ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଯୋଡ଼ିହେବ ବିଳାସପୂର୍ଣ୍ଣ ‘କ୍ରୁଜ୍‌’, ୫ ନଦୀ ଓ ହ୍ରଦରେ ମିଳିବ ବୁଲିବାର ମଜା

Advertisment

ଘରୋଇ ସଂସ୍ଥା ସହଯୋଗରେ ଚାଲିବ

ଘରୋଇ ସଂସ୍ଥା ସହଯୋଗରେ ଚାଲିବ

ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଯୋଡ଼ିହେବ ବିଳାସପୂର୍ଣ୍ଣ ‘କ୍ରୁଜ୍‌’, ୫ ନଦୀ ଓ ହ୍ରଦରେ ମିଳିବ ବୁଲିବାର ମଜା

New Indian Express

ଭୁବନେଶ୍ବର : ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଯୋଡ଼ି ହେବ କ୍ରୁଜ୍‌। ନଦୀ ଓ ହ୍ରଦରେ ଜଳ ପର୍ଯ୍ୟଟନର ମଜା ଦେବ ଏହି ବିଳାସପୂର୍ଣ୍ଣ ପାଣି ଜାହାଜ ‘କ୍ରୁଜ’। ପ୍ରଥମ ପର୍ଯ୍ୟାୟରେ ଚିଲିକା ହ୍ରଦ, ହୀରାକୁଦ ଜଳଭଣ୍ଡାର, ମହାନଦୀ, ଭିତରକନିକା ଓ ସାତକୋଶିଆ ଗଣ୍ଡରେ ଚାଲିବ ଏହି କ୍ରୁଜ। ଘରୋଇ ସଂସ୍ଥାର ସହଯୋଗରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପର୍ଯ୍ୟଟକଙ୍କ ପାଇଁ ଏହି ଆକର୍ଷଣୀୟ ସୁବିଧା ଯୋଗାଇ ଦେବ।

ଓଡ଼ିଶାରେ ୪୮୨ କିଲୋମିଟରର ସାମୁଦ୍ରିକ ବେଳାଭୂମି ସଂଲଗ୍ନ ଥିବା ବେଳେ ବୃହତ୍‌ ଚିଲିକା ହ୍ରଦକୁ ଦୃଷ୍ଟିରେ ରଖି ଜଳ ପର୍ଯ୍ୟଟନକୁ ବିକଶିତ କରିବା ପାଇଁ ୨୦୧୬ ପର୍ଯ୍ୟଟନ ନୀତିରେ ନିଷ୍ପତ୍ତି ହୋଇଥିଲା। ଜଳକ୍ରୀଡ଼ା, ହାଉସବୋଟ୍‌, ଆକ୍ବାରିୟମ ଓ ଆକ୍ବା ପାର୍କ ଆରମ୍ଭ କରିବା ନେଇ ପର୍ଯ୍ୟଟନ ନୀତିରେ ଦର୍ଶାଯାଇଥିଲା। ୨୦୧୭ରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଜଳକ୍ରୀଡ଼ା ପାଇଁ ‘ଓଡ଼ିଶା ବୋଟ୍‌ ରୁଲ୍‌’ ଶୀର୍ଷକ ଏକ ଆଇନ କାର୍ଯ୍ୟକାରୀ ହୋଇଥିଲା। ଏଇ ଆଧାରରେ ରାଜ୍ୟର ବିଭିନ୍ନ ସ୍ଥାନରେ ଜଳକ୍ରୀଡ଼ା ଭିତ୍ତିଭୂମି ବିକଶିତ ହୋଇଛି। ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହାର ଶୁଭାରମ୍ଭ ପରେ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରକୁ ଆହୁରି ସମୃଦ୍ଧ କରିବା ପାଇଁ ‘କ୍ରୁଜ’ର ଶୁଭାରମ୍ଭ କରିବାକୁ ନିଷ୍ପତ୍ତି ହୋଇଥିଲା। ଫଳସ୍ବରୂପ ଘରୋଇ ସଂସ୍ଥା ସହଯୋଗରେ ପର୍ଯ୍ୟଟକଙ୍କୁ ଏହି ସୁବିଧା ଯୋଗାଇ ଦେବା ପାଇଁ ପର୍ଯ୍ୟଟନ ବିଭାଗ ଅଣ୍ଟା ଭିଡ଼ିଛି।

publive-imageରାଜ୍ୟ ପର୍ଯ୍ୟଟନ ବିଭାଗର ସୂଚନା ମୁତାବକ, ଏହି ବିଳାସପୂର୍ଣ୍ଣ କ୍ରୁଜ ଓଡ଼ିଶା‌ରେ ପ୍ରଥମେ କେବଳ ଦିନରେ ହିଁ ଚଳାଚଳ କରିବ। ତେବେ କେଉଁ ଜଳରାଶିରେ କେତେ କ୍ରୁଜ ଚଳାଚଳ କରିବ, କ୍ରୁଜ୍‌ ଚଳାଚଳ କରୁଥିବା ଘରୋଇ ସଂସ୍ଥା ସହ ଆଲୋଚନାପୂର୍ବକ ନିଷ୍ପତ୍ତି ନିଆଯିବ। ଏନେଇ ଜୁଲାଇ ୧୦ ସୁଦ୍ଧା କ୍ରୁଜ ପରିଚାଳନା କରୁଥିବା ବିଭିନ୍ନ ସଂଗଠନଠାରୁ ପ୍ରସ୍ତାବ ଆଗତ କରାଯାଇଛି।

ରାଜ୍ୟ ପର୍ଯ୍ୟଟନରେ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ ଅଞ୍ଚଳ, ଚିଲିକା ଓ ତାମ୍ପରା ହ୍ରଦରେ କାୟା କିଙ୍ଗ୍‌, ସ୍ନୋରକେଲିଙ୍ଗ, ୱାଟର ସ୍କୁଟର, ସ୍ପିଡ୍‌ ବୋଟ୍‌, ଜେଟ୍‌ ସ୍କାଏ, ମୋଟର ବୋଟିଂ, ପେଡାଲ୍‌ ବୋଟ୍‌ ଆଦି ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରରେ ପର୍ଯ୍ୟାୟକ୍ରମେ ଯୋଡ଼ି ହୋଇ ଚାଲିଛି। ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ର ନିମନ୍ତେ ପ୍ରକୃତି ଅନେକ କିଛି ଦାନ ଦେଇଛି। ତେବେ ରାଜ୍ୟ ବାହାରୁ ଏବଂ ବିଦେଶୀ ପର୍ଯ୍ୟଟକଙ୍କୁ ଓଡ଼ିଶାକୁ ଆକୃଷ୍ଟ କରିବା ପାଇଁ ନୂଆ ନୂଆ ପ୍ରକଳ୍ପର ଆବଶ୍ୟକତା ରହିଥିବା ବେଳେ ଏହା ରାଜ୍ୟ ପର୍ଯ୍ୟଟନର ସମୃଦ୍ଧି କ୍ଷେତ୍ରରେ ସହାୟକ ହେବ ବୋଲି ପର୍ଯ୍ୟଟନ ବିଶେଷଜ୍ଞମାନେ କହିଛନ୍ତି। ସଂପ୍ରତି କରୋନା ଲକ୍‌ଡାଉନ୍‌ ଯୋଗୁଁ ପର୍ଯ୍ୟଟନ କ୍ଷେତ୍ର ଖୋଲି ନଥିବା ବେଳେ ପର୍ଯ୍ୟଟକଙ୍କ ଆଗମନ ହେଉନାହିଁ। ତେଣୁ ପର୍ଯ୍ୟଟନ ସହ ସଂଶ୍ଳିଷ୍ଟ ଅନ୍ୟ ଶିଳ୍ପଗୁଡ଼ିକ ମଧ୍ୟ ମାନ୍ଦାବସ୍ଥାକୁ ସାମ୍ନା କରିଛନ୍ତି। ଏଭଳି ସ୍ଥିତିରେ ରାଜ୍ୟ ସରକାରଙ୍କ ‘କ୍ରୁଜ’ ଚାଳନା ନିଷ୍ପତ୍ତି ରାଜ୍ୟ ପର୍ଯ୍ୟଟନକୁ ଆଉ ପାଦେ ଆଗେଇ ନେବାରେ ସହାୟକ ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe