ସିଆରପିଏଫ୍ ଯବାନଙ୍କ ଆତ୍ମହତ୍ୟା ଉଦ୍ୟମ

ସିଆରପିଏଫ୍ ଯବାନଙ୍କ ଆତ୍ମହତ୍ୟା ଉଦ୍ୟମ

ରାୟଗଡା: ରାୟଗଡ଼ା ୪ର୍ଥ ବାଟାଲିୟନର ଯବାନ ବିଜୟ ପାଲ ସିଂ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ରୋଷେଇ ଘରେ ଥିବା ଛୁରୀରେ ନିଜ ପେଟକୁ ଭୁଷିବା ସହ ତଣ୍ଟି କାଟି ଦେଇଥିବା ଜଣା ପଡିଛି। ଗୁରୁତର ଅବସ୍ଥାରେ ପ୍ରଥମେ ରାୟଗଡ଼ା ଓ ପରେ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜକୁ ତାଙ୍କୁ ସ୍ଥାନାନ୍ତର କରାଯାଇଥିଲା। ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବା ପରେ ଅଧିକ ଚିକିତ୍ସା ପାଇଁ ଡାକ୍ତର କୋରାପୁଟରୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ଯବାନଙ୍କୁ ସ୍ଥାନାନ୍ତର କରିଛନ୍ତି।

୪ର୍ଥ ବାଟାଲିୟନ୍ ସିଆରପିଏଫ୍ ମୁଖ୍ୟାଳୟର କନେଷ୍ଟବଳ  ଯବାନ ବିଜୟ ପାଲ ସିଂ ଡ୍ରାଇଭର ଭାବେ କାର୍ଯ୍ୟରତ ଥିଲେ। କୌଣସି କାରଣକୁ ନେଇ କିଛି ଦିନ ହେଲା ଚିନ୍ତିତ ଅବସ୍ଥାରେ ଥିବା ବିଜୟ ଆଜି ସକାଳେ ମାନସିକ ଭାରସାମ୍ୟ ହରାଇ ବସିଥିଲେ। ଫଳରେ କ୍ୟାମ୍ପ ପରିସରରେ ଥିବା ରୋଷୋଇ ରୁମର ଏକ ଛୁରୀରେ ନିଜ ପେଟକୁ ଭୁଷି ଦେଇଥିଲେ। ଦୁଇ ଥର ପେଟକୁ ଭୁଷିବା ପରେ ତଣ୍ଟିକୁ ମଧ୍ୟ କାଟି ଦେଇଥିଲେ। ପେଟରେ ଗୁରୁତର ଆଘାତ ଲାଗିଥିବା ବେଳେ ତଣ୍ଟି ସାମାନ୍ୟ କଟିଥିବା ଜଣା ପଡିଛି। ଗୁରୁତର ଅବସ୍ଥାରେ ସାଥୀ ଯବାନ ବିଜୟଙ୍କୁ ଉଦ୍ଧାର କରି ପ୍ରଥମେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ସହିଦ୍ ଲକ୍ଷ୍ଣଣ ନାୟକ ମେଡ଼ିକାଲ୍ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ମଧ୍ୟ ଯବାନଙ୍କ ସ୍ବାସ୍ଥ୍ୟବସ୍ଥାରେ ପରିବର୍ତନ ନ ଆସିବା ଯୋଗୁ ସଂଧ୍ୟାରେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ଯବାନ ଜଣଙ୍କ କାହିଁକି ଆତ୍ମହତ୍ୟା ଉଦ୍ୟମ କଲେ ସେ ନେଇ ବିଭାଗୀୟ ବରିଷ୍ଠ ଅଧିକାରୀ ଖୋଳତାଡ଼ ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe