ସ୍ଥାନୀୟ ଅଞ୍ଚଳର ଆବଶ୍ୟକତାକୁ ଚାହିଁ ସିଏସ୍‌ଆର୍‌ ଅର୍ଥ ଖର୍ଚ୍ଚ ହେବ

Advertisment

ସଚିବାଳୟରେ ସିଏସ୍‌ଆର୍‌ ପରିଷଦର ବୈଠକ

ସଚିବାଳୟରେ ସିଏସ୍‌ଆର୍‌ ପରିଷଦର ବୈଠକ

ସ୍ଥାନୀୟ ଅଞ୍ଚଳର ଆବଶ୍ୟକତାକୁ ଚାହିଁ ସିଏସ୍‌ଆର୍‌ ଅର୍ଥ ଖର୍ଚ୍ଚ ହେବ

ଭୁବନେଶ୍ୱର : ବିଭିନ୍ନ ସରକାରୀ ଉଦ୍ୟୋଗ ଓ ଘରୋଇ କମ୍ପାନିର ସିଏସ୍‌ଆର୍‌ ଅର୍ଥ କିପରି ଖର୍ଚ୍ଚ ହେବ, ସେ ନେଇ ଆଜି ସଚିବାଳୟରେ ସରଗରମ ଆଲୋଚନା ହୋଇଛି। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିଏସ୍‌ଆର୍‌ ପରିଷଦ ବୈଠକରେ ସିଏସ୍‌ଆର୍‌ ପାଣ୍ଠି ଖର୍ଚ୍ଚର ବିଭିନ୍ନ ଦିଗ ଉପରେ ଶିଳ୍ପ ବିଭାଗ ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରା ସୂଚନା ଦେଇଥିଲେ।

ଶ୍ରୀ ପାଢ଼ୀ କହିଲେ, କମ୍ପାନି ଓ କର୍ପୋରେଟ୍‌ ହାଉସ୍‌ଗୁଡ଼ିକ ରାଜ୍ୟର ପ୍ରାଥମିକତା କ୍ଷେତ୍ରଗୁଡ଼ିକୁ ଦୃଷ୍ଟିରେ ରଖି ସ୍ଥାନୀୟ ଆବଶ୍ୟକତାକୁ ଚାହିଁ ବିକାଶମୂଳକ ପ୍ରକଳ୍ପଗୁଡ଼ିକ ହାତକୁ ନେବା ଉଚିତ। ଡିଏମ୍‌ଏଫ୍‌ ଓ ଓଏମ୍‌ବିଏଡିସି ଜିଲ୍ଲାଗୁଡ଼ିକ ବାଦ୍‌ ଅନ୍ୟ ୨୨ଟି ଜିଲ୍ଲାରେ ଅଧିକ କାର୍ଯ୍ୟ କରିବା ଉପରେ ମୁଖ୍ୟ ସଚିବ ଗୁରୁତ୍ୱାରୋପ କରିଥିଲେ। ବୈଠକରେ ନିଷ୍ପତ୍ତି ହୋଇଥିଲା ଯେ ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପଗୁଡ଼ିକରେ ଅଧିକ ସିଏସ୍‌ଆର୍‌ ପାଣ୍ଠି ଖର୍ଚ୍ଚ କରିବା ଉପରେ ଧ୍ୟାନ ଦିଆଯିବ। ପାଣ୍ଠି ଖର୍ଚ୍ଚ ପାଇଁ ଅନ୍ୟ କ୍ଷେତ୍ରଗୁଡ଼ିକ ମଧ୍ୟରେ ରହିଛି ପରିବେଶ ସଂରକ୍ଷଣ ଓ ବିକାଶ, ଲିଙ୍ଗଗତ ସମାନତା ଓ ସଶକ୍ତିକରଣ, ରିଲିଫ୍‌ କାର୍ଯ୍ୟ, ସ୍ୱଚ୍ଛ ଭାରତ, ଜାତୀୟ ଐତିହ୍ୟର ସଂରକ୍ଷଣ , କ୍ରୀଡ଼ା ଓ ବସ୍ତି ଅଞ୍ଚଳର ବିକାଶ ଇତ୍ୟାଦି।

ପ୍ରମୁଖ ସଚିବ ଶ୍ରୀ ଚୋପ୍ରା କହିଲେ, ୨୦୧୪-୧୫ରୁ ୨୦୧୭-୧୮ ମଧ୍ୟରେ ୧୪୨୬ କୋଟି ଟଙ୍କାର ସିଏସ୍‌ଆର୍‌ ପାଣ୍ଠି ଖର୍ଚ୍ଚ ହୋଇଛି। ଏହା ବାଦ୍‌ ଆହୁରି ୧୮୩୨ କୋଟି ଟଙ୍କାର ୧୦୨୧ଟି ପ୍ରକଳ୍ପ ବିଭିନ୍ନ ଜିଲ୍ଲା ଓ ସରକାରୀ ବିଭାଗରୁ ଆସିଛି। ଏହି ପ୍ରସ୍ତାବଗୁଡ଼ିକୁ କର୍ପୋରେଟର୍‌ ହାଉସ୍‌ଗୁଡ଼ିକର ବିଚାର ପାଇଁ ‘ଗୋ କେୟାର’ େଓ୍ଵବ୍‌ସାଇଟ୍‌ରେ ଅପ୍‌ଲୋଡ୍‌ କରାଯିବ। ସିଏସ୍‌ଆର୍‌ ପାଣ୍ଠି ଖର୍ଚ୍ଚରେ ସ୍ୱଚ୍ଛତା ଆଣିବା ପାଇଁ ଏହି ସ୍ୱତନ୍ତ୍ର େଓ୍ଵବ୍‌ସାଇଟ୍‌ ପ୍ରସ୍ତୁତ କରାଯାଇଛି।

କମ୍ପାନିଗୁଡ଼ିକ ସିଏସ୍‌ଆର୍‌ କାର୍ଯ୍ୟକ୍ରମ ଜାରି ରଖିବା ପାଇଁ ତାହାକୁ ଓ୍ଵବ୍‌ସାଇଟ୍‌ରେ ଅପ୍‌ଲୋଡ୍‌ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କମ୍ପାନିଗୁଡ଼ିକ ନିଜ ଲାଭର ୨ ପ୍ରତିଶତ ଅର୍ଥ ସିଏସ୍‌ଆର୍‌ କାର୍ଯ୍ୟରେ ଖର୍ଚ୍ଚ କରିବାକୁ ଆଇନ୍‌ତଃ ବାଧ୍ୟ।

ଆଜିର ବୈଠକରେ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ରାଜସ୍ୱ ବିଭାଗ ପ୍ରମୁଖ ସଚିବ ଚନ୍ଦ୍ରଶେଖର କୁମାର, ପଞ୍ଚାୟତିରାଜ ସଚିବ ଦେଓରଞ୍ଜନ କୁମାର ସିଂହ, ବୈଷୟିକ ଶିକ୍ଷା ସଚିବ ସଞ୍ଜୟ ସିଂହ, ସ୍ୱାସ୍ଥ୍ୟ ସଚିବ ପ୍ରମୋଦ ମେହେର୍ଦ୍ଦା, ସୂଚନା ଓ ପ୍ରଯୁକ୍ତି ସଚିବ ଅଶୋକ କୁମାର ମୀନା, ସ୍ମାର୍ଟ ସିଟି ସିଇଓ ଆର୍‌ ଭିନିଲ କ୍ରିଷ୍ଣାଙ୍କ ସମେତ ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଓ ଘରୋଇ କମ୍ପାନିର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe