ରଥଯାତ୍ରା ବେଳେ ପୁରୀରେ କର୍ଫ୍ୟୁ; ବାତିଲ୍‌ ହେବ ହୋଟେଲ୍‌, ଲଜ୍‌ ବୁକିଂ

Advertisment

ଦିନକ ପୂର୍ବରୁ ଲାଗିବ କଟକଣା, ଛାତ ଉପରୁ ରଥଯାତ୍ରା ଦେଖା ବନ୍ଦ

ଦିନକ ପୂର୍ବରୁ ଲାଗିବ କଟକଣା, ଛାତ ଉପରୁ ରଥଯାତ୍ରା ଦେଖା ବନ୍ଦ

ରଥଯାତ୍ରା ବେଳେ ପୁରୀରେ କର୍ଫ୍ୟୁ; ବାତିଲ୍‌ ହେବ ହୋଟେଲ୍‌, ଲଜ୍‌ ବୁକିଂ

ପୁରୀ : ଆଉ ୮ ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା। କୋଭିଡ୍‌ ସଂକ୍ରମଣ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ପୂର୍ବବର୍ଷ ଭଳି ଚଳିତବର୍ଷ ବି ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହେବ।। ଏଥିପାଇଁ ବ୍ୟାପକ କଟକଣା ଲଗାଇବାକୁ ନିଷ୍ପତ୍ତି ହୋଇଛି। ଶ୍ରୀଗୁଣ୍ଡିଚା ଯାତ୍ରାର ଦିନକ ପୂର୍ବରୁ ପୁରୀ ସହର ଭିତରେ କର୍ଫ୍ୟୁ ଲଗାଇବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ବାହାର ଲୋକଙ୍କ ପ୍ରବେଶ ନିଷେଧ ସହ ହୋଟେଲ୍‌, ଲଜ୍‌ର ବୁକିଂ ବାତିଲ୍‌ କରାଯାଇଛି।

ରଥଯାତ୍ରା ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ଯେ ରଥଯାତ୍ରା ବେଳେ ଅର୍ଥାତ୍‌ ଶ୍ରୀଗୁଣ୍ଡିଚା ଯାତ୍ରା, ବାହୁଡ଼ା ଯାତ୍ରାରେ ପୁରୀ ସହରରେ କର୍ଫ୍ୟୁ ବଳବତ୍ତର ରହିବ।

ଶ୍ରୀଗୁଣ୍ଡିଚା ଯାତ୍ରାର ଦିନକ ପୂର୍ବରୁ ପୁରୀ ସହରରେ ୧୪୪ ଧାରା ଜାରି ହେବ। ଏହି କଟକଣା ଶ୍ରୀଗୁଣ୍ଡିଚା ଯାତ୍ରା ପରଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ। ସମାନ ବ୍ୟବସ୍ଥା ବାହୁଡ଼ାଯାତ୍ରାରେ ବି ଲାଗୁ ହେବ। ଏହି ସମୟରେ କେବଳ ଜରୁରୀକାଳୀନ ସେବାକୁ ଛାଡ଼ିଦେଲେ ସହର ଭିତରେ କେହି ବି ଚଳପ୍ରଚଳ କରିପାରିବେ ନାହିଁ। ବଡ଼ଦାଣ୍ଡରେ କେତେ ହୋଟେଲ୍‌, ଲଜ୍‌ ଓ ବ୍ୟକ୍ତିଗତ ଘର ଅଛି, ସେ ସବୁର ତାଲିକା ପ୍ରସ୍ତୁତ ଚାଲିଛି। ବଡ଼ଦାଣ୍ଡରେ ଥିବା ସବୁ ହୋଟେଲ, ଲଜ୍‌ର ବୁକିଂ ଦୁଇଦିନ ପୂର୍ବରୁ ବାତିଲ୍‌ କରାଯିବ। କେହି ବି ଏହି ହୋଟେଲ୍‌, ଲଜ୍‌ରେ ରହି ପାରିବେ ନାହିଁ। ଜୁଲାଇ ୧୦ରୁ ୧୩ ତାରିଖ ପର୍ଯ୍ୟନ୍ତ ବଡ଼ଦାଣ୍ଡରେ ଥିବା ଲଜ୍‌, ହୋଟେଲ ବନ୍ଦ ରଖାଯିବ। ବାକି ବଡ଼ଦାଣ୍ଡ ବାହାରେ ଯେଉଁ ହୋଟେଲ୍‌, ଲଜ୍‌ ଅଛି, ସେମାନଙ୍କ ସର୍ଭେ ବି ଚାଲିଛି। ଏଠାରେ ଯେଉଁମାନେ ରହିଛନ୍ତି, ସେମାନେ ହୋଟେଲ ରୁମ୍‌ରେ ରହିପାରିବେ, କିନ୍ତୁ କର୍ଫ୍ୟୁ ସମୟରେ ବାହାରକୁ ବାହାରି ପାରିବେ ନାହିଁ। କେହି ଯଦି କର୍ଫ୍ୟୁ ଉଲ୍ଲଂଘନ କରନ୍ତି, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜିଲ୍ଲାପାଳ ଶ୍ରୀ ବର୍ମା କହିଛନ୍ତି।

ଦୁଇ ଦିନ ତଳେ ବଡ଼ଦାଣ୍ଡରେ ଘର ଥିବା ଲୋକେ ସେମାନଙ୍କ ଛାତ ଉପରେ ରଥଯାତ୍ରା ଦେଖିପାରିବେ ବୋଲି ପ୍ରଶାସନ ଘୋଷଣା କରିଥିଲା। ମାତ୍ର ଆଜି ଏହି ନିଷ୍ପତ୍ତିକୁ ପ୍ରଶାସ ବଦଳାଇଛି। ଛାତ ଉପରୁ ରଥଯାତ୍ରା ଦେଖିବା ଉପରେ ରୋକ୍‌ ଲଗାଇଛି ପ୍ରଶାସନ। ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ଯେ ରଥଯାତ୍ରା ସମୟରେ ପୁରୀ ସହରରେ କର୍ଫ୍ୟୁ ଲାଗୁଥିବାରୁ କେହି ବି ଘରୁ ବାହାରି ପାରିବେନି। ବଡ଼ଦାଣ୍ଡର ଦୁଇପାର୍ଶ୍ବରେ ଥିବା ଘର ଛାତରୁ ଯେଉଁ ଦର୍ଶନ ବ୍ୟବସ୍ଥା କରିବାକୁ ଯୋଜନା କରାଯାଇଥିଲା, ‌ତାକୁ ବଦଳାଯାଇଛି। ଏସ୍‌ଆରସିଙ୍କ ନିର୍ଦ୍ଦେଶନାମା ଅନୁଯାୟୀ, ପୂରା ବଡ଼ଦାଣ୍ଡ ସିଲ୍‌ ହେବ। କେହି ବି ଘରୁ ବାହାରି ପାରିବେନି। ଛାତ ଉପରୁ ଦର୍ଶନରେ ବି କଟକଣା ଲଗାଯାଇଛି। ଲୋକେ ନିଜ ନିଜ ଘରେ ରହି ଝରକାରୁ ଦର୍ଶନ କରି ପାରିବେ। କିନ୍ତୁ ଅନ୍ୟ କୌଣସି ସ୍ଥାନରେ ଦର୍ଶନ କରି ପାରିବେ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe