କୋଲାବ ପଣ୍ଡିଘାଟରେ ଚାଲିବ କ୍ରୁଜ୍

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ନିମନ୍ତେ କୋରାପୁଟ ଜିଲ୍ଲା କୋଲାବ ଜଳଭଣ୍ଡାର ପଣ୍ଡିଘାଟରେ ଚଳାଚଳ କରିବ ଅତ୍ୟାଧୁନିକ କ୍ରୁଜ୍। କୋରାପୁଟ କଫିର ମଜା ନେଇ ଜଳଭଣ୍ଡାରରେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ପର୍ଯ୍ୟଟକ ଉପଭୋଗ କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି।

fhhfvtg

କୋରାପୁଟ: ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ନିମନ୍ତେ କୋରାପୁଟ ଜିଲ୍ଲା କୋଲାବ ଜଳଭଣ୍ଡାର ପଣ୍ଡିଘାଟରେ ଚଳାଚଳ କରିବ ଅତ୍ୟାଧୁନିକ କ୍ରୁଜ୍। କୋରାପୁଟ କଫିର ମଜା ନେଇ ଜଳଭଣ୍ଡାରରେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ପର୍ଯ୍ୟଟକ ଉପଭୋଗ କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ଏଠାରେ ପର୍ଯ୍ୟଟକଙ୍କ ଲାଗି କେବଳ ମୋଟର ଚାଳିତ ବୋଟ୍‌ ରହିଥିଲା। ପଣ୍ଡିଘାଟର ଉନ୍ନତିକରଣ ଲାଗି ବଡ଼ ଯୋଜନା ପ୍ରସ୍ତୁତ ହୋଇଛି। ପର୍ଯ୍ୟଟନ ବିଭାଗ ପକ୍ଷରୁ କ୍ରୁଜ୍‌ କିଣିବା ନିମନ୍ତେ ଅର୍ଡର ଦିଆଯାଇଛି ବୋଲି ଜିଲ୍ଲାପାଳ ଭି. କୀର୍ତ୍ତି ୱାସନ ସୂଚନା ଦେଇଛନ୍ତି। ସେହିପରି ପଣ୍ଡିଘାଟରେ ୧୦କୋଟି ଟଙ୍କାରେ ସଂଗ୍ରହାଳୟ ନିର୍ମାଣ ହେବ। ପଣ୍ଡିଘାଟ ଓ ମାଲକାନଗିରି ଜିଲ୍ଲା ସତୀଗୁଡାର ବିକାଶ ଲାଗି ୩୫କୋଟି ଟଙ୍କା ବ୍ୟୟବରାଦ ହୋଇଛି। କୋରାପୁଟ ସହର ଠାରୁ ୮କିମି ଦୂରରେ କୋଲାବ ଜଳଭଣ୍ଡାର କୂଳରେ ପଣ୍ଡିଘାଟ ରହିଛି। ଜଳଭଣ୍ଡାର ମଧ୍ୟରେ ରହିଥିବା ୪ଟି ଟାପୁର ସୌନ୍ଦର୍ଯ୍ୟୀକରଣ ସହ ଘାଟରେ ଅନୁଷଙ୍ଗିକ ଭିତ୍ତିଭୂମିର ବିକାଶ ସହ ଜଳକ୍ରୀଡା, ବୋଟିଂ ବ୍ୟବସ୍ଥା ନିମନ୍ତେ ଡିପିଆର୍‌ ହୋଇଛି। ଏଠାକାର ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ ଅନ୍ୟ କେଉଁ ଜିଲ୍ଲାରେ ଦେଖିବାକୁ ମିଳେ ନାହିଁ।

ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପକ୍ଷରୁ କୋରାପୁଟ କଫି, କଳାଜିରା ଧାନ, ମାଣ୍ଡିଆ, ସୁଆଁ ସହ ପର୍ଯ୍ୟଟନସ୍ଥଳକୁ ଯୋଡି ବ୍ରାଣ୍ଡିଂ କରିବାକୁ ଯୋଜନା ହୋଇଛି। ପଣ୍ଡିଘାଟର ସମ୍ପୂର୍ଣ୍ଣ ସୌନ୍ଦର୍ଯ୍ୟୀକରଣ, ଆଲୋକୀକରଣ, ରାସ୍ତା, ପାର୍କିଂ, ବୋଟିଂ ଓ ଜଳକ୍ରୀଡ଼ାର ବ୍ୟବସ୍ଥା କରାଯିବ। ଜଳକ୍ରୀଡ଼ା ଲାଗି ମୋଟର ଚାଳିତ ଡଙ୍ଗା, ଜଳକ୍ରୀଡା ବାଇକ୍ ରଖିବାକୁ ଯୋଜନା ହୋଇଛି। ଘାଟକୁ ଲାଗି ୧୦୦ଏକର ଜମି ରହିଛି। ଏହି ଜମିକୁ ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍‌ କରିବାକୁ ଇଡ୍‌କୋକୁ ଲିଜ୍‌ରେ ଦିଆଯାଇଛି। ଇଡ୍‌କୋ ଏଠାରେ କୃଷି ଉଦ୍ୟୋଗ, ହୋଟେଲ, ହସ୍ତତନ୍ତ, କୋରାପୁଟ କଫି, ମାଣ୍ଡିଆ ସହ କ୍ଷୁଦ୍ରଶସ୍ୟ ବିକ୍ରି ନିମନ୍ତେ ବଜାର ପ୍ରସ୍ତୁତ କରିବ। ଯେଉଁ ଉଦ୍ୟୋଗୀ ହୋଟେଲ, କୃଷି ଉଦ୍ୟୋଗ, ହସ୍ତତନ୍ତ ସାମଗ୍ରୀ ବିକ୍ରି କରିବାକୁ ଚାହିବେ ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ସହଯୋଗ କରିବ ବୋଲି କୁହାଯାଇଛି। ଏଥିପାଇଁ ଉଦ୍ୟୋଗୀଙ୍କୁ ରିହାତି ମଧ୍ୟ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଜିଲ୍ଲାର ଅନ୍ୟ ପର୍ଯ୍ୟଟନସ୍ଥଳୀକୁ ବିଭିନ୍ନ ବର୍ଗର କରିଡର୍‌ରେ ରୂପାନ୍ତର କରିବାକୁ ଲକ୍ଷ୍ୟ ରହିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe