ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଜିତୁ ଗୁରୁତର

Advertisment

ପାରା ହତ୍ୟା ମାମଲାରେ ସଂପୃକ୍ତ, ପିସ୍ତଲ, ଜୀବନ୍ତ ଗୁଳି ଓ ବାଇକ୍‌ ଜବତ

ପାରା ହତ୍ୟା ମାମଲାରେ ସଂପୃକ୍ତ, ପିସ୍ତଲ, ଜୀବନ୍ତ ଗୁଳି ଓ ବାଇକ୍‌ ଜବତ

ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଜିତୁ ଗୁରୁତର

ପିପିଲି : ଆଜି ଭୋର୍‌ ପ୍ରାୟ ସାଢେ ୪ଟା ବେଳେ ଦୁର୍ଦ୍ଦାନ୍ତ ଅପରାଧୀ ଜିତୁ ଓରଫ୍‌ ଜିତେନ୍ଦ୍ର ସାହୁକୁ ପିପିଲି ଓ କୁମ୍ଭାରପଡ଼ା ଥାନା ପୁଲିସ ପିପିଲି-ଜଟଣୀ ରାସ୍ତାର ବାରିମୂଳ ଛକଠାରେ ଏନ୍‌କାଉଣ୍ଟର କରିଛି। ତା’ଠାରୁ ୭.୬ ଏମ୍‌ଏମ୍‌ର ଏକ ପିସ୍ତଲ, ଦୁଇଟି ଅଫୁଟା ଗୁଳି ସହିତ ଗୋଟିଏ ବାଇକ୍ ଜବତ ହୋଇଥିବା ବେଳେ ଆହତ ଅବସ୍ଥାରେ ତାକୁ ଭୁବନେଶ୍ବର କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଜିତୁର ନିଜ ଘର ପୁରୀ ଅବକାଶ ଲେନ୍‌ରେ। ତା’ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି। ଗତ ଡିସେମ୍ବର ମାସରେ ପୁରୀ କୁମ୍ଭାରପଡ଼ା ଅଞ୍ଚଳର ସଂଜୟ ବେହେରା ଓରଫ ପାରାକୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ମାମଲାରେ ସଂପୃକ୍ତ ଜିତୁ ସେବେଠୁ ଫେରାର ଥିବା ବେଳେ ତାକୁ ଧରିବା ପାଇଁ ପୁରୀ ଏସ୍‌ପି ଡାକ୍ତର ସାର୍ଥକ ଷଡ଼ଙ୍ଗୀ ଦୁଇଟି ସ୍ବତନ୍ତ୍ର ଟିମ୍‌ ଗଠନ କରିଥିଲେ। ପାରାକୁ ହତ୍ୟା ପରେ ନୟାଗଡ଼ରେ ଆତ୍ମଗୋପନ କରିଥିଲା ଜିତୁ। ଗତକାଲି ରାତିରେ ଏକ ବାଇକ୍‌ରେ ସେ ଜଟଣୀ ଦେଇ ଫେରୁଥିବା ଖବର ପାଇ ପିପିଲି ଥାନା ଆଇଆଇସି ଶରତ କୁମାର ସାହୁ ଓ କୁମ୍ଭାରପଡ଼ା ଥାନା ଆଇଆଇସି ଅଭିମନ୍ୟୁ ନାୟକ ପୁଲିସ ଟିମ୍‌ ସହ କଣ୍ଟି ଓ ବାରିମୂଳଠାରେ ଜଗି ରହିଥିଲେ। ଶନିବାର ଭୋର୍‌ ପ୍ରାୟ ସାଢେ ୪ଟାରେ ଜିତୁକୁ ପିପିଲି ବାରିମୂଳ ଛକରେ ପୁଲିସ ଅଟକାଇବାରୁ ଅଚାନକ ସେ ପୁଲିସ ଉପରକୁ ଗୁଳିମାଡ଼ କରିଥିଲା। ଫଳରେ ପୁଲିସ ବାଧ୍ୟ ହୋଇ ଜିତୁକୁ ୨ ରାଉଣ୍ତ ଗୁଳି କରିଥିଲା। ସେଥିରୁ ଗୋଟିଏ ଗୁଳି ଜିତୁର ଡାହାଣ ଗୋଡ଼ ଆଣ୍ଠୁରେ ବାଜିଛି। ପ୍ରଥମେ ତାକୁ ପିପିଲି ହସ୍ପିଟାଲ ଓ ପରେ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏହା ହେଉଛି ପିପିଲି ପୁଲିସର ୪ ନଂବର ଏନକାଉଣ୍ଟର। ଏହା ପୂର୍ବରୁ ୨୦୧୮ ଜାନୁଆରି ମାସରେ ପିପିଲି କାଜିପାଟଣା ଗାଁ ନିକଟରେ ଚନ୍ଦନପୁର ଅଞ୍ଚଳର ଅପରାଧୀ ସୁବାସ ପ୍ରଧାନ, ମହାରାଷ୍ଟ୍ର ଓଖଲାର ଦୁର୍ଦ୍ଦାନ୍ତ ଅପରାଧୀ ଅମର ଓଁକାର ସୋଲାଙ୍କି ଏବଂ ପୁରୀ ପୌର ସଦସ୍ୟା ସତ୍ୟଭାମା ଗୁଳିକାଣ୍ତର ମୁଖ୍ୟ ଅଭିଯୁକ୍ତ ସବେର୍ଶ୍ବର ବେହେରାକୁ ପିପିଲି ଥାନା ପୁଲିସ ଏନ୍‌କାଉଣ୍ଟର କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe