ଫସଲ ବୀମା ସମନ୍ବୟ କମିଟି ବୈଠକ: ଖରିଫ ୮, ରବିର ୯ ଫସଲ ବୀମାଭୁକ୍ତ

Advertisment
ରବି ଧାନ ପାଇଁ ଆଶାଆଶଙ୍କାରେ ଚାଷୀ

The Hans India

୩୧ ଜୁଲାଇ ବୀମା ପଞ୍ଜୀକରଣର ଶେଷ ତାରିଖ
କୃଷକଙ୍କୁ ଶୀଘ୍ର କ୍ଷତିପୂରଣ ପ୍ରଦାନ ନିର୍ଦେଶ
କେନ୍ଦ୍ରକୁ ଡେପୁଟେସନରେ ଗଲେ ମୁଥୁ କୁମାର, କାର୍ଯ୍ୟଭାର ନେଲେ ପ୍ରେମଚନ୍ଦ୍ର

ଭୁବନେଶ୍ବର : ଚଳିତ ବର୍ଷ ଖରିଫ ଋତୁର ୮ ଫସଲ, ରବି ଋତୁର ୯ ଫସଲକୁ ବୀମାଭୁକ୍ତ କରାଯିବ। ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଫସଲ ବୀମା ସମନ୍ବୟ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଏଥିରେ ଖରିଫର ଧାନ, ଚିନାବାଦାମ, ମକା, ହରଡ଼, ମାଣ୍ଡିଆ, ତୁଳା, ଅଦା ଏବଂ ହଳଦୀ, ରବିର ଧାନ, ଚିନାବାଦାମ, ବିରି, ମୁଗ, ସୋରିଷ, ସୂର୍ଯ୍ୟମୁଖୀ, ଆଖୁ, ଆଳୁ, ପିଆଜ ଆଦି ରହିଛି। ଧାନ ଫସଲ ପାଇଁ ଗ୍ରାମ ପଞ୍ଚାୟତ ବା ସହରାଞ୍ଚଳ, ଅଣଧାନ ଫସଲ ପାଇଁ ବ୍ଲକକୁ ବୀମା ୟୁନିଟ ଭାବରେ ବିଚାର କରାଯିବ। ଚଳିତ ବର୍ଷ ଜୁଲାଇ ୩୧ ତାରିଖକୁ ଖରିଫ ଫସଲ ବୀମା ପଞ୍ଜୀକରଣର ଶେଷ ତାରିଖ ଭାବରେ ଧାର୍ଯ୍ୟ ହୋଇଛି। ଚାଷ ପାଇଁ ଋଣ ନେଉଥିବା ଚାଷୀମାନଙ୍କ ବୀମା ସଂପୃକ୍ତ ବ୍ୟାଙ୍କ ମାଧ୍ୟମରେ ହେବ। ଯେଉଁମାନେ ଚାଷ ଋଣ ନେଉ ନାହାନ୍ତି ସେମାନେ ନିକଟସ୍ଥ ଜନସେବା କେନ୍ଦ୍ର, ସର୍ଭିସ ଆକାଉଣ୍ଟ ଥିବା ବ୍ୟାଙ୍କ ବା ସଂପୃକ୍ତ ଜିଲ୍ଲା ପାଇଁ ନିର୍ଧାରିତ ଫସଲ ବୀମା କମ୍ପାନିର ଏଜେଣ୍ଟ ଜରିଆରେ ବୀମା କରାଇପାରିବେ।

କୃଷି ନିର୍ଦେଶକ ମୁଥୁ କୁମାର ଜଣାଇଥିଲେ ଯେ, ରାଜ୍ୟର ଶସ୍ୟ ପ୍ରଧାନମନ୍ତ୍ରୀ ଫସଲ ଯୋଜନା ଅନୁସାରେ କରାଯାଉଛି। ଏଥିପାଇଁ ରାଜ୍ୟ ଏବଂ କେନ୍ଦ୍ର ସମାନ ଅନୁପାତରେ ଆର୍ଥିକ ସହାୟତା ଦେଉଛନ୍ତି। ବୀମା ପ୍ରିମିୟମର ୯୮ ଭାଗ ରାଜ୍ୟ ଏବଂ କେନ୍ଦ୍ର ସରକାର ଦିଅନ୍ତି, ଚାଷୀ ୨ ଭାଗ ଦିଅନ୍ତି। ୨୦୨୧ ମସିହା ଖରିଫ ଋତୁରେ ୧୨.୩୦ ଲକ୍ଷ ଚାଷୀଙ୍କ ୧୦.୫୦ ଲକ୍ଷ ହେକ୍ଟର ଚାଷ ବୀମାଭୁକ୍ତ ହୋଇଥିଲା। ଖରିଫ ଏବଂ ରବିରେ ଋଣ ନେଉଥିବା ଅଧିକରୁ ଅଧିକ ଚାଷୀଙ୍କୁ ବୀମାଭୁକ୍ତ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦେଶ ଦେଇଛନ୍ତି।

କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ସ୍ବତନ୍ତ୍ର ଶାସନ ସଚିବ ସଂଜୀବ ଚଢ଼ା ଚଳିତ ବର୍ଷ ପାଇଁ ଫସଲ ବୀମା ସମ୍ବନ୍ଧିତ ବିଭିନ୍ନ ବିଷୟ ନେଇ ଆଲୋଚନା କରିଥିଲେ। ବୀମା ସର୍ତ୍ତ ଅନୁସାରେ ଚାଷୀଙ୍କୁ ତୁରନ୍ତ ବୀମା ରାଶି ଯୋଗାଇ ଦେବା ପାଇଁ ବୀମା କମ୍ପାନିକୁ ନିର୍ଦେଶ ହୋଇଥିଲା। ଶସ୍ୟ ୱାରି ଚାଷ ହୋଇଥିବା କ୍ଷେତର ପରିମାଣ, ଅମଳ ହାର ନିର୍ଧାରଣ ନିମନ୍ତେ ଆଧୁନିକ ସାଟେଲାଇଟ୍ ଗବେଷଣା କୌଶଳଗୁଡ଼ିକ ପ୍ରୟୋଗ କରିବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦେଶ ଦେଇଥିଲେ। ଏଥିପାଇଁ ସମନ୍ବିତ ବୈଷୟିକ କାର୍ଯ୍ୟନ୍ବୟନ ଯୋଜନା ପ୍ରସ୍ତୁତ ପାଇଁ କୃଷି ବିଭାଗ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏବଂ ଓଡ଼ିଶା ମହାକାଶ ଗବେଷଣା ଉପଯୋଗ କେନ୍ଦ୍ରକୁ ନିର୍ଦେଶ ଦେଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାମାଣିତ ହୋଇଥିବା ସାଟେଲାଇଟ୍ କୌଶଳଗୁଡ଼ିକୁ ଓଡ଼ିଶା କୃଷି ଜଳବାୟୁ ଅନୁସାରେ ନବୀକୃତ କରିବାକୁ ଉନ୍ନୟନ କମିସନର ପ୍ରଦୀପ ଜେନା ନିର୍ଦେଶ ଦେଇଥିଲେ। ସାଟେଲାଇଟ୍ ଚିତ୍ର ଏବଂ ତଥ୍ୟଭିତ୍ତିକ ଲକ୍ଷ୍ୟଭେଦୀ ଯୋଜନା ପ୍ରସ୍ତୁତି ଏବଂ ଫସଲ ବୀମାର ସମ୍ପ୍ରସାରଣରେ ଅଧିକ ସହାୟକ ହେବ ବୋଲି ଶ୍ରୀ ଜେନା କହିଥିଲେ। ଆଗାମୀ ବର୍ଷ ଠାରୁ ସାଟେଲାଇଟ୍ କୌଶଳ ଭିତ୍ତିରେ ରାଜ୍ୟର ସବୁ ଅଞ୍ଚଳରେ ଶସ୍ୟ ଓ୍ବାରି ଚାଷ ହୋଇଥିବା ଜମି ପରିମାଣ ଏବଂ ଅମଳ ହାର ଆକଳନ ପାଇଁ ବୈଠକରେ ସ୍ଥିର ହୋଇଥିଲା। ଏଥିରେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ ଦେବ, ଓଡ଼ିଶା ପାଇଁ ଚୟନ କରାଯାଇଥିବା ବୀମା କମ୍ପାନି ଏଚଡିଏଫସି ଏଗ୍ରୋ, ରିଲାଏନ୍ସ ଜିଆଇସି, ଏଗ୍ରିକଲଚର ଇନସୁରାନ୍ସ୍ କମ୍ପାନି ପ୍ରତିନିଧି ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ ଆଜିର ବୈଠକ ପରେ କୃଷି ନିର୍ଦ୍ଦେଶକ ମୁଥୁକୁମାର ଦାୟିତ୍ବରୁ ଅବ୍ୟାହତି ନେଇ କେନ୍ଦ୍ରୀୟ ଡେପୁଟେସନରେ ଯାଇଛନ୍ତି। ନୂଆ କୃଷି ନିର୍ଦେଶକ ଭାବରେ ପ୍ରେମଚନ୍ଦ୍ର ଚୌଧରୀ ଦାୟିତ୍ବ ଗ୍ରହଣ କରିଛନ୍ତି। ଶ୍ରୀ ଚୌଧରୀ ରାଜ୍ୟସ୍ତରୀୟ ଫସଲ ବୀମା ସମନ୍ବୟ କମିଟି ବୈଠକରେ ମଧ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe