କ୍ରପ୍‌କଟିଂ ‌ରିପୋର୍ଟରେ ଚଞ୍ଚକତା ଉଦ୍ୟମ, ଅଭିଯୋଗ ପରେ ପୁନଃ ଆକଳନ

Advertisment
କ୍ରପ୍‌କଟିଂ ‌ରିପୋର୍ଟରେ ଚଞ୍ଚକତା ଉଦ୍ୟମ, ଅଭିଯୋଗ ପରେ ପୁନଃ ଆକଳନ

ସଇନ୍ତଳା : ଚାଷୀମାନଙ୍କୁ ଭଣ୍ଡେଇବା ପାଇଁ ବୀମା କମ୍ପାନି ପ୍ରତିନିଧି ଉଦ୍ୟମ କରିଛନ୍ତି। କ୍ରପ୍‌କଟିଂ ରିପୋର୍ଟରେ ଚଞ୍ଚକତା କରାଯାଇଛି ବୋଲି ବଲାଙ୍ଗୀର ଜିଲ୍ଲା ସଇନ୍ତଳା ବ୍ଲକ୍‌ ଘୁନସର ପଂଚାୟତର ଚାଷୀମାନେ ଅଭିଯୋଗ କରିଛନ୍ତି। ଏନେଇ ଅଭିଯୋଗ ହେବା ପରେ ବିଭାଗୀୟ ଅଧିକାରୀମାନେ ପୁଣିଥରେ ଚାଷୀଙ୍କ ବିଲରେ ପହଞ୍ଚି ପୂର୍ବ ରିପୋର୍ଟ ଠିକ୍‌ ଥିବା ଦର୍ଶାଇଛନ୍ତି।

ଚାଷୀମାନଙ୍କ ଅଭିଯୋଗ ଅନୁସାରେ, ବର୍ତ୍ତମାନ ଖରିଫ ଧାନ ଫସଲର କ୍ରପ୍‌କଟିଂ ରିପୋର୍ଟ ପ୍ରସ୍ତୁତ କରାଯାଉଛି। ବୀମା କମ୍ପାନିର ପ୍ରତିନିଧି, ପରିସଂଖ୍ୟାନ ବିଭାଗ, କୃଷି ବିଭାଗ ଓ ରାଜସ୍ବ ବିଭାଗର ଅଧିକାରୀଙ୍କ ଉପସ୍ଥିତିରେ ଏହି କ୍ରପ୍‌କଟିଂ କରାଯାଉଛି। କିଛିଦିନ ତଳେ ଘୁନସର ପଂଚାୟତର କନ୍ଧଉଲବା ଗାଁର ଜଣେ ଚାଷୀଙ୍କ ବିଲରେ ବିଭାଗୀୟ ସମସ୍ତ ଅଧିକାରୀଙ୍କ ଉପସ୍ଥିତିରେ କ୍ରପ୍‌ କଟିଂ କରାଯାଇଥିଲା। ଏଥିରେ ସ୍ବାଭାବିକଠାରୁ ଖୁବ କମ୍‌ ଉତ୍ପାଦନ ହୋଇଥିବା ଜଣାପଡ଼ିଥିଲା। କୃଷି ବିଭାଗ ତରଫରୁ ଫର୍ମ ୮ରେ ସମସ୍ତ ବିବରଣୀ ଲେଖାହେବା ସଙ୍ଗେ ସଙ୍ଗେ ଉପସ୍ଥିତ ବୀମା କମ୍ପାନିର ଅଧିକାରୀ ମଧ୍ୟ ଦସ୍ତଖତ କରିଥିଲେ। ପରବର୍ତ୍ତୀ ସମୟରେ ବୀମା କମ୍ପାନି ପ୍ରତିନିଧି ଏଥିର ଚଞ୍ଚକତା କରି ରିପୋର୍ଟ ଦେବାକୁ ଉଦ୍ୟମ କରିଥିବା ଚାଷୀମାନେ ଅଭିଯୋଗ କରିଥିଲେ। ଏହା ଜାଣିବା ପରେ ଚାଷୀମାନେ କୃଷି ବିଭାଗରେ ଅଭିଯୋଗ କରିଥିଲେ। ଚାଷୀମାନଙ୍କ ଅଭିଯୋଗକୁ ଭିତ୍ତି କରି ବ୍ଲକ କୃଷି ଅଧିକାରୀ ଚିତ୍ତରଂଜନ ଶତପଥୀଙ୍କ ନେତୃତ୍ବରେ ଜିଲ୍ଲା ପରିସଂଖ୍ୟାନ ଅଧିକାରୀ, ସହକାରୀ ନିର୍ଦେଶକ, ବୀମା କମ୍ପାନିର ଜିଲ୍ଲା ସଂଯୋଜକ, ବ୍ଲକ୍‌ ସଂଯୋଜକ କ୍ରପ୍‌ କଟିଂ ହୋଇଥିବା ଚାଷ ଜମିକୁ ଆଉଥରେ ପରିଦର୍ଶନ କରିଥିଲେ। ପୂର୍ବରୁ ପ୍ରସ୍ତୁତ ହୋଇଥିବା କ୍ରପ୍‌କଟିଂ ରିପୋର୍ଟ ଠିକ୍‌ଥିବା ସେମାନେ ପ୍ରକାଶ କରିଥିଲେ। ସୂଚଚାଯୋଗ୍ୟ ଯେ, ବୀମା କମ୍ପାନି ଦ୍ବାରା ନିୟୋଜିତ କର୍ମଚାରୀମାନେ କୃଷି, ରାଜସ୍ବ ବିଭାଗ ଓ ଚାଷୀମାନଙ୍କୁ କ୍ରପ୍‌କଟିଂରେ ଠିକ୍‌ଭାବେ ସହଯୋଗ କରୁନଥିବା ଅନେକ ଚାଷୀ ଅଭିଯୋଗ କରୁଛନ୍ତି। କ୍ରପକଟିଂ ସମୟ ଧାର୍ଯ୍ୟ ହୋଇଥିଲେ ମଧ୍ୟ ଶେଷ ମୁହୂର୍ତରେ ଘୁଂଚାଇ ଦେଉଥିବାରୁ ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବୀମା କମ୍ପାନି ଉପରେ ପ୍ରଶାସନ ଲଗାମ ନ ଲଗାଇଲେ ଚା‌ଷୀମାନେ କ୍ଷତିଗ୍ରସ୍ତ ହେବେ ବୋଲି ଆଂଶଙ୍କା ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe