ବିଶ୍ରା: ସୁନ୍ଦରଗଡ଼ ବିଶ୍ରା ବ୍ଲକ୍ ଅଧୀନ ଜରେଇକେଲା ସୀମାନ୍ତ ସରଣ୍ଡା ଜଙ୍ଗଲରେ ଆଜି ବହୁ ସଂଖ୍ୟାରେ ସିଆର୍ପିଏଫ୍ ଯବାନ ଏବଂ ଝାଡ଼ଖଣ୍ଡ ପୁଲିସର ସଶସ୍ତ୍ର ଯବାନ ପଶି ଜଙ୍ଗଲର ବିଭିନ୍ନ ଦିଗକୁ ଘେରାଉ କରି ରଖିଛନ୍ତି। ସରଣ୍ଡା ଜଙ୍ଗଲରେ ମାଓବାଦୀଙ୍କ ଗଡ଼ ଭାବେ ପରିଚିତ ମାରଙ୍ଗ ପୋଙ୍ଗା ଗାଁକୁ ମୁଖ୍ୟତଃ ସିଆର୍ପିଏଫ୍ ଏବଂ ପୁଲିସ ଯବାନମାନେ ଘେରିରହିଛନ୍ତି। ସୁରକ୍ଷା ବାହିନୀ ସହିତ ଡଗ୍ ଓ ବମ୍ ସ୍କ୍ବାଡ୍ ବି ସାମିଲ ହୋଇଛନ୍ତି। ଜଙ୍ଗଲରେ ତଲାସି ଅଭିଯାନରେ ସିଆର୍ପିଏଫ୍ ଯବାନମାନଙ୍କ ସହିତ ଏନ୍ଆଇଏ ରାଞ୍ଚି, ଚେନ୍ନାଇ ଏବଂ ବେଙ୍ଗାଲୁରୁରୁ ଆସିଥିବା କିଛି ଅଧିକାରୀ ମଧ୍ୟ ରହିଛନ୍ତି।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସରଣ୍ଡା ଜଙ୍ଗଲରେ ବର୍ତ୍ତମାନ ପ୍ରାୟ ୬୬ ଜଣ ଦୁର୍ଦ୍ଦାନ୍ତ ମାଓବାଦୀ ଆତ୍ମଗୋପନ କରି ରହିଛନ୍ତି, ଯେଉଁମାନଙ୍କ ଉପରେ ସରକାରଙ୍କ ତରଫରୁ ଆର୍ଥିକ ପୁରସ୍କାର ଘୋଷଣା କରାଯାଇଛି। ସେମାନଙ୍କ ମଧ୍ୟରେ ମିଶିର ବେସରା, ଅସୀମ ମଣ୍ଡଳ, ଅନୀଲ ଦା, ପ୍ରୟାଗ ମାଝୀ ଉପରେ ୧କୋଟି ଏବଂ କରମଚାନ୍ଦ ହାଁସଦା, ଲାଲଚନ୍ଦ ହେମ୍ବ୍ରମ୍ ଓରଫ ସମର ଜୀ, ରଘୁନାଥ ହେମ୍ବ୍ରମ୍ ଓରଫ ନିର୍ଭୟ ଜୀ, ଅଜୟ ମାହାତୋ, ବ୍ରିଜେଶ ଗଞ୍ଜୁ, ସହଦେବ ସୋରେନଙ୍କ ଉପରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରହିଛି। ଏହା ଛଡ଼ା ଆହୁରି ଅନେକ ମାଓବାଦୀଙ୍କ ଉପରେ ଆର୍ଥିକ ପୁରସ୍କାର ଘୋଷଣା ରହିଛି। ତେବେ ଏହି ନୂଆ ଅଭିଯାନରେ ନକ୍ସଲ ସଂଗଠନକୁ ସମ୍ପୂର୍ଣ୍ଣ ଦମନ କରିବାରେ ପୁଲିସ କେତେ ଦୂର ସଫଳ ହେଇପାରିବ ତାହା ଦେଖିବାକୁ ବାକି ରହିଛି।
ଉଲ୍ଲେଖଯୋଗ୍ୟ, ୧୦ ଦିନ ତଳେ ଝାଡ଼ଖଣ୍ଡ ଚାଇବାସାଠାରେ ଥିବା ପୁଲିସ ମୁଖ୍ୟାଳୟରେ ଝାଡ଼ଖଣ୍ଡ ପୁଲିସ ଡିଜି ଏବଂ ସିଆର୍ପିଏଫ୍ ଡିଜିଙ୍କ ଉପସ୍ଥିତିରେ ନିର୍ଣ୍ଣୟ ନିଆଯାଇଥିଲା ଯେ ଖୁବଶୀଘ୍ର ପୁଲିସ ପକ୍ଷରୁ ସରଣ୍ଡା ଏବଂ ପୋଡ଼ାହାଟ ଜଙ୍ଗଲରେ ଲୁଚି ରହିଥିବା ସିପିଆଇ ମାଓବାଦୀଙ୍କ ଉପରେ ପ୍ରହାର ହେବ। ଏକ ବଡ଼ ଅଭିଯାନ ଚଳାଇ ସରଣ୍ଡା ଏବଂ ପୋଡ଼ାହାଟ ଜଙ୍ଗଲକୁ ନକ୍ସଲ ମୁକ୍ତ କରାଯିବ। ଏହି ନିଷ୍ପତ୍ତି ନେବାର ମାତ୍ର ଦଶ ଦିନ ପରେ ବହୁସଂଖ୍ୟକ ପୁଲିସ ଏବଂ ସିଆର୍ପିଏଫ୍ ଜଙ୍ଗଲ ଭିତରେ ପଶି ମାଓବାଦୀଙ୍କ ବିରୋଧରେ ଏକ ବଡ଼ ଅଭିଯାନ ଆରମ୍ଭ କରିଥିବା କୁହାଯାଉଛି।
Follow Us