ହକି ଅନ୍ତୁଡ଼ିଶାଳରେ କ୍ରିକେଟ୍‌ ଅବହେଳିତ, ତୃଣମୂଳ କ୍ରିକେଟ୍‌ର ବିକାଶରେ ଅର୍ଥ ବାଧକ

Advertisment

ଓସିଏ ଅନୁଦାନ ନାଁକୁ ମାତ୍ର, ଭୟରେ ମୁହଁ ଖୋଲୁନି ଜିଲ୍ଲା ସଂଘ!

ଓସିଏ ଅନୁଦାନ ନାଁକୁ ମାତ୍ର, ଭୟରେ ମୁହଁ ଖୋଲୁନି ଜିଲ୍ଲା ସଂଘ!

ହକି ଅନ୍ତୁଡ଼ିଶାଳରେ କ୍ରିକେଟ୍‌ ଅବହେଳିତ, ତୃଣମୂଳ କ୍ରିକେଟ୍‌ର ବିକାଶରେ ଅର୍ଥ ବାଧକ

ରାଉରକେଲା: ଜାତୀୟ ସ୍ତରରେ କ୍ରିକେଟ ସମସ୍ତଙ୍କ ଦୃଷ୍ଟିର କେନ୍ଦ୍ରରେ ରହିଛି ଓ କ୍ରିକେଟ ଯେତିକି ଅର୍ଥ ପାଉଛି, ଅନ୍ୟ ଖେଳଗୁଡ଼ିକ ସେଥିରୁ ବଞ୍ଚିତ ହେଉଛନ୍ତି ବୋଲି ଆଲୋଚନା ହେଉଥିବାବେଳେ ହକିର ଅନ୍ତୁଡ଼ିଶାଳ ସୁନ୍ଦରଗଡ଼ ଜିଲ୍ଲାରେ, ବିଶେଷକରି ରାଉରକେଲାରେ କ୍ରିକେଟ ଦିନକୁ ଦିନ ଅବହେଳିତ ହୋଇ ପଡୁଛି। ଆଉ ଏହାର ପ୍ରମୁଖ କାରଣ ହେଉଛି ଓଡ଼ିଶା କ୍ରିକେଟ୍‌ ଆସୋସିଏସନ(ଓସିଏ)ର ଚିରାଚରିତ ଅବହେଳା।

କେବଳ ରାଜ୍ୟ ନୁହେଁ, ବରଂ ଦେଶର କ୍ରୀଡ଼ା ଜଗତରେ ସୁନ୍ଦରଗଡ଼ ଜିଲ୍ଲାର ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ଏହି ମାଟିରୁ ହକି, କ୍ରିକେଟ୍‌, ଫୁଟବଲ, ଭଲିବଲ, ସାଇକ୍ଲିଂ ଆଦି ଭିନ୍ନ ଭିନ୍ନ ବର୍ଗରେ ଏଠାକାର କ୍ରୀଡ଼ାବିତ୍‌ ଏକାଧିକ କୃତିତ୍ବ ଅର୍ଜନ କରିଛନ୍ତି। ମାତ୍ର ହକି ଭଳି ଅନ୍ୟ କ୍ରୀଡ଼ାର ବିକାଶ ପାଇଁ ଏତେ ଗୁରୁତ୍ବ ଦିଆଯାଉନି। ବିଶେଷକରି, କ୍ରିକେଟ୍‌ର ବିକାଶ ପାଇଁ ଯେଭଳି ଅଗ୍ରାଧିକାର ଦିଆଯିବା କଥା; ତାହା ମିଳିପାରୁନି। ଫଳରେ ପୂର୍ବରୁ ଏକାଧିକ ତାରକା କ୍ରିକେଟର୍‌ ତିଆରିଥିବା ରାଉରକେଲା, ଏବେ ତା’ର ପୂର୍ବ ଚମକ ହରାଇବାରେ ଲାଗିଛି।

ସୁନ୍ଦରଗଡ଼ ଜିଲ୍ଲାରେ ଓସିଏ ଅନୁବନ୍ଧିତ ଦୁଇଟି ସଂଘ ଅଛି। ସେଗୁଡ଼ିକ ହେଲା ସୁନ୍ଦରଗଡ଼ ଓ ଆର୍‌ଏସ୍‌ପି। ଆର୍‌ଏସ୍‌ପି ବା ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ସଂଘ ପ୍ରକୃତପକ୍ଷେ ରାଉରକେଲା ଇସ୍ପାତ କାରଖାନା ସମେତ ସମଗ୍ର ରାଉରକେଲା ସହର ତଥା ପାର୍ଶ୍ବବର୍ତ୍ତୀ ଅଞ୍ଚଳକୁ ପ୍ରତିନିଧିତ୍ବ କରେ। ସୁନ୍ଦରଗଡ଼ ଜିଲ୍ଲାରୁ ଯେଉଁ ରାଜ୍ୟସ୍ତରୀୟ ତାରକାମାନେ ବାହାରିଛନ୍ତି, ତା’ ଭିତରୁ ପ୍ରାୟତଃ ସମସ୍ତେ ଏହିଠାରୁ। ଗୋଟିଏ ସମୟରେ ତ ରାଜ୍ୟ କ୍ରିକେଟ ଦଳର ରାଜଭାଗ ‌ତାରକା ଏହିଠାରୁ ଯାଉଥିଲେ। ସୁନ୍ଦରଗଡ଼ ସଂଘକୁ ପୂର୍ଣ୍ଣମାନ୍ୟତା ଦିଆଯାଇ ଅନ୍ୟ ସବୁ ଜିଲ୍ଲା ଭଳି ସମସ୍ତ ସୁବିଧା ଦିଆଯାଉଥିବାବେଳେ ଆର୍‌ଏସ୍‌ପିକୁ କିନ୍ତୁ ଏସବୁ ସେବା ମିଳିପାରୁନି।

ଉଭୟ ସଂସ୍ଥାର ଭୋଟ୍‌ ଅଧିକାର ରହିଛି; କିନ୍ତୁ ଅନୁଦାନରେ ଆକାଶପାତାଳ ଫରକ ରହିଛି। ସୁନ୍ଦରଗଡ଼ ଜିଲ୍ଲା ସଂଘକୁ ବାର୍ଷିକ ୨ ଲକ୍ଷ ୬୦ ହଜାର ଟଙ୍କା ଅନୁଦାନ ଆସୁଥିବାବେଳେ ଆର୍‌ଏସ୍‌ପିକୁ ବାର୍ଷିକ ପ୍ରାୟ ୧ ଲକ୍ଷ ଟଙ୍କା ଅନୁଦାନ ଆସୁଛି; ଏଥିରୁ ହିଁ ସମସ୍ତ ଟ୍ରାଏଲ୍‌ସ, ପ୍ରତିଯୋଗିତା ଆଦି ଆୟୋଜନ କରାଯାଉଛି। ଆଜିର ବ୍ୟୟବହୁଳ ସମୟରେ ଓସିଏର ଏହି ଅନୁଦାନ ସମୁଦ୍ରକୁ ଶଙ୍ଖେ ପାଣି ସଦୃଶ। ଅନୁଦାନ ପର୍ଯ୍ୟାପ୍ତ ହେଉନଥିବାରୁ ସୁନ୍ଦରଗଡ଼ ସଂଘକୁ ଜିଲ୍ଲା ଆଥଲେଟିକ୍‌ ଆସୋସିଏସନରୁ ଓ ଆର୍‌ଏସ୍‌ପି କ୍ରିକେଟ୍‌ ଆସୋସିଏସନକୁ ଇସ୍ପାତ କାରଖାନା ପକ୍ଷରୁ ସ୍ବତନ୍ତ୍ର ଅନୁଦାନ ଦିଆଯାଉଛି। କିନ୍ତୁ ତାହା ଯେ ଯଥେଷ୍ଟ ନୁହେଁ, ସେଥିରେ ସନ୍ଦେହ ନାହିଁ। କିନ୍ତୁ ଓସିଏ କର୍ତ୍ତୃପକ୍ଷଙ୍କ ରୋଷର ଶିକାର ହେବା ଭୟରେ କେହି ମୁହଁଖୋଲୁ ନାହାନ୍ତି।

ସଂଘର ପ୍ରକୃତ ବାର୍ଷିକ ବ୍ୟୟର ପରିମାଣ ଓସିଏ ପ୍ରାପ୍ତ ଅନୁଦାନଠାରୁ ଢ଼େର୍‌ ଅଧିକ। ସଂଘ ପକ୍ଷରୁ ବିଭିନ୍ନ କ୍ଷେତ୍ର, ଯଥା-ପଡ଼ିଆ ଏବଂ ପିଚ୍‌ର ମରାମତି ଓ ରକ୍ଷଣାବେକ୍ଷଣ, ପ୍ରାକ୍ଟିସ୍‌ ନେଟ୍‌, ବଲ୍‌, ବ୍ୟାଟ୍‌, ଗ୍ରାଉଣ୍ଡ୍‌ ଷ୍ଟାଫ୍‌ଙ୍କ ଦରମା, ୧୯ ବର୍ଷରୁ କମ୍‌, ୧୬ ବର୍ଷରୁ କମ୍‌ ଓ ୧୪ ବର୍ଷରୁ କମ୍‌ ଦଳର ଖେଳାଳିଙ୍କ ପାଇଁ ୟୁନିଫର୍ମ ଓ ପ୍ରାକ୍ଟିସ୍‌ ପାଇଁ ଅତିରିକ୍ତ ଗୋଟିଏ ଲେଖାଏଁ ଟି’ସାର୍ଟ ଦିଆଯାଇଥାଏ। ଏହାସହ ପ୍ରତିବର୍ଷ ଆନ୍ତଃ କ୍ଲବ ପ୍ରତିଯୋଗିତା ସହ ୧୯ ବର୍ଷରୁ କମ୍‌ ପୁରୁଷ ଓ ମହିଳା ଦଳ ପାଇଁ ଚୟନ ଶିବିର, ୧୬ ବର୍ଷରୁ କମ୍‌ ଦଳ ପାଇଁ ଶିବିର, କଳାହାଣ୍ଡି କପ୍‌ ପାଇଁ ଶିବିର, ସୁପର୍‌ଲିଗ୍‌ ପାଇଁ ଚୟନ ଶିବିର ଆଦି ଆୟୋଜନ କରାଯାଇଥାଏ। ଏତଦ୍‌ବ୍ୟତୀତ ଏଯାଏଁ ଜିଲ୍ଲା କ୍ରିକେଟ୍‌ ସଂଘକୁ କୋଚ୍‌ ଯୋଗାଇ ଦିଆଯାଇନି।

ଫଳରେ ସଂଘ ନିଜ ବ୍ୟୟରେ ସାମୟିକଭାବେ କୋଚ୍‌ ନିଯୁକ୍ତ କରି ଶିବିର ପରିଚାଳନା କରୁଛନ୍ତି। କେତେକ କୋଚ୍‌ ସ୍ବେଚ୍ଛାକୃତଭାବେ ମାଗଣାରେ ଶିବିର ପରିଚାଳନା କରୁଥିବାବେଳେ କେତେକ କୋଚ୍‌ଙ୍କୁ ପାଉଣା ଦେବାକୁ ପଡ଼ିଥାଏ; ଯାହାକି ଜିଲ୍ଲା ସଂଘ ହିଁ ବହନ କରୁଛି। ଏସବୁ ପାଇଁ ଓସିଏର ଅନୁଦାନ ନାଁକୁ ମାତ୍ର; ଏଥିରେ ଦ୍ବିମତ ନାହିଁ। ଅବଶ୍ୟ, ବାରବାଟୀ ଷ୍ଟାଡିୟମରେ ଅନ୍ତର୍ଜାତୀୟ ମ୍ୟାଚ୍‌ ହେଲେ କମିସନ ବାବଦକୁ ସମସ୍ତ ଜିଲ୍ଲା ସଂଘକୁ ଭାଗ ଆକାରରେ ୬୦-୭୦ ହଜାର ଟଙ୍କା ଲେଖାଏଁ ଅତିରିକ୍ତ ଅନୁଦାନ ଦିଆଯାଇଥାଏ। ବାସ୍‌, ଏତିକି ସୀମିତ ଅନୁଦାନରେ ତୃଣମୂଳସ୍ତରରେ କ୍ରିକେଟ୍‌ର ତଥାକଥିକ ବିକାଶ କରୁଛି ଓସିଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe