Image Courtesy of India Today
ବଲାଙ୍ଗୀର: ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀଙ୍କ ନାମରେ ତଞ୍ଚକତା କରି ବୀମା ଅର୍ଥ ହଡ଼ପ ଅଭିଯୋଗରେ ସାଇବର ପୁଲିସ ପୂର୍ବରୁ ୧୬ ଜଣଙ୍କୁ ଗିରଫ କରିଥିବା ବେଳେ ଆଜି ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଗଞ୍ଜିଆପଡ଼ାରୁ ପୁଣି ୨ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି। ବିଭିନ୍ନ ଚାଷୀଙ୍କ ଜମିର ରେକର୍ଡପତ୍ର ଭୂଲେଖରୁ ଡାଉନ୍ଲୋଡ୍ କରି ଏମାନେ ବୀମାଭୁକ୍ତ କରୁଥିବା ଓ ଚାଷୀର ଅଜାଣତରେ ବୀମା ଟଙ୍କା ହଡ଼ପ କରୁଥିବା ଅଭିଯୋଗ ହୋଇଥିଲା।
ସାଇବର ପୁଲିସ ସିନ୍ଧେକେଲା ଥାନା ଗଞ୍ଜିଆପଡ଼ା ଗ୍ରାମର ପଞ୍ଚାନନ ଭୋଇ ଓ ଟିଟିସିଲଟ ଗ୍ରାମର ଚନ୍ଦ୍ର ଶେଖର ସାହୁକୁ ଗିରଫ କରିଛି। ସାଇବର ପୁଲିସର ଏକ ଟିମ୍ ପୂର୍ବରୁ ଏହି ମାମଲାରେ ବଙ୍ଗୋମୁଣ୍ଡା ଥାନା ଅଧୀନ ବିଭିନ୍ନ ଗ୍ରାମ ଓ କଳାହାଣ୍ଡି ଜିଲ୍ଲାର ୧୬ଟି ଜନସେବା କେନ୍ଦ୍ରର ମାଲିକ ଓ ପରିଚାଳକଙ୍କୁ ଗିରଫ କରି ତାଙ୍କ ପାଖରୁ କମ୍ପ୍ୟୁଟର, ଲାପଟପ୍, ପ୍ରିଣ୍ଟର, ମୋବାଇଲ ଆଦି ଜବତ କରି ତଦନ୍ତ ଚଲାଇଥିବା ବେଳେ ଗଞ୍ଜିଆପଡ଼ା ଓ ଟିଟିସିଲଟ ଗ୍ରାମରେ ସମାନ ଉପାୟରେ ବୀମା ଟଙ୍କା ହଡ଼ପ କରାଯାଉଥିବା ନେଇ ଅଭିଯୋଗ ହେଉଥିଲା। ଗଞ୍ଜିଆପଡ଼ା ଗ୍ରାମର କୁଶ ପରାଭୋଇ ତାଙ୍କ ଜମିରେ ଫସଲ ବୀମା କରାଇ ବୀମା ଅର୍ଥ ଉକ୍ତ ଦୁଇ ଯୁବକ ହଡ଼ପ କରିଥିବା ନେଇ ୧୫ ତାରିଖ ଦିନ ଥାନାରେ ଏତଲା ଦେଇଥିଲେ।
ସାଇବର ପୁଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତ ଦ୍ବୟଙ୍କୁ ଗିରଫ କରିବା ସହ ଅଧିକ ପଚରାଉଚରା କରିଥିଲେ। ପରେ ସେମାନେ ପୁଲିସ ଆଗରେ ସତ ଓଗାଳି ଥିଲେ। ଅଭିଯୁକ୍ତ ଦ୍ବୟ ଅନଲାଇନ୍ରେ ଭୂଲେଖରୁ ଉପଯୁକ୍ତ ଜମି ବାଛି ସେହି ଜମିର ଫସଲ ବୀମା କରାଉଥିଲେ ଓ ବୀମା ଅର୍ଥ ଆସିଲେ ତାହାକୁ ଆଉ ଜଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରି ସେଥିରୁ ଅର୍ଥ ଆତ୍ମସାତ କରୁଥିବା ପୁଲିସ ଆଗରେ ପ୍ରକାଶ କରିଥିବା ଜଣାପଡ଼ିଛି। ଗୁରୁବାର ଉଭୟ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ପୁଲିସ ସୂତ୍ରରୁ ପ୍ରକାଶ।
Follow Us