ଭିଜିଲାନ୍ସ ଜାଲରେ କୋଟିପତି କିରାଣୀ, ସମ୍ପତି ଦେଖି ତାଜୁବ ହୋଇଗଲେ ଅଧିକାରୀ

Advertisment
ଭିଜିଲାନ୍ସ ଜାଲରେ କୋଟିପତି କିରାଣୀ, ସମ୍ପତି ଦେଖି ତାଜୁବ ହୋଇଗଲେ ଅଧିକାରୀ

କନ୍ଧମାଳ : ତୃତୀୟ ଶ୍ରେଣୀ କର୍ମଚାରୀ। ହେଲେ ସମ୍ପତି କୋଟି କୋଟି ଟଙ୍କାର। ଭିଜିଲାନ୍ସ ଆଜି ଏଭଳି ଜଣେ ସରକାରୀ କର୍ମଚାରୀଙ୍କ ଘରେ ଚଢାଉ କରିଛି। ଆଉ ବାବୁଙ୍କ ସମ୍ପତି ଦେଖି ତାଜୁବ ହୋଇଯାଇଛନ୍ତି ଭିଜିଲାନ୍ସ ଅଧିକାରୀ। ଫୁଲବାଣୀ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ୫ଟି ସ୍ଥାନରେ ଏକାସଙ୍ଗେ ଚଢାଉ କରି ବର୍ତମାନ ଯାଏଁ ଦେଢ କୋଟି ଟଙ୍କାର ସମ୍ପତିର ହିସାବ ପାଇଲାଣି ଭିଜିଲାନ୍ସ।

ବାବୁଙ୍କ ଘର, କୌଣସି ରାଜବଙ୍ଗଳାରୁ କମ୍ ନୁହେଁ । ଭିତରେ ଚକ୍ ଚକ୍ ମାର୍ବଲ ଆଉ ଦାମୀ ଟାଇଲ । ଫର୍ଣ୍ଣିଚର, ପଞ୍ଚତାରକା ହୋଟେଲ ଭଳି । ଘରେ ଲାଗିଛି ରିମୋଟ୍ କଂଟ୍ରୋଲ ଫ୍ୟାନ୍ । ଯାହାର ଦାମ୍ ଏସି ସହ ସମାନ । ଗାଧୋଇବା ପାଇଁ ରହିଛି ବିଳାସପୂର୍ଣ୍ଣ ବାଥ୍ ଟବ୍ । ବାବୁ ବ୍ୟବହାର କରନ୍ତି ଲକ୍ଷେ ଟଙ୍କିଆ ଫୋନ୍ ଏବଂ ୨ଲକ୍ଷ ଟଙ୍କାର ଲାପଟପ୍ । ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଏବଂ ଦାମୀ ଘଂଟା । ଯାଆସ ପାଇଁ ପାଖରେ ଅଛି ଦୁଇ ଦୁଇଟି ଲଗଜୁରିଅସ୍ କାର୍ । କୁବେର ସମ୍ପତି ରଖିଥିବା ସରକାରୀ ବାବୁ ଏବେ ପଡିଛନ୍ତି ଭିଜିଲାନ୍ସ ଜାଲରେ ।

ରାଧାମୋହନ ବେହେରା । ଫୁଲବାଣୀ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ । ୧୯୯୧ରେ କିରାଣୀ ଚାକିରି ଆଉ ୨୦୦୯ରେ କାର୍ଯ୍ୟନିର୍ବାହୀ ଅଧିକାରୀ । ୧୦ ବର୍ଷ ଭିତରେ ରାଧାମୋହନ ବେହେରାଙ୍କ ପାଖରେ ଥିବା ସମ୍ପତିର ହିସାବ କରିବା ମୁସ୍କିଲ । ବାବୁଙ୍କ ଆୟ ବହିର୍ଭୁତ ସମ୍ପତି ଅଭିଯୋଗ ନେଇ ସକାଳୁ ସକାଳୁ ଫୁଲବାଣୀ କାର୍ଯ୍ୟାଳୟ ସମେତ ୫ଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ । ଆଉ ଜଣେ ସରକାରୀ ଅଧିକାରୀଙ୍କ ପାଖରେ ଏଭଳି ସମ୍ପତି ଦେଖି ତାଜୁବ ହୋଇଯାଇଛନ୍ତି ଭିଜିଲାନ୍ସ ଅଧିକାରୀ ।

କେବଳ ଏହି କୁବେର ସରକାରୀ ବାବୁ ନୁହେଁ ବରଂ ସେହି ଅଫିସରେ କାମ କରୁଥିବା ଡାଟା ଏଣ୍ଟ୍ରି ଅପରେଟରଙ୍କ ଘରେ ମଧ୍ୟ ଭିଜିଲାନ୍ସ ଚଢାଉ କରିଛି । ଗତକାଲି ଆଇଏଏସ ଅଫିସରଙ୍କ ଅୟସର କାହାଣୀ ସାମ୍ନାକୁ ଆଣିଥିଲୁ । ଯେଉଁଥିରେ ନିଜର ଅୟସ ପାଇଁ ସରକାରୀ ଟଙ୍କାକୁ ପାଣି ଭଳି ଖର୍ଚ୍ଚ କରିଥିଲେ ଆଇଏଏସ ମାଡାମ । ଆଉ ଆଜି ଭିଜିଲାନ୍ସ ଜାଲରେ କୋଟପତି କିରାଣୀ ପଡିବା ପରେ ଲୋକଙ୍କ ଟଙ୍କାରେ ସରକାରୀ ବାବୁ କେମିତି ଅୟସ ଆରାମ କରୁଛନ୍ତି ତାହାର ସତ୍ୟତା ସାମ୍ନାକୁ ଆସିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe