ଭର୍ତ୍ତୃହରିଙ୍କ ଉଚ୍ଚାରଣ ଓ ଆଚରଣ କଟାକ୍ଷ: ବିଜେଡିକୁ ଅତୀତ ଅନୁଶୀଳନ ପାଇଁ ପରାମର୍ଶ

ଭର୍ତ୍ତୃହରିଙ୍କ ଉଚ୍ଚାରଣ ଓ ଆଚରଣ କଟାକ୍ଷ: ବିଜେଡିକୁ ଅତୀତ ଅନୁଶୀଳନ ପାଇଁ ପରାମର୍ଶ

କଟକ : କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ସଂପାଦକୀୟ ଲେଖା ଏବେ ପୁଣି ଏକ ରାଜନୈତିକ ବାଦବିବାଦକୁ ଆହ୍ବାନ ଦେଇଛି। ଭର୍ତ୍ତୃହରି ନିଜ ଲେଖାରେ ବିଜେଡିକୁ ଆଉ ପୁଲିସକୁ ସମାଲୋଚନା କରିଛନ୍ତି। ଭୁବନେଶ୍ବରରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ ସମୟରେ ପୁଲିସ ସହିତ ମୁହାଁମୁହିଁ ଓ ସଂଘର୍ଷ ଘଟଣାକୁ ନେଇ ଭର୍ତ୍ତୃହରି ‘ପ୍ରଜାତନ୍ତ୍ରର ଧ୍ବନିପ୍ରତିଧ୍ବନୀ ସ୍ତମ୍ଭରେ ‌ଏଭଳି ଲେଖିଥିବା ବେଳେ ଏହାକୁ ଦଳର ଆଭିମୁଖ୍ୟ ବିରୋଧୀ ବୋଲି ସିଧାସଳଖ ଦଳର ଅନ୍ୟ ବରିଷ୍ଠ ନେତା କହିବାକୁ ପଛାଇ ନାହାନ୍ତି। ଏହି ପ୍ରସଙ୍ଗରେ ବିଜେପି ପୁଲିସ ଆଉ ସରକାରକୁ ଦାୟୀ କରୁଥିବା ବେଳେ ପୁଲିସ ଉପରେ ଆକ୍ରମଣ କରିଥିବା ବିଜେପି କର୍ମୀଙ୍କୁ ବିଜେଡି କଠୋର ଭାଷାରେ ସମାଲୋଚନା କରି ଆସୁଛି। ଦୁଇ ଦଳ ଏହି ଘଟଣାକୁ ନେଇ ରାସ୍ତାକୁ ବି ଓହ୍ଲାଇଛନ୍ତି। କିନ୍ତୁ ଭର୍ତ୍ତୃହରି ନିଜ ସଂପାଦକୀୟ ଲେଖା ‘ଉଚ୍ଚାରଣ ଓ ଆଚରଣ ମାର୍ଜିତ ହେବା ଆବଶ୍ୟକ’ରେ ବିଜେପି ମତକୁ ସମର୍ଥନ କରିଛନ୍ତି। ବିଜେଡିର ସାଂସଦ ହୋଇ ବିଜେପି ମତକୁ ସିଧାସଳଖ ସମର୍ଥନ ଦେବା ଘଟଣା ଦଳ ଭିତରେ ଗୁଞ୍ଜରଣ ସୃଷ୍ଟି କରିଥିବା ବେଳେ ଏହାକୁ ଖୋଲାଖୋଲି ବିରୋଧ କରିଛନ୍ତି କଟକ ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ।

 ବିଜେପି କର୍ମୀଙ୍କ ଉପରେ ଆକ୍ରମଣ ଘଟଣାରେ ପୁଲିସକୁ ଦାୟୀ କଲେ
ଦେବାଶିଷଙ୍କ କଡ଼ା ଜବାବ: ସାଂସଦ ଦିଲ୍ଲୀରେ ରହି ଏଠି କଣ ହେଉଛି ଜାଣୁ ନାହାନ୍ତି

ଭର୍ତ୍ତୃହରି ଲେଖିଛନ୍ତି ଯେ ‘ବିରୋଧୀ ଦଳର ଯୁବ ସଂଗଠନର ବିକ୍ଷୋଭ ବେଳେ ଯଦି ବି ଲୋକ ଉତ୍‌ଶୃଙ୍ଖଳ ହୋଇଗଲେ, ପୁଲିସକୁ ଲାଠି ଚାଳନା କରି ସେମାନଙ୍କୁ ଘଉଡ଼ାଇ ଦେବା ଉଚିତ ଥିଲା। ଗୁଣ୍ଡାଙ୍କ ଭଳି ସାଦା ପୋଷାକରେ ଯେଉଁମାନେ ବିକ୍ଷୋଭକାରୀ ତଥା ମହିଳାମାନଙ୍କୁ ଆକ୍ରମଣ କଲେ, ସେମାନେ ପୁଲିସର ସାଦା ପୋଷାକଧାରୀ ଯଦି ହୋଇଥିବେ, ତେବେ ତାହା ପୁଲିସ କମିସନର କହିବା ଦରକାର। ଯଦି ହୋଇଥିବେ, ତେବେ ସେମାନଙ୍କୁ ଭିଡ଼ ନିୟନ୍ତ୍ରଣ କରିବା ଲାଗି କିଏ ନିର୍ଣ୍ଣୟ ନେଇଥିଲା? ଏଥିପାଇଁ ପୁଲିସ ମାନୁଏଲରେ ବ୍ୟବସ୍ଥା ଅଛି କି? ଯଦି ସେମାନେ ପୁଲିସ ନୁହନ୍ତି, ତେବେ ସେମାନଙ୍କୁ ଚିହ୍ନଟ କରି ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ କି? କୁହାଯାଉଛି, ବିକ୍ଷୋଭକାରୀ ଢେଲା, ଟେକା ପଥର ପକାଇଲେ, ପୁଲିସ ଆହତ ହେଲେ। ସେଇ ଭୁବନେଶ୍ବର ପରା ସାକ୍ଷୀ ଅଛି, ବିଜୁ ପଟ୍ଟନାୟକଙ୍କ ଉପସ୍ଥିତିରେ ଯୁବକ ଟେକା ଫୋପାଡ଼ି ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ନାକ ଫଟାଇ ଦେଇଥିଲେ। ଏକଥା କଣ ଲୋକ ଭୁଲି ଗଲେଣି?... ପୁଲିସ ତଥା ପ୍ରଶାସନ ତେଣୁ ସଂଯତ ଭାବେ ବ୍ୟବହାର କରିବା ଉଚିତ ଥିଲା।.... ଉଚ୍ଚାରଣ ଓ ଆଚରଣ ମାର୍ଜିତ ହୋଇଥିବାରୁ ବିଜେଡି ଏତେ ଦିନ କାଳ ଶାସନରେ ରହିଛି। ଏବେ ତାର ପ୍ରତିପାଳନ ଉପରେ ଗୁରୁତ୍ବ ଦିଆଯିବା ଦରକାର। ବିଜୁବାବୁଙ୍କ ଜନ୍ମଦିନ ପାଳନ ବେଳେ ବିଜେଡି ତାର ୨୫ ବର୍ଷର ଅତୀତକୁ ଅନୁଶୀଳନ କରିବା ସହ ଆଗାମୀ ଭବିଷ୍ୟତ ପ୍ରତି ଦୃଷ୍ଟି ଦେଇ ଆଗେଇବା ଆବଶ୍ୟକ। ବିଜେପି ବିକ୍ଷୋଭ ପ୍ରସଙ୍ଗରେ ବିଜେଡି ପକ୍ଷରୁ ଯେଉଁ ଆଭିମୁଖ୍ୟ ଗ୍ରହଣ କରାଯାଉଛି, ଏହି ଲେଖା ସିଧାସଳଖ ଭାବେ ତାହାର ବିରୋଧ ଆଉ ସମାଲୋଚନା କରୁଥିବାରୁ ପୁଣି ଥରେ ଭର୍ତ୍ତୃହରିଙ୍କ ଗତି କୁଆଡ଼େ ବୋଲି ଆଲୋଚନା ଆରମ୍ଭ ହୋଇଯାଇଛି।

କିନ୍ତୁ ଭର୍ତ୍ତୃହରିଙ୍କ ଏଭଳି ଲେଖାକୁ ପ୍ରତିଥର ପରି ଏଥର ମଧ୍ୟ କଡ଼ା ଭାଷାରେ ସମାଲୋଚନା କରି ଦେବାଶିଷ ସାମନ୍ତରାୟ କହିଛନ୍ତି ଯେ ସାଂସଦ ଦିଲ୍ଲୀରେ ରହୁଛନ୍ତି। ସେ ଏଠିକାର କଥା କିଛି ଜାଣୁ ନାହାନ୍ତି। ଏମିତି କିଛି ଲେଖୁଛନ୍ତି, ଯାହା ସୋସିଆଲ ମିଡିଆରେ କେବଳ ଘୂରି ବୁଲୁଥିବାରୁ ଲୋକେ ଯାହା ଜାଣୁଛନ୍ତି। ସାଂସଦ ବାସ୍ତବ ସ୍ଥିତି ପ୍ରତି ଅବଗତ ହୁଅନ୍ତୁ ଏବଂ ପ୍ରଜାତନ୍ତ୍ରରେ ଠିକଠାକ ଲେଖନ୍ତୁ ବୋଲି ଦେବାଶିଷ ଭର୍ତ୍ତୃହରିଙ୍କୁ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe