ସୂର୍ଯ୍ୟ ମନ୍ଦିର ସୁରକ୍ଷା ଚିନ୍ତା : ପର୍ଯ୍ୟଟନ ମନ୍ତ୍ରୀଙ୍କ ବୈଠକ

ସୂର୍ଯ୍ୟ ମନ୍ଦିର ସୁରକ୍ଷା ଚିନ୍ତା : ପର୍ଯ୍ୟଟନ ମନ୍ତ୍ରୀଙ୍କ ବୈଠକ

କୋଣାର୍କ : ବିଶ୍ବ ଐତିହ୍ୟ ସୂର୍ଯ୍ୟମନ୍ଦିରରୁ କାରୁକାର୍ଯ୍ୟ ଗାଏବ ଏବଂ ମନ୍ଦିରର ଜରାଜୀର୍ଣ୍ଣ ଅବସ୍ଥାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏ ନେଇ ଆଜି ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା କୋଣାର୍କ ଅଞ୍ଚଳର ଦୁଇ ଜଣ ପ୍ରତିନିଧିଙ୍କୁ ଡାକି ବିସ୍ତୃତ ଭାବେ ଆଲୋଚନା କରିଛନ୍ତି।

ଭୁବନେଶ୍ବରରେ ଆୟୋଜିତ ଏହି ବୈଠକରେ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ, କୋଣାର୍କ ସୁରକ୍ଷା ସମିତିର ସଭାପତି ବାଦଲ ଦାଶ, କୋଣାର୍କ ଆଂଚଳିକ ବିକାଶ ପରିଷଦର ସଭାପତି ସୁବାସ ନାୟକ ଓ ପର୍ଯ୍ୟଟନ ସଚିବ ବିଶାଳ ଦେବ ଉପସ୍ଥିତ ଥିଲେ। ଅସରାଏ ବର୍ଷାରେ ମନ୍ଦିରରେ ପାଣି ଜମି ରହିବା, ମନ୍ଦିର ମୁଖଶାଳାରୁ ମାନବ ବ୍ରିଡ଼ାଳ ମୂର୍ତି ସହିତ କାରୁକାର୍ଯ୍ୟପୂର୍ଣ୍ଣ ମୂର୍ତି ଗାଏବ ହେବା, ମନ୍ଦିରରେ ପୂର୍ବରୁ ପୂଜା ପାଉଥିବା ଅଷ୍ଟଧାତୁ ସୂର୍ଯ୍ୟ ନାରାୟଣଙ୍କ ପ୍ରତିମା ଏବେ କେଉଁଠି ରହିଛି ସେ ସଂପର୍କରେ ମନ୍ତ୍ରୀ ଶ୍ରୀ ପଣ୍ଡା ଟିକିନିଖି ଭାବେ ସମସ୍ତ ତଥ୍ୟ ପଚାରି ବୁଝିଥିଲେ।

ଆସନ୍ତା ୧୦ ତାରିଖରେ କୋଣାର୍କ ପ୍ରସଙ୍ଗକୁ ନେଇ ଭୁବନେଶ୍ବରରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ, ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ, ସଚିବ, ଏଏସ୍‌ଆଇର ବରିଷ୍ଠ ଅଧିକାରୀ ଓ ବିଶେଷଜ୍ଞ କମିଟିକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବ‌ୈଠକ ଅନୁଷ୍ଠିତ ହେବ। ଏଥିରେ ସୂର୍ଯ୍ୟମନ୍ଦିରର ରକ୍ଷଣାବେକ୍ଷଣ ଓ ସ୍ଥାୟିତ୍ବ ସଂପର୍କରେ ଆଲୋଚନା କାର୍ଯ୍ୟକ୍ରମ ରହିଛି। ଏଥି ସହିତ କୋଣାର୍କବାସୀଙ୍କ ପକ୍ଷରୁ ଉଠିଥିବା ଅଭିଯୋଗ ଏବଂ ୨୦୧୦ ମସିହାରେ କୋଣାର୍କରେ ଅନୁଷ୍ଠିତ ବିଶ୍ବ ବିଶେଷଜ୍ଞ କମିଟିର ‌ରିପୋର୍ଟକୁ ମଧ୍ୟ ବୈଠକରେ ତର୍ଜମା କରାଯିବ। ଏହାଛଡା ଗତ ୮ ବର୍ଷ ମଧ୍ୟରେ ମନ୍ଦିରରେ କ’ଣ କ’ଣ ବିପର୍ଯ୍ୟୟ ଘଟିଛି ଓ କ’ଣ ଉନ୍ନୟନମୂଳକ କାର୍ଯ୍ୟ ହୋଇଛି ସେ ସଂପର୍କରେ ବିସ୍ତୃତ ଆଲୋଚନା କରାଯିବ ବୋଲି କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe