ସାକ୍ଷୀଙ୍କୁ ସୁରକ୍ଷା ଦିଅ : ଜିଲ୍ଲା ଏସ୍‌ପିଙ୍କୁ କ୍ରାଇମ୍‌ବ୍ରାଞ୍ଚର ଚିଠି

Advertisment
ବଣ୍ଟି ଅଗ୍ରଓ୍ଵାଲ ନାଁରେ ଚାର୍ଜସିଟ୍‌ ଦାଖଲ କଲା କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର : ଅନେକ ଜଘନ୍ୟ ଅପରାଧ ଘଟଣାର ସାକ୍ଷୀମାନଙ୍କୁ ଅଭିଯୁକ୍ତମାନେ ବିଭିନ୍ନ ଉପାୟରେ ପ୍ରଭାବିତ କରୁଛନ୍ତି। ମାମଲା ରଫାଦଫା କରିବାକୁ ଧମକ ଚମକ ଦିଆଯାଉଛି। ଏହି କାରଣରୁ ଅନେକ ସମ୍ବେଦନଶୀଳ ମାମଲାରେ ଅଭିଯୁକ୍ତମାନେ କୋର୍ଟରୁ ନିର୍ଦୋଷରେ ଖଲାସ ହେଉଛନ୍ତି। ତେଣୁ ଅଭିଯୁକ୍ତମାନଙ୍କୁ କୋର୍ଟରେ ଦୋଷୀ ସାବ୍ୟସ୍ତ କରିବାକୁ ପ୍ରଥମେ ସାକ୍ଷୀମାନଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦେବାକୁ ପଡ଼ିବ। ଆଜି କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଏଭଳି ଏକ ୧୫ ସୂତ୍ରୀ ସର୍କୁଲାର ଜାରି କରାଯାଇଛି। ଏହି ସର୍କୁଲାର୍‌କୁ ରାଜ୍ୟର ସମସ୍ତ ଜିଲ୍ଲା ଏସ୍‌ପି, ଡିଆଇଜି ଓ କମିସନରେଟ୍‌ ପୁଲିସକୁ ପଠାଇ ଦିଆଯାଇଛି।

କ୍ରାଇମ୍‌ବ୍ରାଞ୍ଚ ଏଡିଜି ସନ୍ତୋଷ କୁମାର ଉପାଧ୍ୟାୟଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଗତ କିଛି ଦିନ ତଳେ ପୁଲିସ ଅଫିସରଙ୍କ ବୈଠକରେ ସାକ୍ଷୀମାନଙ୍କୁ ସୁରକ୍ଷା ଦେବା ନେଇ ଆଲୋଚନା ହୋଇଥିଲା। ଏହା ପରେ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଅନେକ ତନାଘନା ପରେ ଏକ ସର୍କୁଲାର ଜାରି କରାଯାଇଛି।

ସର୍କୁଲାରରେ କୁହାଯାଇଛି କି, ସାକ୍ଷୀମାନଙ୍କୁ ପୁଲିସ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦେବ। ଯେଉଁ ଦିନ କୋର୍ଟରେ ଶୁଣାଣି ଥିବା ସେହି ଦିନ ସଂପୃକ୍ତ ମାମଲାର ତଦନ୍ତକାରୀ ଅଫିସର ସାକ୍ଷୀଙ୍କୁ ସାଙ୍ଗରେ ଧରି କୋର୍ଟକୁ ଆସିବେ। ଯେ କୌଣସି ପରିସ୍ଥିତିରେ ସାକ୍ଷୀ ଓ ଅଭିଯୁକ୍ତମାନେ ଯେମିତି ମୁହାଁମୁହିଁ ନ ହେବେ ତାର ବ୍ୟବସ୍ଥା କରିବେ। କୌଣସି ସମ୍ବେଦନଶୀଳ ମାମଲାରେ ଅଭିଯୁକ୍ତମାନେ ଜାମିନ୍‌ରେ ଥିବାବେଳେ ଯେମିତି ସେମାନେ ସାକ୍ଷୀଙ୍କୁ ପ୍ରଭାବିତ ନ କରିବେ ତାକୁ ପୁଲିସ ଦୃଷ୍ଟିରେ ରଖିବ। କୌଣସି ମାମଲାରେ ଅଭିଯୁକ୍ତ ଜଣକ ଜାମିନ ପାଇ ସାକ୍ଷୀଙ୍କୁ ଧମକ ଚମକ ଦେଲେ ତା ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ଵାନ ଜାରି କରି ପୁଣି ଥରେ ଗିରଫ କରି ଜେଲ ପଠାଇବେ। ଆବଶ୍ୟକ ପଡ଼ିଲେ ତଦନ୍ତକାରୀ ଅଫିସର ପରବର୍ତୀ ସମୟରେ ସ୍ଥାନୀୟ ଥାନାର ସହଯୋଗ ନେଇ ପାରିବେ। ଦୁଷ୍କର୍ମ, ହତ୍ୟା, ଡକାୟତି ଓ ଦଙ୍ଗା ଭଳି ସମ୍ବେଦନଶୀଳ ମାମଲାରେ ଜଣେ ଜଣେ ହୋଲ୍‌ଡିଂ ଆଇଓ ରଖିବାକୁ ପଡ଼ିବ। ଜିଲ୍ଲା ପୁଲିସ ଜଣେ ପୁଲିସ ଅଧିକାରୀଙ୍କୁ ନିଯୁକ୍ତି ଦେବେ, ଯିଏ କୋର୍ଟରେ ହେଉଥିବା ଶୁଣାଣି ଉପରେ ନଜର ରଖିବେ। କେଉଁ ମାମଲାରେ ଅଭିଯୁକ୍ତ ଜାମିନ୍‌ ପାଇଲେ, ଖଲାସ ହେଲେ କିମ୍ବା ଦୋଷୀ ସାବ୍ୟସ୍ତ ହେଲେ ତାର ତର୍ଜମା ଉକ୍ତ ଅଧିକାରୀ ଜଣକ କରି ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇବେ। ଆବଶ୍ୟକ ସ୍ଥଳେ କୋର୍ଟ ଓ ଜେଲ ମଧ୍ୟରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଶୁଣାଣି କରି ସମୟ ବଞ୍ଚାଇବେ।

ଏହା ଛଡ଼ା ଥାନାରେ ମାମଲା ରୁଜୁ ହେବା ପରେ ପୀଡ଼ିତା ଓ ଅଭିଯୁକ୍ତଙ୍କୁ ଅଲଗାଅଲଗା ଗାଡ଼ିରେ ଡାକ୍ତରୀମାଇନା କରିବାକୁ ନେବେ। ପୁଲିସ ପୀଡ଼ିତାକୁ ଯଥେଷ୍ଟ ସୁରକ୍ଷା ଯୋଗାଇଦେବ। ଏପରିକି ତାର ପରିବାରକୁ ମଧ୍ୟ ପୁଲିସ ସୁରକ୍ଷା ଯୋଗାଇବ ବୋଲି ଏଡିଜି ଶ୍ରୀ ଉପାଧ୍ୟାୟ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe