କ୍ରାଇମ୍‌ବ୍ରାଞ୍ଚ ଅଫିସରଙ୍କ ଦୁଇ ଝିଅ ବନ୍ଦୀ!

Advertisment

ତିନି ବର୍ଷ ପରେ ମୁକୁଳିଲେ ଘରୁ, ଚିକିତ୍ସା ପାଇଁ ଏସ୍‌ସିବିରେ ଭର୍ତ୍ତି

ତିନି ବର୍ଷ ପରେ ମୁକୁଳିଲେ ଘରୁ, ଚିକିତ୍ସା ପାଇଁ ଏସ୍‌ସିବିରେ ଭର୍ତ୍ତି

କ୍ରାଇମ୍‌ବ୍ରାଞ୍ଚ ଅଫିସରଙ୍କ ଦୁଇ ଝିଅ ବନ୍ଦୀ!

କଟକ : ତିନି ବର୍ଷ ହେଲା ଘର ଭିତରେ ଏକପ୍ରକାର ବନ୍ଦୀ ଜୀବନ କାଟୁଥିଲେ ଦୁଇ ଝିଅ। ବାପା ତାଙ୍କର ଥିଲେ ପୁଲିସ୍‌ ବିଭାଗ କ୍ରାଇମବ୍ରାଞ୍ଚ୍‌ର ଇନ୍ସପେକ୍ଟର। ବାପାଙ୍କ ମୃତ୍ୟୁ ପରେ ସେମାନଙ୍କର ଏଭଳି ଅବସ୍ଥା ହୋଇଥିବା ବେଳେ ତାଙ୍କ ନିଜ ବଡ଼ ଭଉଣୀ ତାଙ୍କୁ ଏଭଳି ବନ୍ଦୀ କରି ରଖିଥିବା ଅଭିଯୋଗ ହେଉଛି। ବିଡାନାସୀରେ ଥିବା ଏକ ଘର ଟି.କରିସ୍ମା(୨୩) ଏବଂ ଟି. ଜୟଶ୍ରୀ(୨୪)ଙ୍କୁ ଆଜି ରାତିରେ ଉଦ୍ଧାର କରାଯିବା ସହ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ବିଡାନାସୀ ଥାନା ଅନ୍ତର୍ଗତ ଜେଜେ ହୋମ୍‌ ଲେନ୍‌ ଅଞ୍ଚଳର ଟି.କାମେଶ୍ୱର ରାଓ କ୍ରାଇମ୍‌ବ୍ରାଞ୍ଚରେ ଇନ୍‌ସ୍ପେକ୍ଟର ଭାବେ କାର୍ଯ୍ୟ କରୁଥିଲେ । ଚାକିରିରୁ ଅବସର ଗ୍ରହଣ କରିବା ପରେ ୨୦୧୬ରେ ତାଙ୍କର ଦେହାନ୍ତ ହୋଇଥିଲା । ତାଙ୍କ ପରେ ପରେ ତାଙ୍କ ସ୍ତ୍ରୀଙ୍କ ମଧ୍ୟ ଦେହାନ୍ତ ହୋଇଥିଲା । ବାପା ବୋଉଙ୍କ ମୃତ୍ୟୁ ପରେ ବଡ଼ ଝିଅ ଟି. ରାଜଶ୍ରୀ ଅନ୍ୟ ତିନି ଭଉଣୀଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ହେଉଛି। ଦୁଇ ନମ୍ବର ଭଉଣୀ ସ୍ଥାନୀୟ ଶୈଳବାଳା କଲେଜ୍‌ରେ ପଢ଼ୁଥିବା ବେଳେ ଦିନେ କଲେଜ୍‌ ଯାଇ ଆଉ ଘରକୁ ଫେରି ନଥିଲେ। ସେ ବି ଭଉଣୀର ନିର୍ଯାତନାରେ ଘର ଛାଡ଼ି ଚାଲିଯାଇଥିବା କୁହାଯାଉଛି । ଅନ୍ୟ ଦୁଇ ଭଉଣୀ ଟି.କରିସ୍ମା ଏବଂ ଟି. ଜୟଶ୍ରୀଙ୍କୁ ବଡ଼ ଭଉଣୀ ପାଖାପାଖି ୩ ବର୍ଷ ହେବ ଏକ ଘର ଭିତରେ ବନ୍ଦୀ କରି ରଖିଥିଲେ।

ଆଜି ଆଶ୍ୱସ୍ତି ଫାଉଣ୍ଡେସନ୍‌ ଏବଂ ଚାଇଲ୍ଡଲାଇନ୍‌ ଏ ସଂପର୍କରେ ଖବର ପାଇ ବିଡାନାସୀ ଥାନା ପୁଲିସର ସହଯୋଗରେ ଅପରାହ୍ନ ପ୍ରାୟ ୩ଟା ବେଳେ ଘର ଉପରେ ଚଢ଼ଉ କରିଥିଲେ। କିନ୍ତୁ ବଡ଼ ଭଉଣୀ କବାଟ ଖୋଲି ନଥିଲେ। ପୁଲିସ ସହାୟତାରେ ଘରର ତାଲା ଭାଙ୍ଗି ରାତି ପ୍ରାୟ ୧୦ଟା ବେଳେ ନିର୍ଦ୍ଦିଷ୍ଟ ଏକ କୋଠରୀରୁ ଦୁଇ ଭଉଣୀଙ୍କୁ ପୁଲିସ ଉଦ୍ଧାର କରିଥିଲା। ଚାଇଲ୍ଡ ଲାଇନ୍‌ ସଂଯୋଜକ ନାରାୟଣ ଶୁକ୍ଳାଙ୍କ ଅଭିଯୋଗ ଅନୁଯାୟୀ, ବହୁ କଷ୍ଟରେ ଉଭୟଙ୍କୁ ଘରର ତାଲା ଖୋଲି ଉଦ୍ଧାର କରାଯାଇଥିଲା। ସାନ ଭଉଣୀ କରିସ୍ମା ଦେହରେ ଘା’ ହୋଇଯାଇଥିବା ବେଳେ ତା’ ଉପର ଭଉଣୀ ଜୟଶ୍ରୀ ସିଢ଼ି ତଳେ ପଡ଼ିଥିଲେ। ଉଭୟଙ୍କୁ ତୁରନ୍ତ ପୁଲିସ ସହାୟତାରେ ଉଦ୍ଧାର କରାଯାଇ ବଡ଼ ମେଡିକାଲ୍‌ର ଜରୁରିକାଳୀନ ଓ୍ଵାର୍ଡରେ ଭର୍ତ୍ତି କରାଯାଇଥିଲା । ଅନ୍ୟପଟେ ବିଡାନାସୀ ଥାନା ଆଇଆଇସି ପ୍ରଦୀପ ରାଉତ କହିଛନ୍ତି ଯେ ବଡ଼ ଭଉଣୀ ଟି. ରାଜଶ୍ରୀ ଏପ୍ରକାର ଅଭିଯୋଗକୁ ସଂପୂର୍ଣ୍ଣ ଖଣ୍ଡନ କରୁଛନ୍ତି। ସେ କାହାକୁ ବନ୍ଦୀ କରି ରଖି ନଥିଲେ ବୋଲି ଟି. ରାଜଶ୍ରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe