କୁନ୍ଦୁରା : ଖାଦ୍ୟ ସନ୍ଧାନରେ ବାହାରିଥିବା ଗୋଟିଏ କୁମ୍ଭୀରର ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁ ହୋଇଛି। ଗୋଟିଏ ପୋଖରୀରୁ ଅନ୍ୟ ପୋଖରୀକୁ ଯିବା ସମୟରେ ଗାଡ଼ି ମୁଣ୍ଡ ଉପରେ ଚଢ଼ି ଯାଇଥିଲା। ସ୍ଥାନୀୟ ଲୋକ ଦେଖିବା ପରେ କୁମ୍ଭୀର ନିକଟକୁ ଯିବା ବେଳକୁ କୁମ୍ଭୀରଟି ମରି ସାରିଥିଲା। ଆଜି ସକାଳୁ ସକାଳୁ ଘଟିଥିବା ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ବାଗେଦରୀ ପଞ୍ଚାୟତ ମହକୁମା ସ୍ଥିତ ନୂଆବନ୍ଧରେ କୁମ୍ଭୀର ରହିଥିବା ପୂର୍ବରୁ ଶୁଣିବାକୁ ମିଳୁଥିଲା। ମଝିରେ ମଝିରେ କୂଅକୁ ଚାଲି ଆସି ବହୁ ସମୟ ଧରି ଶୋଇ ରହୁଥିବା ସ୍ଥାନୀୟ ଲୋକ ଦେଖୁଥିଲେ। ତେବେ ଏହି ହିଂସ୍ର ଜଳଚର ଜୀବ ନିକଟକୁ ଯିବା ପାଇଁ କେହି ସାହସ କରୁ ନଥିଲେ। ବନ ବିଭାଗ ବି ଏନେଇ ଜାଣିଥିଲେ ସୁଦ୍ଧା କାହାର କିଛି କ୍ଷତି କରୁ ନଥିବାରୁ ବିଶେଷ ଗୁରୁତ୍ବ ଦେଉ ନଥିଲା। ପ୍ରାୟ ୬ଫୁଟ ଲମ୍ବା ଏହି କୁମ୍ଭୀର କୋଲାବ ଜଳଭଣ୍ଡାରରୁ ବନ୍ୟାଜଳରେ ଭାସି ଆସି ଏଠାରେ ରହିଥିବା ଅନୁମାନ କରାଯାଉଛି। ତେବେ ମୂଳ ବାସସ୍ଥାନରେ ଖାଦ୍ୟ ଅଭାବ ହେବାରୁ ସେ ଆଖପାଖରେ ଥିବା ପୋଖରୀକୁ ଖାଦ୍ୟ ସନ୍ଧାନରେ ନିୟମିତ ଯାଉଥିଲା। ଆଜି ସକାଳେ ମଧ୍ୟ ଗୋଟିଏ ପୋଖରୀରୁ ଅନ୍ୟ ଗୋଟିଏ ପୋଖରୀକୁ ଯିବା ସମୟରେ ଅଜଣା ଗାଡ଼ି ମୁଣ୍ଡ ଉପରେ ଚଢ଼ି ପଳାଇ ଯାଇଥିଲା। ଛଟପଟ ହେଉଥିବା ଦୂରରୁ ଦେଖି ସ୍ଥାନୀୟ ଲୋକ ଭୟରେ ପାଖକୁ ଯାଇ ନଥିଲେ। ନିସ୍ତେଜ ହେବାପରେ ଯିବା ବେଳକୁ ମୁଣ୍ଡରୁ ରକ୍ତ ବାହାରି କୁମ୍ଭୀରର ମୃତ୍ୟୁ ହୋଇ ସାରିଥିଲା। ଖବର ପାଇ ବନ ବିଭାଗ କର୍ମଚାରୀ ସକାଳୁ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ରେଞ୍ଜ କାର୍ଯ୍ୟାଳୟକୁ ଆଣିଥିଲେ। ଶବ ବ୍ୟବଚ୍ଛେଦ କରିବା ସହ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରହିଛି।
Follow Us