ସମ୍ବଲପୁର ଦୂରଦର୍ଶନ ପରେ ଏବେ ଆକାଶବାଣୀରେ ସଂକଟ: ୧୯ ପଦ ଖାଲିଥିବାବେଳେ ୪ରୁ ୨ ଜଣଙ୍କୁ ବଦଳି

Advertisment

ଅଣଓଡ଼ିଆଙ୍କ ହାତକୁ ଯିବ ଉଭୟ ସଂସ୍ଥାର ଦାୟିତ୍ବ!

ଅଣଓଡ଼ିଆଙ୍କ ହାତକୁ ଯିବ ଉଭୟ ସଂସ୍ଥାର ଦାୟିତ୍ବ!

ସମ୍ବଲପୁର ଦୂରଦର୍ଶନ ପରେ ଏବେ ଆକାଶବାଣୀରେ ସଂକଟ: ୧୯ ପଦ ଖାଲିଥିବାବେଳେ ୪ରୁ ୨ ଜଣଙ୍କୁ ବଦଳି

ସମ୍ବଲପୁର : ସମ୍ବଲପୁର ଦୂରଦର୍ଶନ ପରେ ଏବେ ସମ୍ବଲପୁର ଆକାଶବାଣୀ କେନ୍ଦ୍ର ବି ସଂକଟରେ। ଦଶନ୍ଧିଦଶନ୍ଧି ଧରି ପଶ୍ଚିମ ଓଡ଼ିଶାର ଭାଷା, ସଂସ୍କୃତି, ସାହିତ୍ୟ ଓ ସଂଗୀତର ପ୍ରଚାର ପେଣ୍ଠ ପାଲଟିଥିବା ଆକାଶବାଣୀ ସମ୍ବଲପୁରରେ ଏବେ କର୍ମଚାରୀ ମରୁଡ଼ି। ଏହି କେନ୍ଦ୍ରର ଷ୍ଟେସନ୍ ନିର୍ଦ୍ଦେଶକ, ୩ଟି ସହକାରୀ ନିର୍ଦ୍ଦେଶକ ପଦ ଖାଲି ପଡ଼ିଛି। ୧୨ଟି ଟ୍ରାନ୍‌ସମିସନ୍ ଏକ୍‌ଜିକ୍ୟୁଟିଭ୍ ମଧ୍ୟରୁ ମାତ୍ର ୨ ଜଣ ଓ ୫ଟି ପ୍ରୋଗ୍ରାମ୍ ଏକ୍‌ଜିକ୍ୟୁଟିଭ୍ ମଧ୍ୟରୁ ମାତ୍ର ୨ ଜଣ ଥିବାବେଳେ ଅବଶିଷ୍ଟ ୧୩ଟି ପଦ ଖାଲି ପଡ଼ିଛି। ସେହିପରି ସମସ୍ତ ୬ଟି ଯାକ ଉଦ୍‌ଘୋଷକ ପଦ ଖାଲି ରହିଛି। ଯେଉଁ ୪ ଜଣ ଅଛନ୍ତି, ସେମାନଙ୍କ ମଧ୍ୟରୁ ବରିଷ୍ଠତମ ପ୍ରୋଗ୍ରାମ୍‌ ଏକ୍‌ଜିକ୍ୟୁଟିଭ୍‌ ଆକାଶବାଣୀର ଷ୍ଟେସନ୍‌ ନିର୍ଦ୍ଦେଶକ ଦାୟିତ୍ବ ସହ ଦୂରଦର୍ଶନ କେନ୍ଦ୍ର ସମ୍ବଲପୁର ଓ ଏଫ୍‌ଏମ୍‌ ମହାନଦୀର ମୁଖ୍ୟ ଦାୟିତ୍ବରେ ଅଛନ୍ତି।

ହେଲେ ବିଡ଼ମ୍ବନାର ବିଷୟ ଯେ ଆକାଶବାଣୀରେ କାର୍ଯ୍ୟକ୍ରମ ପ୍ରସ୍ତୁତି ପାଇଁ ଯେଉଁ ୪ ଜଣ ଅଛନ୍ତି ସେମାନଙ୍କ ମଧ୍ୟରୁ ଉଭୟ ବରିଷ୍ଠ ଅଧିକାରୀ ଅର୍ଥାତ୍ ପ୍ରୋଗ୍ରାମ୍ ଏକ୍‌ଜିକ୍ୟୁଟିଭ୍‌ଙ୍କୁ ପ୍ରସାରଭାରତୀ ଅନ୍ୟତ୍ର ବଦଳି କରି ଦେଇଛି। ଉଭୟଙ୍କ ବଦଳରେ ସମ୍ବଲପୁରକୁ ଜଣେ ପ୍ରୋଗାମ୍‌ ଅଫିସର୍‌ଙ୍କୁ ବଦଳି ହୋଇଛି ଯିଏ ଅଣଓଡ଼ିଆ। କୋଲକାତାରୁ ଆସିବାକୁ ଥିବା ଉକ୍ତ ଅଣଓଡ଼ିଆ ଅଧିକାରୀ ଜଣକ ବରିଷ୍ଠତା ଦୃଷ୍ଟିରୁ ଏଠାରେ ଆକାଶବାଣୀ ସମ୍ବଲପୁର, ସମ୍ବଲପୁର ଦୂରଦର୍ଶନ କେନ୍ଦ୍ର ଓ ଏଫ୍ଏମ୍‌ ମହାନଦୀର ମୁଖ୍ୟ ଦାୟିତ୍ବରେ ରହିବେ। ଓଡ଼ିଆ ଓ ସମ୍ବଲପୁରୀ ଭାଷା ଜାଣି ନଥିବା ଏହି ଅଧିକାରୀ ସଂପୂର୍ଣ୍ଣ ଓଡ଼ିଆ ଓ ସମ୍ବଲପୁରୀରେ କାର୍ଯ୍ୟକ୍ରମ କରୁଥିବା ଏହି କେନ୍ଦ୍ର ଗୁଡ଼ିକୁ କେମିତି ପରିଚାଳନା କରିବେ ବୋଲି ହୀରାଖଣ୍ଡ ସାମ୍ମୁଖ୍ୟ ପ୍ରଶ୍ନ କରିଛି।

ଏକ ପ୍ରେସ୍‌ ବିବୃତିରେ ଏହାର ସଭାପତି ପରେଶ ଦାନୀ ଉଲ୍ଲେଖ କରିଛନ୍ତି ଯେ ପ୍ରସାରଭାରତୀର ଏଭଳି ଅଦୂରଦର୍ଶୀ ନିଷ୍ପତ୍ତି ଫଳରେ ସମ୍ବଲପୁର ଆକାଶବାଣୀ ଓ ଦୂରଦର୍ଶନ ଭଳି ଗୌରବମୟ ଅନୁଷ୍ଠାନ କିଭଳି ଚାଲିବ ତାହା ଏବେ ସ୍ଥାନୀୟ ଲୋକଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ତେଣୁ ସମସ୍ତ ବିଷୟ ବିଚାରକୁ ନେଇ ପ୍ରସାର ଭାରତୀ କର୍ତ୍ତୃପକ୍ଷ ତୁରନ୍ତ ଏହି ବଦଳି ଆଦେଶକୁ ବାତିଲ କରନ୍ତୁ ଓ ଉଭୟ କାର୍ଯ୍ୟକ୍ରମ ନିର୍ବାହୀଙ୍କୁ ସମ୍ବଲପୁରରେ ରଖନ୍ତୁ ବୋଲି ସେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe