କେନ୍ଦ୍ରମନ୍ତ୍ରୀଙ୍କ ସମାଲୋଚନା, ସଚିବଙ୍କ ପ୍ରଶଂସା

Advertisment
କେନ୍ଦ୍ରମନ୍ତ୍ରୀଙ୍କ ସମାଲୋଚନା, ସଚିବଙ୍କ ପ୍ରଶଂସା

ଭୁବନେଶ୍ୱର : ଚକ଼ଡ଼ା ପୋକ ଆକ୍ରମଣ ପରର ସ୍ଥିତି ଅନୁଧ୍ୟାନ ଲାଗି ସପ୍ତାହେ ତଳେ ଆସିଥିଲେ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ଵତ। ସମୀକ୍ଷା କରିବା ପରେ କୃଷି ବିଭାଗ ଅପରାଗତାର ଲମ୍ବା ତାଲିକା ରଖିଥିଲେ। କେବଳ ସେତିକି ନୁହେଁ, ବରଗଡ଼ର ଆତ୍ମହତ୍ୟା କରିଥିବା ଚାଷୀ ବୃନ୍ଦା ସାହୁ ପରିବାରକୁ ଭେଟି ବର୍ଷିଥିଲେ ସରକାରଙ୍କ ଉପରେ।

ଆଜି କେନ୍ଦ୍ର କୃଷି ସଚିବ ଶୋଭନ ପଟ୍ଟନାୟକ କିନ୍ତୁ ଚାଷୀ ଆତ୍ମହତ୍ୟା ନେଇ ଭିନ୍ନ ମନ୍ତବ୍ୟ ଦେବା ସହିତ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିବାକୁ ଭୁଲିନାହାନ୍ତି। ଏହି ଘଟଣା ବିଜେଡି ଓ ରାଜ୍ୟ ସରକାରଙ୍କୁ ଆଶ୍ୱସ୍ତ କରିଛି। ଦୁଇ ଦିନ ତଳେ କେନ୍ଦ୍ର କୃଷି ମନ୍ତ୍ରୀ-ଅଫିସରଙ୍କ ମଧ୍ୟରେ ଯୋଗସୂତ୍ର ନଥିବା ନେଇ କୃଷି ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଯେଉଁ ଅଭିଯୋଗ କରିଥିଲେ, ତାହାକୁ ସିଦ୍ଧ କରିଥିବା ରାଜନୈତିକ ମହଲ ଚର୍ଚ୍ଚା ଆରମ୍ଭ କରିଛନ୍ତି। କେବଳ ସେତିକି ନୁହେଁ, ଚାଷୀ ଆତ୍ମହତ୍ୟାକୁ ଯେଉଁଭଳି ଭାବେ କୃଷିମନ୍ତ୍ରୀ ଡାକ୍ତର ରାଉତ ଫାଙ୍କୁଛନ୍ତି, କେନ୍ଦ୍ର ସଚିବ ଆଜି ପରୋକ୍ଷରେ ଏ ଯୁକ୍ତିକୁ ବଳ ଯୋଗାଇଛନ୍ତି।

ଆଜି ଶ୍ରୀ ପଟ୍ଟନାୟକ ଗଣମାଧ୍ୟମକୁ କହିଛନ୍ତି, ଚାଷୀ ଆତ୍ମହତ୍ୟା, ଫସଲ କ୍ଷତିଜନିତ କି ନୁହେଁ ବିଶେଷଜ୍ଞ କମିଟି ଦ୍ୱାରା ତାର ଫୁଙ୍ଖାନୁପୁଙ୍ଖ ତଦନ୍ତ ହେବା ଦରକାର। କେବଳ ଚାଷ ପାଇଁ ଚାଷୀ ଆତ୍ମହତ୍ୟା କରୁଛି କହିବା ଠିକ୍‌ ହେବନି। ଏଥିପାଇଁ ଅନେକ କାରଣ ଥାଇପାରେ। କେନ୍ଦ୍ର ସରକାର ବିଭିନ୍ନ ସଂସ୍ଥାକୁ ଏ ନେଇ ଅନୁଧ୍ୟାନ ଲାଗି କହୁଛନ୍ତି। ଏ ରିପୋର୍ଟ ଆସିବା ପରେ ନୀତିରେ ପରିବର୍ତନ ଅଣାଯିବାକୁ ଚିନ୍ତା ଚାଲିଛି।

ଶ୍ରୀ ପଟ୍ଟନାୟକ କହିଲେ, କ୍ଷୁଦ୍ର ଓ ନାମମାତ୍ର ଚାଷୀମାନେ ଧୀରେ ଧୀରେ ପାରମ୍ପରିକ କୃଷିରୁ ବ୍ୟାବସାୟିକ କୃଷି କରିବା ପାଇଁ ମନ ବଳାଉଛନ୍ତି। ଏଥିପାଇଁ ଅଧିକ ସୁଧ ହାରରେ ଋଣ ମଧ୍ୟ ନେଉଛନ୍ତି। ଯଦି କୌଣସି କାରଣରୁ ଫସଲ କ୍ଷତି ଘଟିଲା ତାହା ହେଲେ ଚାଷୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛି। କେବଳ ଧାନ ଫସଲ ଉପରେ ଗୁରୁତ୍ୱ ନ ଦେଇ ଅର୍ଥକରୀ ଫସଲ ପ୍ରତି ଚାଷୀ ଆଗ୍ରହ ରଖିବା ଲାଗି ଶ୍ରୀ ପଟ୍ଟନାୟକ ଗୁରୁତ୍ୱାରୋପ କରିଥିଲେ ହେଁ, ରାଜ୍ୟରେ ଫସଲ ଉତ୍ପାଦନ ଜାତୀୟ ହାରର ପାଖାପାଖି ହେବା ଓ ଓ଼ଡ଼ିଶା ଚାରି ଚାରି ଥର କୃଷି କର୍ମଣ ପୁରସ୍କାର ପାଇବା ସଂପର୍କରେ ଠାରିଛନ୍ତି।

ରାଜ୍ୟ କୃଷି ମନ୍ତ୍ରୀଙ୍କ ଭାଷା କେନ୍ଦ୍ର କୃଷି ସଚିବଙ୍କ ମୁହଁରେ ଆସିବା ପରେ ବିଜେଡି ଆଜି ଉତ୍ସାହିତ ହୋଇ କେନ୍ଦ୍ର ସରକାର ଓ ବିଜେପିକୁ ସମାଲୋଚନା ଆରମ୍ଭ କରିଦେଇଛି। ଆଜି ବିଜେଡି ସାଧାରଣ ସଂପାଦକ ବିଜୟ ନାୟକ ଏକ ପ୍ରେସ ବିବୃତିରେ କହିଛନ୍ତି, ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ ଓ ଚାଷୀ ସମସ୍ୟାକୁ ନେଇ ବିଜେପି ରାଜନୀତି କରୁଛି। ଏମ୍‌ଏସ୍‌ପି କ୍ଷେତ୍ରରେ ସ୍ୱାମୀନାଥନ୍‌ କମିଟି ରିପୋର୍ଟ କାର୍ଯ୍ୟକାରୀ କରିବା ବଦଳରେ ଏହି ଦଳର ନେତାମାନେ ଯେଉଁ ମନ୍ତବ୍ୟ ଦେଉଛନ୍ତି, ତାହା ଅସଲରେ ସେମାନଙ୍କ କଟା ଘା’ରେ ଚୂନ ଦେବା ଭଳି ପରିସ୍ଥିତି ସୃଷ୍ଟି କରୁଛି।

ଉଲ୍ଲେଖଯୋଗ୍ୟ, ପ୍ରତିଥର ଚାଷୀ ଆତ୍ମହତ୍ୟା ଅଭିଯୋଗକୁ ଅସ୍ୱୀକାର କରୁଛନ୍ତି ରାଜ୍ୟ ସରକାର।ଫସଲ କ୍ଷୟକ୍ଷତି ଯୋଗୁଁ ନୁହେଁ ବରଂ ଅନ୍ୟାନ୍ୟ କାରଣରୁ ଚାଷୀ ଆତ୍ମହତ୍ୟା କରୁଥିବା ସଫେଇ ଦେଉଛନ୍ତି। ଏଭଳିସ୍ଥଳେ କେନ୍ଦ୍ର ସଚିବଙ୍କ ମନ୍ତବ୍ୟ ରାଜ୍ୟ ସରକାରଙ୍କ ପାଇଁ ସଞ୍ଜିବନୀ ସଦୃଶ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe