କମି କମି ଆସିଲାଣି ଚାଷ ଜମି, ଖାଦ୍ୟ ସଂକଟର ସମ୍ଭାବନା

Advertisment
କମି କମି ଆସିଲାଣି ଚାଷ ଜମି, ଖାଦ୍ୟ ସଂକଟର ସମ୍ଭାବନା

ଜୟପୁର: ଜୟପୁର ସହରର ଚାରି ପାର୍ଶ୍ବରେ ରହିଥ‌ିବା ଶହଶହ ଏକର ଚାଷ ଜମିକୁ ଏବେ ପ୍ଲଟିଂ ପାଇଁ ପୋତା ଚାଲିଛି। ପରିଣାମସ୍ୱରୂପ ଲୋପ ପାଇବାରେ ଲାଗିଲାଣି ଶହ ଶହ ଏକର ଚାଷଜମି ।  ଯାହାକୁ ନେଇ ଆଗାମୀ ଦିନରେ ଖାଦ୍ୟସଙ୍କଟ ଉପୁଜିବ ବୋଲି ଆଶଙ୍କା କରାଯାଉଛି। ଜିଲା ପ୍ରଶାସନ ସବୁ ଦେଖି ବି ନିରବଦ୍ରଷ୍ଟା ସାଜିଛି, ତାହାକୁ ନେଇ ଉଠିଛି ପ୍ରଶ୍ନ। ଦିନକୁ ଦିନ ଜୟପୁର ସହରର ଜନସଂଖ୍ୟା ବୃଦ୍ଧି ପାଇବା ଫଳରେ ସହରରେ ଘର ନିର୍ମାଣ କରିବା ପାଇଁ ଜମି ନ ମିଳିବା ପରେ ଲୋକେ ସହର ଚାରିପାର୍ଶ୍ବ ସୀମାନ୍ତରେ ଥିବା ପଂଚାୟତ ଗୁଡିକର ଗାଁ ଗୁଡିକର ଚାଷଜମିକୁ ରିଏଲଇଷ୍ଟେଟ ମାଲିକ ମାନେ କିଣି ଏହାର କିସମକୁ ପରିବର୍ତ୍ତନ କରି  ବିକ୍ରୀ କରୁଛନ୍ତି। ସେଠାରେ ଘର ନିର୍ମାଣ କରି ଲୋକେ ରହୁଛନ୍ତି। ପୌରପାଳିକାର  ସୀମାନ୍ତରେ ଥିବା ଉମୁରୀ , ବାରିଣୀପୁଟ, ଟାଙ୍କୁଆ ଓ ଗଡ଼ପଦର ପଂଚାୟତ ଅଂଚଳରେ ଗଢ଼ି ଉଠିଛି ମକାପୁଟ, ପଟ୍ଟନାୟକଗୁଡା, କେନ୍ଦୁଗୁଡା, ଦୁବୁଲି, ଏକଟାଗୁଡା ପରି ରହିଛି ବହୁ ଛୋଟ ବଡ କଲୋନୀ। ସିମେଣ୍ଟ କଂକ୍ରିଟର ଘର ପାଇଁ ଏବେ ବିପଦମୁଖୀ ଚାଷ ଜମି।

ସୂଚନା ଅନୁଯାୟୀ, ଜୟପୁର ସହରର ଚାରିପାଖେ ରହିଛି ଜଳସେଚନ ସୁବିଧା। ସିଂହଭାଗ ଅପର କୋଲାବ ବହୁମୁଖୀ ପ୍ରକଳ୍ପ ଦ୍ବାରା କରାଯାଉଛି । କୋଲାବ୍ ଜଳଭଣ୍ଡାର ପାଣିରେ ପୂର୍ଣ ରହିଥ‌ିବାବେଳେ ଏହି ପାଣି ଏବେ ପ୍ଳଟିଂ ପାଇଁ ଚାଷରେ ଲାଗୁନଥିବା ଜଣାଯାଇଛି । ଗାନ୍ଧୀଛକରୁ ଆରମ୍ଭ କରି ପାରାବେଢ଼ା ନିକଟ ଦେଇ ଯାଇଥିବା ଧନପୁର ମୁଖ୍ୟ କେନାଲ୍ ହେଉ କିମ୍ବା ସତୀଗୁଡ଼ା ନଦୀର ଜଳ ସବୁ ସେହି କୋଲାବ ଜଳ ଭଣ୍ଡାର ପାଣିରେ ପୂର୍ଣ୍ଣ । କୋଲାବ ଜଳଭଣ୍ଡାରୁ ଆସି ସତୀଗୁଡ଼ାରେ ଗଚ୍ଛିତ ଜଳ ପୁଣି ଆଇକଟ୍ ହୋଇ ପଦ୍ମପୁର, ଟାଙ୍କୁଆ, ଡିମଳା, ଯୋଗୀପୁଟ, ପାତ୍ରପୁଟି ଦେଇ ଗୋଟିଏ କେନାଲ୍ ମାଧ୍ୟମରେ ଚାଷ ଜମିକୁ ଯାଇଛି। ଏହି କେନାଲ୍ ତଳ ଭାଗରେ ରହିଥ‌ିବା ଏକର ଏକର ଚାଷ ଜମିରେ ଏବେ ଚାଲିଛି ମାଟି ପକା କାର୍ଯ୍ୟ।

ଏହି ଜମିଗୁଡ଼ିକ ସରକାରୀ ଖାତାରେ ଧାନ-୩ ରହିଥ‌ିବାବେଳେ କୃଷି ବିଭାଗ ମଧ୍ୟ ଏହାକୁ ଚାଷ ଜମି ଦେଖାଇ ଏହାର ଧାନ ଅମଳ କଥା ସରକାରକୁ ପ୍ରତି ବର୍ଷ ନିଜ ରିପୋର୍ଟରେ ଦେଖାଉଛି। କିନ୍ତୁ ପ୍ରକୃତ ପକ୍ଷେ ଏହି ଜମି ଗୁଡ଼ିକରେ ଏବେ ମାଟି ପକାଯାଇ ପ୍ଲଟିଂ କରାଯାଇଛି। ଏହି ଅଞ୍ଚଳର ଆନୁମାନିକ ୫୦ ଏକର ଜମି ଏବେ ପୁଟିଂ ପାଇଁ ପ୍ରସ୍ତୁତ ରହିଥ‌ିବା ବେଳେ ଜୟପୁର ସହରର ଅନ୍ୟ ଦିଗ ଗୁଡ଼ିକରେ ମଧ୍ୟ ତଦନୁସାରେ ଚାଷଜମିରେ ଚାଲିଛି ପ୍ଲଟିଂ ବେପାର। ଯେଉଁ ଆଇନ ଆଳରେ ଚାଷ ଜମିକୁ ଅଣଚାଷ ଜମି ଭାବେ ପରିବର୍ତ୍ତନ କରାଯାଉଛି ତାହାକୁ ଭଲ ଭାବେ ନ ତନଖି ପ୍ରଶାସନ ଜମିର କିସମ ପରିବର୍ତ୍ତନ କରିଚାଲିଛି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଏହି ଚାଷ ଜମିକୁ ଆଖିରେ ରଖି ସତୁରୀ ଦଶକରେ କୋଲାବ ଜଳଭଣ୍ଡାର ନିର୍ମାଣ କରାଯାଇଥିବାବେଳେ ଜମିକୁ ପାଣି ଯିବା ପାଇଁ ଏକାଧିକ କେନାଲ୍ ନିର୍ମାଣ କରାଯାଇଥିଲା। ଧିରେ ଚାଷ ଜମି କମିବା ଫଳରେ ଧାନ ଓ ଅନ୍ୟ ଖାଦ୍ୟ ଶସ୍ୟ ଚା‌ଷ ନହେଲେ ଖାଦ୍ୟ ସଂକଟ ଦେଖାଦେବ ଏଥିରେ ଦ୍ବିମତ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe