟବସାୟୀଙ୍କ ସହ ୨ ଗିରଫ

ରାଉରକେଲା: ଇସ୍ପାତ ସହରରେ ବିଶ୍ବକପ୍‌ କ୍ରିକେଟ୍‌କୁ ନେଇ ବେଟିଂ(ଜୁଆ ଖେଳ) ଚଳାଇଥିବା ଏକ ରାକେଟ୍‌ର ପର୍ଦ୍ଦାଫାସ୍ କରିଛି ପ୍ଲାଣ୍ଟସାଇଟ୍‌ ପୁଲିସ। ଥାନା ଅଧିକାରୀ ଅନୀଲ କୁମାର ପ୍ରଧାନଙ୍କ ନେତୃତ୍ବରେ ଗଠିତ ସ୍ବତନ୍ତ୍ର ଟିମ୍‌ ଗତକାଲି ବିଳମ୍ବିତ ରାତିରେ ଜନତା ନିବାସ ଗଳିରେ ଚାଲିଥିବା ବେଟିଂ ଆଡ଼ା ଉପରେ ଚଢ଼ଉ କରି ଦୁଇଜଣଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ଜନତା ନିବାସ ଗଳିର କପଡ଼ା ବ୍ୟବସାୟୀ ନାଗରମଲ ଅଗ୍ରୱାଲ (୫୮) ଓ ତାଙ୍କ କର୍ମଚାରୀ ଦେଓଗାଁ ମାର୍କେଟର ସୁନୀଲ କୁମାର ସିଂଘଲ (୩୮)। ସେମାନଙ୍କ ନିକଟରୁ ନଗଦ ୩୧ ଲକ୍ଷ ୧୭ ହଜାର ୫୭୦ ଟଙ୍କା, ଏଲ୍‌ଇଡି ଟିଭି ଓ ୧୭ଟି ମୋବାଇଲ ଜବତ କରା ଯାଇଛି। ଏହି ବେଟିଂର ଚେର ରାଉରକଲୋରୁ ଛତିଶଗଡ଼ର ରାୟପୁର ପର୍ଯ୍ୟନ୍ତ ଲମ୍ବିଥିବାବେଳେ ଏହି ଅନ୍ତଃରାଜ୍ୟ ରାକେଟ୍‌ରେ ରାୟପୁରର ଜଣେ କିଙ୍ଗପିନ୍‌ ଖେଳକୁ ନିୟନ୍ତ୍ରଣ କରୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ବୋଲି ରାଉରକେଲା ଏସ୍‌ପି ଡ. ସାର୍ଥକ ଷଡ଼ଙ୍ଗୀ କହିଛନ୍ତି।

ଝିଅ ବାହାଘର ପାଇଁ ଆମେରିକା ଯାଇଥା‌ନ୍ତେ ଗିରଫ ବ୍ୟବସାୟୀ
ରାୟପୁରରୁ ବେଟିଂ ନିୟନ୍ତ୍ରିତ କରୁଥିଲା କିଙ୍ଗପିନ୍‌

ଆଜି ପ୍ଲାଣ୍ଟସାଇଟ୍‌ ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ଡ. ଷଡ଼ଙ୍ଗୀ କହିଥିଲେ, ଗତ ମେ’ ୩୦ରୁ ଏହି କାରବାର ସହରର ବିଭିନ୍ନ ସ୍ଥାନରେ ଚାଲୁଥିଲା। କୌଣସି ନିର୍ଦ୍ଦିଷ୍ଟ ସ୍ଥାନରେ ବେଟିଂ ଚାଲୁ ନ ଥିବାରୁ ପୁଲିସ ସେମାନଙ୍କୁ ଧରିବାରେ ସଫଳ ହୋଇ ପାରୁ ନ ଥିଲା। ତେବେ ବେଟିଂରେ ସଂପୃକ୍ତ ଅନେକ ଲୋକଙ୍କର ଗତିବିଧି ଉପରେ ପୁଲିସ କଡ଼ା ନଜର ରଖିଥିଲା। ଗତକାଲି ରାତିରେ ନାଗରମଲ ନିଜ ବାସଭବନରେ ସହଯୋଗୀ ସୁନୀଲଙ୍କ ସହ ବେଟିଂ କରୁଥିବା ସୂଚନା ପାଇ ପୁଲିସ ଚଢ଼ଉ କରିଥିଲା। ଜବତ ହୋଇଥିବା ଟଙ୍କା ଭାରତ-ପାକିସ୍ତାନ ଏବଂ ବାଂଲାଦେଶ-ଆଫଗାନିସ୍ତାନ ମ୍ୟାଚ୍‌ ଉପରେ ଲାଗିଥିଲା। ଅଭିଯୁକ୍ତମାନେ ମୋବାଇଲ୍‌ ଏସ୍‌ଏମ୍‌ଏସ୍‌ ଜରିଆରେ ବେଟିଂ କରୁଥିଲେ। ବାଜି ଲଗାଉଥିବା ଲୋକମାନେ ନିଜର ମନ ପସନ୍ଦର ଖେଳାଳି ଓ ଦଳଙ୍କ ନାଁରେ ଅନ୍‌ଲାଇନରେ ଟଙ୍କା ଜମା କରୁଥିଲେ। ଏହାକୁ ରାୟପୁରରେ ଥାଇ କିଙ୍ଗପିନ୍‌ ନିୟନ୍ତ୍ରଣ କରୁଥିଲା। ବାଜିରେ ଜିତୁଥିବା ଜୁଆଡ଼ି ଜମା କରିଥିବା ଟଙ୍କାର ୨ରୁ ୧୦ ଗୁଣ ପର୍ଯ୍ୟନ୍ତ ଟଙ୍କା ପାଉଥିଲେ। ରାଉରକେଲାରେ ବାଜି ଲଗାଉଥିବା ଲୋକମାନେ ସେହି ଟଙ୍କା ଅଭିଯୁକ୍ତ ନାଗରମଲଠାରୁ ଆସି ନେଉଥିଲେ। ଏସ୍‌ଏମ୍‌ଏସ୍‌ଗୁଡ଼ିକ କେବଳ ରାଉରକେଲା ନୁହେଁ, ଜିଲ୍ଲା ଏବଂ ବାହାର ରାଜ୍ୟରୁ ଆସୁଥିଲା କି ନାହିଁ ଏବଂ ଟଙ୍କା ନେଣଦେଣ ବ୍ୟାଙ୍କ ଜରିଆରେ ବି ହେଉଥିଲା କି ନାହିଁ ତାହା ମଧ୍ୟ ଯାଞ୍ଚ ହେବ ବୋଲି ପୁଲିସ କହିଛି। ଏହି ବେଟିଂ ରାଉରକେଲାର ନାଲାରୋଡ ସମେତ ଆହୁରି ଏକାଧିକ ସ୍ଥାନରେ ଚାଲୁଥିବାର ସୂଚନା ଆଧାରରେ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି। ଖବର ମିଳିଛି ଯେ ଅଭିଯୁକ୍ତ ନାଗମଲ ବେଟିଂରୁ ଜବତ ଟଙ୍କା ନେଇ ଆମେରିକା ଯିବାକୁ ପ୍ରସ୍ତୁତ ହେଉଥିଲେ। ସେଠାରେ ଏଇ ୨୯ ତାରିଖରେ କୁଆଡ଼େ ତାଙ୍କ ଝିଅର ବାହାଘର ହେବାର ଥିଲା। ଏଥିପାଇଁ ସେ ପତ୍ନୀଙ୍କ ସହ ଆମେରିକା ଯିବା ପାଇଁ ସେ ବିମାନ ଟିକେଟ କରି ସାରିଥିଲେ। ଆଜି ସମଲେଶ୍ବରୀ ଏକ୍ସପ୍ରେସ୍‌ରେ ସେମାନେ କୋଲକାତା ଯାଇଥାନ୍ତେ। ସେଠାରୁ ହଂକଂ ଦେଇ ଆମେରିକା ଯିବାର ଥିଲା। ତା’ ପୂର୍ବରୁ ପୁଲିସ ପଞ୍ଝାରେ ପଡ଼ିଯିବାରୁ ନାଗମଲଙ୍କ ସମସ୍ତ ଯୋଜନା ଫେଲ୍ ମାରି ଯାଇଛି।

ଉଲ୍ଲେଖଯୋଗ୍ୟ, ଗତ ୨୦୧୮ ମେ’ ୧୨ରେ ସହରରେ ଚାଲିଥିବା ଆଇପିଏଲ୍‌ ବେଟିଂକୁ ପୁଲିସ ଠାବ କରିଥିଲା। ଏହି ଘଟଣାରେ ପୁଲିସ ୩ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କଠାରୁ ନଗଦ ୯ ଲକ୍ଷ ଟଙ୍କା, ୩ଟି ଏଲ୍‌ଇଡି ଟିଭି, ଲାପଟପ୍‌ ଓ ୩୩ଟି ମୋବାଇଲ ଜବତ ହୋଇଥିଲା। ଏହି ବେଟିଂ କାରବାରରେ କିଙ୍ଗପିନ୍‌ ମହାରାଷ୍ଟ୍ର ନାଗପୁର ଥିବା ପୁଲିସ ଜାଣିବାକୁ ପାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe