ସଙ୍କଟରେ ଓଡ଼ିଆ ଯାତ୍ରା ଜଗତ

Advertisment

ବନ୍ଦ ହୋଇଯିବ ବହୁ ଯାତ୍ରାପାର୍ଟି!

ବନ୍ଦ ହୋଇଯିବ ବହୁ ଯାତ୍ରାପାର୍ଟି!

ସଙ୍କଟରେ ଓଡ଼ିଆ ଯାତ୍ରା ଜଗତ

ଭୁବନେଶ୍ୱର : ଦିନଥିଲା ବଲିଉଡ୍‌ ଓ ଓଲିଉଡ୍‌ ଜଗତ ସହ ସମାନ ଭାବେ ତାଳ ଦେଇ ଓଡ଼ିଶାର ଯାତ୍ରା ଜଗତ (ଜଲିଉଡ୍‌) ଗତିଶୀଳ ଥିଲା। ହଲିଉଡ୍‌ର ଆମଜାଦ୍‌ ଖାଁଙ୍କ ଡାଏଲଗ୍‌ ସହ ଜଲିଉଡ୍‌ର ଭିକୁ ସେଠ୍‌ର ଡାଏଲଗ୍‌କୁ ଲୋକେ ମନେ ପକାଉଥିଲେ। ଖାଲି ଓଡ଼ିଶା ନୁହେଁ, ଓଡ଼ିଶା ବାହାରେ ବି ଜଲିଉଡ୍‌କୁ ଛୁଟି ଆସୁଥିଲା ପ୍ରଶଂସାର ସୁଅ। କିନ୍ତୁ ଏବେ ସଂକଟରେ ପଡ଼ିଛି ଓଡ଼ିଆ ଯାତ୍ର୍ରା ଜଗତ। ବନ୍ଦ ହେବାକୁ ବସିଛି ବହୁ ଯାତ୍ରା ପାର୍ଟି। ବ୍ୟବସାୟିକ ମାନ୍ଦାବସ୍ଥା ଯୋଗୁଁ ବହୁ ଯାତ୍ରା ମାଲିକମାନେ ସେମାନଙ୍କ ଶିଳ୍ପକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିବା ଖବର ମିଳିଛି। ଯଦି ସତକୁ ସତ ଏମିତି ହୁଏ, ତେବେ ଏକ ବହୁ ପ୍ରାଚୀନ ଶିଳ୍ପରେ ତାଲା ପଡ଼ିଯିବ ଓ ହଜାର ହଜାର ସଂଖ୍ୟାରେ ଶିଳ୍ପୀମାନେ ହାତବାନ୍ଧି ବସିଯିବେ।

ସୂଚନାନୁସାରେ ଏବେ ଯାତ୍ରାପାର୍ଟିମାନେ ଘୋର ଆର୍ଥିକ ସଂକଟ ଦେଇ ଗତି କରୁଛନ୍ତି। ଗତ କିଛି ବର୍ଷ ହେଲା ସେମାନେ ବିପୁଳ କ୍ଷତି ସହୁଛନ୍ତି। କେତେଜଣ ହାତଗଣତି ମାଲିକମାନଙ୍କୁ ଛାଡ଼ି ଦେଲେ, ଅନ୍ୟମାନେ ସମସ୍ତେ ବିପୁଳ କ୍ଷତି ବହନ କରି କରି ହାଲିଆ ହୋଇ ସାରିଲେଣି। ତେଣୁ ସେମାନେ ବାଧ୍ୟ ହୋଇ ଚଳିତ ବର୍ଷଠାରୁ ପାର୍ଟି ବନ୍ଦ କରିବେ ବୋଲି ପ୍ରାକ୍‌ ସୂଚନା ଦେଇ ସାରିଲେଣି। ଫଳରେ ଯାତ୍ରା ଶିଳ୍ପ ଉପରେ ନିର୍ଭର କରୁଥିବା ହଜାର ହଜାର କଳାକାରଙ୍କ ଭାଗ୍ୟ ଏବେ ସୂତା ଖିଅରେ ଲଟକି ରହିଛି। ସେମାନେ ଆତଙ୍କିତ ଅବସ୍ଥାରେ। ଜଣେ ମାଲିକଙ୍କ କହିବା କଥା ଗତ କିଛି ବର୍ଷ ହେବ ଦର୍ଶକମାନଙ୍କ ସଂଖ୍ୟା ଆଶାତୀତଭାବେ ହ୍ରାସ ପାଇବାରେ ଲାଗିଛି। ଟିଭି ଓ ଇଣ୍ଟରନେଟ୍‌ ଯୁକ୍ତ ମୋବାଇଲ୍‌ ଭଳି ବହୁ ମନୋରଂଜନ ସଂସ୍ଥାମାନଙ୍କ ଆଦର ବଢ଼ିବା କାରଣରୁ ଯାତ୍ରା ପ୍ରତି ଦର୍ଶକଙ୍କ ଆଗ୍ରହ କମିବାରେ ଲାଗିଛି। ନୂଆପିଢ଼ିର ଯୁବକଯୁବତୀମାନେ ଆଉ ଯାତ୍ରା ପ୍ରତି ଆଗ୍ରହ ଦେଖାଉନାହାନ୍ତି। ଫଳରେ ଟିକେଟ୍‌ ବିକ୍ରି କମୁଛି। ଖଣ୍ଡଗିରି ମେଳା ଭଳି କିଛିଟା ହାତଗଣତି ମେଳାକୁ ବାଦ୍‌ଦେଲେ ଅନ୍ୟ ସବୁ ପେଣ୍ଡାଲ ଗୁଡ଼ିକରେ ଦର୍ଶକ ସଂଖ୍ୟା ବହୁ ପରିମାଣରେ କମୁଥିବା ପରିଲକ୍ଷିତ ହେଉଛି। ଏଭଳି କ୍ଷତିକୁ ଭରଣା କରିବାକୁ ଟିକେଟ୍‌ ମୂଲ୍ୟ ବୃଦ୍ଧି କଲାବେଳକୁ ଦର୍ଶକମାନେ ଆହୁରି ଅଧିକ ପରିମାଣରେ ମୁହଁ ଫେରାଇ ନେଉଛନ୍ତି।

publive-imageପରିସ୍ଥତି ଏମିତି ହୋଇଛି ଯେ ସାରା ରାଜ୍ୟରେ ଶହ ଶହ ଆୟୋଜକମାନେ ସେମାନଙ୍କ ପେଣ୍ଡାଲ ବନ୍ଦ କରି ସାରିଲେଣି। ତେଣୁ ବଜାରର ମାନ୍ଦାବସ୍ଥା ପାଇଁ ଯାତ୍ରା ଜଗତର ଆର୍ଥିକ ପରିସ୍ଥିତି ପୂରା ଦୁର୍ବଳ ହୋଇପଡ଼ିଛି। ଏଥିସହିତ ସରକାରୀ ବା ପ୍ରଶାସନିକ କଟକଣା ଅଧିକ ମାତ୍ରାରେ ଯାତ୍ରା ଜଗତ ପାଇଁ କାଳ ପାଲଟିଛି। ବିଭିନ୍ନ କାରଣକୁ ନେଇ ଅପେରା ପାର୍ଟିମାନଙ୍କୁ ନାଟକ ପରିବେଷଣ ପାଇଁ ଅନୁମତି ମିଳୁନାହିଁ। କେତେବେଳେ ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା ଆଳରେ ତ କେତେବେଳେ ନିର୍ବାଚନ, ପୁଣି କେତେବେଳେ ଆଇନ ଶୃଙ୍ଖଳା ପରିସ୍ଥିତି ବାହାନା କରି ପାର୍ଟିମାନଙ୍କୁ ଅନୁମତି ଦିଆଯାଉନାହିଁ। ବହୁ ଜାଗାରେ ରାଜସ୍ୱ ବିଭାଗର ମନମାନି ପାଇଁ ଅନୁମତି ମିଳିବା କାଠିକର ପାଠ ହେଉଛି। ଯଦି ବା ମିଳୁଛି, ସେଥିପାଇଁ ବହୁ ଟିକସ ପଡ଼ୁଛି। ଫଳରେ ଆୟୋଜକମାନେ ପାର୍ଟି ମାଲିକମାନଙ୍କଠାରୁ ତାହା ଭରଣା କରୁଛନ୍ତି। ବ୍ୟୟଭାର ବଢ଼ୁଥିବାବେଳେ ଏଭଳି ବର୍ଦ୍ଧିତ ଖର୍ଚ୍ଚ ମାଲିକମାନଙ୍କୁ ଆହୁରି ଅଧିକ କ୍ଷତି ପହଞ୍ଚାଉଛି। ସେହିଭଳି ପ୍ରାକୃତିକ ବିପର୍ଯ୍ୟୟ ଓ ଜଳବାୟୁ ପରିବର୍ତନ ମଧ୍ୟ ଯାତ୍ରା ଜଗତ ପାଇଁ ବାଧକ ସାଜୁଛି। ଅନିୟମିତ ପାଣିପାଗ ପାଇଁ ବହୁ ସମୟରେ ପାର୍ଟିମାନେ ବସି ରହୁଛନ୍ତି।

ଏମିତି ଅନେକ କାରଣ ପାଇଁ ଗତ କିଛି ବର୍ଷ ହେଲା ମାଲିକମାନେ କ୍ଷତି ସହି ସହି ସର୍ବସ୍ୱ ହରାଇଲେଣି। ପାର୍ଟି ଚଳାଇବା ଖର୍ଚ୍ଚ ଦିନକୁ ଦିନ ବଢ଼ୁଥିବାବେଳେ ସେହି ଅନୁପାତରେ ଆୟ ହେଉନାହିଁ। ଲାଭ ନ ହେଲେ ବି ଖର୍ଚ୍ଚ ଉଠିବା ଭଳି ପରିସ୍ଥିତି ନାହିଁ। ବିନା ଲାଭରେ ଆଉ ଅଧିକ ଦିନ ପାର୍ଟି ବଞ୍ଚାଇ ରଖିବା ସମ୍ଭବ ନୁହେଁ। ତେଣୁ ଏଭଳି ପରିସ୍ଥିତିରେ ଓଲିଉଡ୍‌ ଜଗତକୁ ବଞ୍ଚାଇବାକୁ ସମସ୍ତଙ୍କ ସହଯୋଗର ଆବଶ୍ୟକତା ରହିଛି ଏବଂ ସରକାରୀ ପ୍ରୋତ୍ସାହନ ଅଧିକ ଜରୁରି ବୋଲି ମତ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe