ବର୍ଷ ଆରମ୍ଭରୁ ଡରାଇଲେଣି ଅପରାଧୀ: ସପ୍ତାହକରେ ୧୧ ଜଣଙ୍କୁ ହତ୍ୟା

Advertisment

ପୂର୍ବ ଶତ୍ରୁତାରୁ ହେଉ କି ରାଜନୈତିକ ଶତ୍ରୁତା। ପରକିୟା ପ୍ରୀତି ହେଉ କି ନିଶା କାରବାରକୁ ନେଇ ରକ୍ତ ରଂଜିତ ହେଉଛି ରାଜ୍ୟ। କିଏ ଦିବାଲୋକରେ ଗୁଳିକରି ତ ଆଉ କିଏ ଟ୍ରକ ଚଢ଼ାଇ ହତ୍ୟା କଲାଣି।

ପୂର୍ବ ଶତ୍ରୁତାରୁ ହେଉ କି ରାଜନୈତିକ ଶତ୍ରୁତା। ପରକିୟା ପ୍ରୀତି ହେଉ କି ନିଶା କାରବାରକୁ ନେଇ ରକ୍ତ ରଂଜିତ ହେଉଛି ରାଜ୍ୟ। କିଏ ଦିବାଲୋକରେ ଗୁଳିକରି ତ ଆଉ କିଏ ଟ୍ରକ ଚଢ଼ାଇ ହତ୍ୟା କଲାଣି।

murder22

ଭୁବନେଶ୍ବର: ପୂର୍ବ ଶତ୍ରୁତାରୁ ହେଉ କି ରାଜନୈତିକ ଶତ୍ରୁତା। ପରକିୟା ପ୍ରୀତି ହେଉ କି ନିଶା କାରବାରକୁ ନେଇ ରକ୍ତ ରଂଜିତ ହେଉଛି ରାଜ୍ୟ। କିଏ ଦିବାଲୋକରେ ଗୁଳିକରି ତ ଆଉ କିଏ ଟ୍ରକ ଚଢ଼ାଇ ହତ୍ୟା କଲାଣି। ବର୍ଷ ଆରମ୍ଭରୁ ରାଜ୍ୟରେ ୧୧ଜଣଙ୍କ ମୁଣ୍ଡ ଗଡ଼ିଲାଣି। ଗତ ସପ୍ତାହ ମଧ୍ୟରେ ଘଟିଥିବା ଏଭଳି କିଛି ଛାତିଥରା କାଣ୍ଡକୁ ନେଇ ସାରା ରାଜ୍ୟରେ ଆତଙ୍କ ଖେଳିଯାଇଛି। ଦିନକୁ ଦିନ ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ବିଗିଡ଼ିବା ସହ ଲୋକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରତିଦିନ ପୁଲିସକୁ ଚ୍ୟା‌ଲେଞ୍ଜ କରି ଅପରାଧୀଙ୍କ ଏଭଳି ଗୋଟିଏ ପରେ ଗୋଟିଏ କାଣ୍ଡ ଦେଖିଲେ ଲାଗୁଛି ଯେମିତି ପୁଲିସ ହାତରୁ ଆଇନ ଶୃଙ୍ଖଳା ଖସିଯାଇଛି। 

ନୂଆବର୍ଷ ସବୁଠି ଉତ୍ସାହ ଭରିଥିଲା ବେଳେ ପର୍ଜଙ୍ଗ ଥାନା ବସୋଇ ଗାଁରେ ଘଟିଥିଲା ବୀଭତ୍ସ ହତ୍ୟାକାଣ୍ଡ। ପୂର୍ବ ଶତ୍ରୁତାରୁ ଗାଁର ରାକେଶ ସେଠୀ (୨୮)ଙ୍କୁ ସେହି ଗ୍ରାମର ସରୋଜ ବିଶ୍ବାଳ ଓରଫ ମକୁ ନିର୍ମମ ଭାବେ ହତ୍ୟା କରିଥିଲା। ରାକେଶଙ୍କୁ ପ୍ରଥମେ ପିଟିପିଟି ହତ୍ୟା କରିବା ପରେ ଶବକୁ ଟାଙ୍ଗିଆରେ ଖଣ୍ଡ ଖଣ୍ଡ କରି ଗାଁ ଦାଣ୍ଡ ସାରା ଫିଙ୍ଗିଥିଲା। ନୂଆ ବର୍ଷ ଦିନ କୋରାପୁଟ ଜିଲ୍ଲାରେ ଘଟିଥିଲା ଦୁଇଟି ବୀଭତ୍ସ ହତ୍ୟା। ଭୋଜିକୁ ନେଇ ଗଣ୍ଡ‌ଗୋଳ ହୋଇଥିଲା ବେଳେ ବୋରିଗୁମ୍ମା ବ୍ଲକ୍‌ ନକୁଳଗୁଡ଼ା ଗାଁର ଜଗନ୍ନାଥ ମାଝୀ (୨୮)ଙ୍କୁ ହତ୍ୟା କରାଯାଇଥିଲା। ଘର ପଛପଟ ପରିବା କିଆରିରେ ରକ୍ତ ଜୁଡ଼ୁବୁଡ଼ୁ ଜଗନ୍ନାଥଙ୍କ ମୃତଦେହ ଠାବ ହୋଇଥିଲା। ସେହିପରି ବୈପାରିଗୁଡ଼ା ବ୍ଲକ ଦଶମନ୍ତପୁର ପଞ୍ଚାୟତ ଗାଡ଼ପୁଟ ଗାଁର ସଦନ ପାଙ୍ଗି (୬୦)ଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଆମଟିଗୁଡ଼ା-କାତପଡ଼ା ରାସ୍ତା ମଝିରେ ସଦନଙ୍କ ମୃତଦେହ ମିଳିଥିଲା। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା।

ପୁଲିସ୍‌କୁ ଅପରାଧୀଙ୍କ ଖୋଲା ଚ୍ୟାଲେଞ୍ଜ
ହାତରୁ ଖସୁଛି କି ଆଇନଶୃଙ୍ଖଳା

ଗତ ୩ ତାରିଖ ଅପରାହ୍ଣରେ ଯାଜପୁର ଜିଲ୍ଲାର ପାଣିକୋଇଲି ବଜାରରେ ୪ ଜଣ ଦୁର୍ବୃତ୍ତ ୨ଟି ବାଇକ୍‌ରେ ଆସି ଆତଙ୍କ ଖେଳାଇଥିଲେ। ସ୍ଥାନୀୟ ଅଞ୍ଚଳର ଏକ ସୁନାଦୋକାନରୁ ଲୁଟ୍ ପାଇଁ ଉଦ୍ୟମ କରିଥିଲେ। ଏଥି ପାଇଁ ସେମାନେ ଆଖିବୁଜା ଗୁଳିମାଡ଼ କରିଥିଲେ। ଗୋଟିଏ ଗୁଳି ଟାଟା କଂପାନିର ବିଦ୍ୟୁତ ଯୋଗାଣ ବିଭାଗରେ କାର୍ଯ୍ୟରତ ଡ୍ରାଇଭର ନୀଳମାଧବ ପଣ୍ଡା ଓ ଅନ୍ୟ ଏକ ଗୁଳି ସୁନା ଦୋକାନରେ କାର୍ଯ୍ୟରତ କର୍ମଚାରୀ ସୁନୀଲ ରାୟଙ୍କ ଦେହରେ ବାଜିଥିଲା। ଉଭୟ ନୀଳମାଧବ ଓ ସୁନୀଲଙ୍କୁ ଗୁରୁତର ଅବସ୍ଥାରେ ଯାଜପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥି‌ଲେ। ସମ୍ବଲପୁର ଜିଲ୍ଲା ଧନକଉଡ଼ା ବ୍ଲକ୍‌ ଅଞ୍ଚଳର ଦୁଇ ବିଜେପି ବରିଷ୍ଠ ନେତାଙ୍କ ଉପରେ ହାଇୱା ଚଢ଼ାଇ ହତ୍ୟା କରାଯିବା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତ ଦୁଇ ନେତା ହେଲେ ବିଜେପି ଗୋଶାଳା ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ ଓ କର୍ଡୋଲାର ପୂର୍ବତନ ସରପଞ୍ଚ ତଥା ଧନକଉଡ଼ା ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷା ସୀତା ଛୁରିଆଙ୍କ ସ୍ବାମୀ ମୁରଲୀଧର ଛୁରିଆ। ଗତ ୩ ତାରିଖ ଦିନ ରେଙ୍ଗାଲିର ପୂର୍ବତନ ବିଧାୟକ ନାଉରୀ ନାୟକଙ୍କ ସହିତ କର୍ଡ଼ୋଲା ଗ୍ରାମର ଦେବେନ୍ଦ୍ର ନାୟକ, ଚାରପାଲିର ମୁରଲୀଧର ଛୁରିଆ, ସୁରେଶ ଛନ୍ଦ, ରାମନାରାୟଣ ପଣ୍ଡା ଓ ସମ୍ବଲପୁରର ରୁଦ୍ରମଣି ପୋଢ଼ ଭୁବନେଶ୍ୱର ଯାଇଥିଲେ। ବିଳମ୍ବିତ ରାତିରେ ଫେରୁଥିବା ବେଳେ ୫୩ ନମ୍ବର ଜାତୀୟ ରାଜପଥର ଆ.କଟାପାଲି ଓଭରବ୍ରିଜ୍‌ ନିକଟରେ ଦ୍ରୁତ ଗତିରେ ଆସୁଥିବା ଏକ ହାଇୱା (ଓଡି୧୫ଟି୩୮୮୯) ବାରମ୍ବାର ଧକ୍କା ଦେବାରୁ କାର୍‌ଟି ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ଦେବେନ୍ଦ୍ର ନାୟକ ଓ ମୁରଲୀଧର ଛୁରିଆଙ୍କ ମୃତ୍ୟୁ ଘଟିଥିଲା। 

ଏହାଛଡ଼ା ପାରିବାରିକ କଳହ କିଭଳି ବୀଭତ୍ସ ଓ କରୁଣ ହୋଇପାରେ ତା’ର ନଗ୍ନ ଚିତ୍ର ମଧ୍ୟ ଦେଖିବାକୁ ମିଳିଥିଲା ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ କାଲେମା ଗ୍ରାମରେ। ଏହି ଗ୍ରାମର ଧର୍ମେନ୍ଦ୍ର ନାୟକ ତାଙ୍କ ପ୍ରଥମ ପତ୍ନୀ ଲାଲି ନାୟକ(୩୧)ଙ୍କୁ ପଥରରେ ଛେଚି ଅତି ନିର୍ମମ ଭାବେ ହତ୍ୟା କରିଥିଲା। ସେହିଭଳି ବ୍ରାଉନ୍‌ସୁଗାର କାରବାରକୁ ନେଇ ରାଜଧାନୀ ରକ୍ତ ରଂଜିତ ହୋଇଥିଲା। ପ୍ରବାସୀ ଭାରତୀୟ ଦିବସ ପାଇଁ ସାରା ସହରରେ ପୁଲିସ ଛାଉଣି ଥିଲେ ବି ସ୍ପଷ୍ଟ ଦିବାଲୋକରେ ରସୁଲଗଡ଼ ଛକ ଜାତୀୟ ରାଜପଥରେ ସହଦେବ ନାକୟଙ୍କୁ ଖଣ୍ଡାରେ ହାଣି ଅତି ନିର୍ମମ ଭାବେ ହତ୍ୟା କରାଗଲା। ଅନ୍ୟ ଏକ ଘଟଣାକ୍ରମରେ ପରକିୟା ସନ୍ଦେହରେ ନବରଂଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଅଞ୍ଚଳରେ ଉମାକାନ୍ତ ହରିଜନ ନାମକ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିଲା। ଡାକ୍ତରଖାନା ଯିବା ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe