ଭୋକିଲାଙ୍କ ପାଇଁ ଅନ୍ନଦାତା ସାଜିଛନ୍ତି ସିଆରପିଏଫ୍ ଯବାନ, ଦୈନିକ ଶହେରୁ ଅଧିକ ପରିବାରକୁ ଯୋଗାଉଛନ୍ତି ଆହାର

ସେବା ପାଣ୍ଠିକୁ ଦରମାରୁ ଦେଲେଣି ୨.୪୦ ଲକ୍ଷ

ଭୋକିଲାଙ୍କ ପାଇଁ ଅନ୍ନଦାତା ସାଜିଛନ୍ତି ସିଆରପିଏଫ୍ ଯବାନ, ଦୈନିକ ଶହେରୁ ଅଧିକ ପରିବାରକୁ ଯୋଗାଉଛନ୍ତି ଆହାର

ରାୟଗଡ଼ା: କିଏ ଉତ୍ତରପ୍ରଦେଶ ତ କିଏ ପୁଣି ବିହାର, ପଶ୍ଚିମବଙ୍ଗ, ପଞ୍ଜାବ ଓ ମହାରାଷ୍ଟ୍ରରୁ ଆସିଛନ୍ତି। ସୀମା ସୁରକ୍ଷା ସହ ଆଇନ ଶୃଂଖଳା ନିୟନ୍ତ୍ରଣ, ଲୋକଙ୍କ ଧନଜୀବନକୁ ସୁରକ୍ଷା ଦେବା ହେଉଛି ମୁଖ୍ୟ କାମ। ପରିବାରକୁ ହଜାର ହଜାର କିମି ଦୂରରେ ଛାଡ଼ି କର୍ତ୍ତବ୍ୟସ୍ଥଳରେ ଏକାକି ରହୁଥିବା ଯବାନମାନେ ବିପତ୍ତି ସମୟରେ ଗରିବଗୁରୁବାଙ୍କ ପାଇଁ ପାଲଟିଛନ୍ତି ବିପଦର ବନ୍ଧୁ। ଦୈନିକ ଭୋକିଲା, ରୋଜଗାର ହରାଇଥିବା ଲୋକଙ୍କୁ ନିଜ ପରିବାର ସଦସ୍ୟ ଭାବି ଖାଦ୍ୟ ଓ ରାସନ ସାମଗ୍ରୀ ବଣ୍ଟନ କରି ଚାଲିଛନ୍ତି। ତାହା ପୁଣି ନିଜ ଦରମା ଅର୍ଥରୁ। ଲକ୍‌ଡାଉନ୍ ଘୋଷଣା ପରେ ରାୟଗଡ଼ା ଜିଲ୍ଲାକୁ ସିଲ୍ କରିଛି ପ୍ରଶାସନ। ବାହାର ରାଜ୍ୟ କିମ୍ବା ବାହାର ଜିଲ୍ଲାର ଯାନବାହନ ଓ ଲୋକଙ୍କ ପ୍ରବେଶ ଉପରେ କଟକଣା ଲାଗୁ ହୋଇଥିବା ବେଳେ ରାୟଗଡ଼ା ଜିଲ୍ଲା ସଦର ମହକୁମାରେ ଥିବା ସିଆରପିଏଫ୍ ୪ର୍ଥ ବାଟାଲିୟନର ୮ପ୍ଲାଟୁନ୍ ଯବାନ ଆନ୍ଧ୍ର-ଓଡ଼ିଶା ସୀମାନ୍ତ କେରେଡ଼ା, କଳାହାଣ୍ଡି-କନ୍ଧମାଳ ସୀମାକୁ ଲାଗିଥିବା ମାଓ ପ୍ରବଣ ବିଷମକଟକ, କଲ୍ୟାଣସିଂହପୁର, ଗୁଡ଼ାରି ଥାନା ଇଲାକାରେ ୨୪ ଘଣ୍ଟିଆ ସୁରକ୍ଷା ଦାୟିତ୍ବ ତୁଲାଉଛନ୍ତି। ପ୍ରତି ସୀମାରେ ୨ ପ୍ଲାଟୁନ୍ ଲେଖାଏଁ ୮ ଘଣ୍ଟା ଡ୍ୟୁଟି କରୁଛନ୍ତି। ମାର୍ଚ୍ଚ ୨୫ ତାରିଖରୁ ସୀମାନ୍ତରେ ମୁତୟନ ଥିବା ଯବାନ ବହୁ ଇଲାକାରେ ମୋବାଇଲ୍ ସେବା ନଥିବା କାରଣରୁ ପରିବାର ଲୋକଙ୍କ ସହ କଥା ହୋଇପାରି ନାହାନ୍ତି। ଏହା ସତ୍ତ୍ବେ କର୍ମ ହିଁ ଭଗବାନ ନାରା ଦେଇ ଦାୟିତ୍ବ ନିର୍ବାହ କରି ଚାଲିଛନ୍ତି।

ସୀମା ସୁରକ୍ଷା ସହ ବିପଦ ସମୟରେ ଯବାନମାନେ ମାନବିକତାର ପରିଚୟ ଦେଇ ନିଜ କାର୍ଯ୍ୟସ୍ଥଳୀର ଗରିବଙ୍କୁ ନିୟମିତ ଭାବେ ଖାଦ୍ୟ ଓ ରାସନ ସାମଗ୍ରୀ ବାଣ୍ଟି ଚାଲିଛନ୍ତି। ଲକ୍‌ଡାଉନ୍ ଯୋଗୁ କାମଧନ୍ଧା ହରାଇ ରାୟଗଡ଼ା ସହରର ବସ୍ତି ଓ ରାସ୍ତାକଡ଼ରେ ଦୁର୍ଦିନରେ ଦିନ କାଟୁଥିବା ଖଟିଖିଆ, ମଜୁରିଆ ଓ ବାସହରା ପରିବାରକୁ ଦୈନିକ ସହାୟତା ପ୍ରଦାନ କରି ବିପଦର ବନ୍ଧୁ ସାଜିଛନ୍ତି। ମାର୍ଚ୍ଚ ୩୧ରୁ ଯବାନମାନେ ନିୟମିତ ଭାବେ ସହରର ବସ୍ତି, ରାସ୍ତାକଡ଼, ଗଳିକନ୍ଦିରେ ଥିବା ଲୋକଙ୍କୁ ରନ୍ଧାଖାଦ୍ୟ ଓ ରାସନ ସାମଗ୍ରୀ ଯୋଗାଇ ଆସୁଛନ୍ତି। ଦୈନିକ ରେଲୱେ ଷ୍ଟେସନ, ମାଙ୍କଡ଼ଝୋଲା, ବସଷ୍ଟାଣ୍ଡ, ଗାୟତ୍ରୀ ନଗର, ଜିଲ୍ଲା ମୁଖ୍ୟ ଡାକ୍ତରଖାନା ନିକଟ, ମନ୍ଦିର ପାର୍ଶ୍ବରେ ଥିବା ଭିକାରି, ନାଗାବଳୀ ଛକ, ଘାସି ସାହି, ଥାନା ପାର୍ଶ୍ବ, ଅରବିନ୍ଦ ନଗର, ଫରେଷ୍ଟ ଲାଇନ୍, ରେଲୱେ କଲୋନି ବସ୍ତି ଅଞ୍ଚଳରେ ରହୁଥିବା ଶହେରୁ ଊର୍ଧ୍ବ ଲୋକଙ୍କୁ ସିଆରପିଏଫ୍ ଯବାନ ସହାୟତା ପ୍ରଦାନ କରୁଛନ୍ତି। ଗରିବଗୁରୁବାଙ୍କ ସମେତ କରୋନା ଯୁଦ୍ଧର ପ୍ରକୃତ ଯୋଦ୍ଧା ଡାକ୍ତରଖାନାରେ କାର୍ଯ୍ୟରତ ଆଟେଣ୍ଡାଣ୍ଟଙ୍କ ପରିବାରକୁ ମଧ୍ୟ ସହାୟତା ଦେଇଛନ୍ତି ଯବାନ। ସେହିପରି ପୌର ପରିଷଦ ସଫେଇ କର୍ମଚାରୀଙ୍କୁ ଜଳଖିଆ ସହ ଅନ୍ୟ ସାମଗ୍ରୀ ପ୍ରଦାନ କରିଛନ୍ତି। ତେବେ ଏହି ସବୁ ସହାୟତା ପାଇଁ ଯବାନମାନେ ନିଜସ୍ବ ସେବା ପାଣ୍ଠି ଗଠନ କରି ଦରମା ଅର୍ଥ ପ୍ରଦାନ କରି ସାମଗ୍ରୀ କିଣିଛନ୍ତି। କର୍ମଭୂମିରେ ଯବାନଙ୍କ ଏପରି ମହାନତାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe