ଭିତରକନିକାରେ ଚାଲିବ କ୍ରୁଜ୍‌: ନୂଆ ରୂପ ନେଇ ଆସିଲା କାଟାମାରାନ୍‌ ବୋଟ୍‌, ୪ ଜଣଙ୍କ ପାଇଁ ଗୋଟିଏ ରାତିର ଭଡ଼ା ୨୫ ହଜାର

ଭିତରକନିକାରେ ଚାଲିବ କ୍ରୁଜ୍‌: ନୂଆ ରୂପ ନେଇ ଆସିଲା କାଟାମାରାନ୍‌ ବୋଟ୍‌, ୪ ଜଣଙ୍କ ପାଇଁ ଗୋଟିଏ ରାତିର ଭଡ଼ା ୨୫ ହଜାର

ରାଜନଗର: ଭିତରକନିକାରେ ପର୍ଯ୍ୟଟକଙ୍କୁ ବିଳାସପୂର୍ଣ୍ଣ ନୌଯାତ୍ରା ଅନୁଭୂତି ସହିତ ନଦୀ ଭିତରେ ରାତ୍ରୀଯାପନର ସୁବିଧା ମିଳିବ। ଆଇସିଜେଡ୍‌ଏମ୍‌ପି ଅନୁଦାନରେ ଆସିଥିବା ୪ଟି କାଟାମାରାନ୍‌ ବିଳାସପୂର୍ଣ୍ଣ ବୋଟ୍‌ ଏବେ କ୍ରୁଜ୍‌ ରୂପରେ ଭିତରକନିକାର ନଦୀନାଳରେ ଚାଲିବ। ୬ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ଆଇସିଜେଡ୍‌ଏମ୍‌ପି ଅନୁଦାନରେ ୮ ବର୍ଷ ତଳେ ଏହି ୪ଟି ବୋଟ୍‌ ଆସିଥିଲେ ବି ତାହା ସଫଳତାର ସହ କାର୍ଯ୍ୟକାରୀ ହୋଇ ପାରି ନଥିଲା। ଏହାର ରକ୍ଷଣାବେକ୍ଷଣରେ ଯେତିକି ଟଙ୍କା ଖର୍ଚ୍ଚ ହୋଇଥିଲା, ତା’ଠୁ ବହୁ କମ୍ ଟଙ୍କା ଆୟ ହୋଇଥିଲା। ଏଭଳି ସ୍ଥିତିରେ ଏହି ବିଳାସପୂର୍ଣ୍ଣ ବୋଟକୁ କ୍ରୁଜ୍‌ ଭାବେ ଚଳାଇବାକୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ୨୦ ମାସ ତଳେ ଏହି ୪ଟି ବିଳାସପୂର୍ଣ୍ଣ ବୋଟ୍‌କୁ ଦିଲ୍ଲୀର ଏକ ଘରୋଇ କମ୍ପାନିକୁ କ୍ରୁଜ ଭାବେ ଚଳାଇବାକୁ ଦାୟିତ୍ୱ ଦିଆଯାଇଥିଲା। ଏବେ ଦୁଇଟି କାଟାମାରାନ୍‌ ବୋଟ୍‌ ହାଉସ୍‌ବୋଟ ବା କ୍ରୁଜ୍‌ର ରୂପ ନେଇ ଗୁପ୍ତିଠାରେ ପହଞ୍ଚିଛି। ଆଉ ଦୁଇଟି ବୋଟ୍‌ ଆସି ନ ଥିବାବେଳେ ଖୁବ୍‌ଶୀଘ୍ର ଏହି କ୍ରୁଜ୍‌ ଭିତରକନିକାରେ ଚାଲିବ ବୋଲି ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି।

ଭିତରକନିକାକୁ ଆସୁଥିବା ଦେଶବିଦେଶର ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ହେଉଛି ନୌକାବିହାର। ୮ ବର୍ଷ ତଳେ ଆସିଥିବା ୪ଟି ବୋଟ୍‌ ପ୍ରାୟ ଅଧିକାଂଶ ସମୟରେ ଖରାପ ହୋଇ ପଡ଼ି ରହିଥିଲା। ବୋଟ୍‌ ବଡ଼ ହୋଇଥିବାରୁ ଓ ଡବଲ ଇଂଜିନ୍‌ ଥିବାରୁ ଭିତରକନିକାର ସବୁ ସ୍ଥାନକୁ ତାହା ଯାଇପାରୁ ନ ଥିଲା। ଏପରିକି ବଗଗହନ, ମଠଆଡ଼ିଆ ଓ ଛୋଟ କ୍ରିକ୍‌ ମଧ୍ୟକୁ ଏହି ବୋଟ୍‌ ଯାଇପାରୁ ନ ଥିବାରୁ ପର୍ଯ୍ୟଟକମାନେ ଏଥିରେ ଯିବାକୁ ପସନ୍ଦ କରି ନଥିଲେ। ୧୮ ଜୁନ, ୨୦୨୨ରେ ଦିଲ୍ଲୀର ‘ହେରିଟେଜ ରିଭର ଜନିସ୍ ପ୍ରାଇଭେଟ ଲିମିଟେଡ’ ନାମକ ସଂସ୍ଥାକୁ ପର୍ଯ୍ୟଟନ ବିଭାଗ ଏହି ୪ଟି ବିଳାସପୂର୍ଣ୍ଣ ବୋଟ୍‌କୁ ହସ୍ତାନ୍ତର କରିଥିଲା। ଏହି ୪ଟି ବୋଟ୍‌କୁ ସଂପୂର୍ଣ୍ଣ ନୂଆ ରୂପ ଦେଇ ଗୋଆ ଓ କଲିକତା ଭଳି କ୍ରୁଜ କରି ଚଳାଇବାକୁ ଏହି ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିଲା। ଚୁକ୍ତି ଅନୁଯାୟୀ ଏହି ସଂସ୍ଥା ବାର୍ଷିକ ୫ ଲକ୍ଷ ୨୦ହଜାର ଟଙ୍କା ପର୍ଯ୍ୟଟନ ବିଭାଗକୁ ଦେବ। କର୍ମଚାରୀ ଓ ଅନ୍ୟାନ୍ୟ ବ୍ୟବସ୍ଥା ସଂପୃକ୍ତ ସଂସ୍ଥାର ରହିବ। ପ୍ରତ୍ୟେକ କ୍ରୁଜ୍‌ ବା ହାଉସ୍‌ବୋଟ୍‌ରେ ଚାରି ଜଣ ରାତ୍ରୀଯାପନ କରି ପାରିବେ।
ଭିତରକନିକାରେ ନୌବିହାର ସହିତ ନଦୀ ଭିତରେ ରାତ୍ରୀଯାପନ ପ୍ରକୃତିପ୍ରେମୀ ପର୍ଯ୍ୟଟକଙ୍କୁ ନୂଆ ଅନୁଭୂତି ଦେବ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe